ଶାଳଣିଆଁ ଅଞ୍ଚଳର ବିଭିନ୍ନ ଦାବି ନେଇ ଅନସନ ଚେତାବନୀ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ଅଞ୍ଚଳର ବିଭିନ୍ନ ଦାବି ଗୁଡିକ ପ୍ରତି ପ୍ରଶାସନ ଚୁପ ହୋଇ ରହିଯାଉଥିବାରୁ ଏହାର ପ୍ରତିବାଦ କରି ଶାଳଣିଆଁର କିଛି ବ୍ୟକ୍ତି ନବୀନ ନିବାସ ସମ୍ମୁଖରେ ଅନସନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଶାଳଣିଆଁ ଅଞ୍ଚଳଟି ଆଖପାଖ ୮ଟି ପଞ୍ଚାୟତର କେନ୍ଦ୍ର ସ୍ଥଳ । ଏଠରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଭଦ୍ରକ, କେନ୍ଦୁଝର ଓ ଯାଜପୁର ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରୁଥିବାବେଳେ ଏଠାରେ ବିଭିନ୍ନ ସମସ୍ୟା ଲାଗି ରହିଛି । ଆବଶ୍ୟକ ଡାକ୍ତର ନିଯୁକ୍ତି, ବେଡ ସଂଖ୍ୟା ବୃଦ୍ଧି, ନିୟମିତ ରୋଗୀସେବା ଭଳି ସମସ୍ୟା ସୁଧାରିବା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ । ସେହିପରି ଶାଳଣିଆଁ ଠାରୁ ନନ୍ଦିପଦା ଥାନାର ଦୁରତା ୧୫କିଲୋମିଟରରୁ ଉର୍ଦ୍ଧ ହୋଇଯାଉ ଥିବାରୁ ଏଠାରେ ବହୁ ସମୟରେ ଆଇନିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ଏଠାରେ ଏକ ଫାଣ୍ଡି ପ୍ରତିଷ୍ଠା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ଫାଇଲ ତଳେ ଚାପିହୋଇ ରହିଯାଇଛି । ସେହିପରି ଏହି ଅଞ୍ଚଳରେ ରାଷ୍ଟ୍ରାୟତ ବ୍ୟାଙ୍କ ସେବା ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏଠାରେ ଏକ ଷ୍ଟେଟ ବ୍ୟାଙ୍କ ଅଥବା ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା ଖୋଲିବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୁପକ୍ଷ ସେଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଶାଳଣିଆଁ ଠାରେ ଏକ ଦମକଳ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିଲେବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଉ ନାହିଁ । ସେହିପରି ଶାଳଣିଆଁ ପଞ୍ଚାୟତର ବିଷ୍ଣୁପୁର ଗ୍ରାମଟି ଏସଇସିସି ତାଲିକାରୁ ବାଦ ପଡିଥିବାରୁ ଗାଁର ଗୋଟିଏ ବି ପରିବାର ଦୀଘବର୍ଷ ହେଲା ଆବାସ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି । ସେହିପରି ଏହି ଅଞ୍ଚଳର ବିଭିନ୍ନ ଗ୍ରାମ୍ୟ ରାସ୍ତା ଦେଇ ଦିନରାତି ବାଲି ପରିବହନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ଜୀବନପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି । ଏହି ଦାବି ଗୁଡିକ ସମ୍ପର୍କରେ ବାରମ୍ବାର ଜଣାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ବାଧ୍ୟ ହୋଇ ଅଞ୍ଚଳ ବାସୀ ନବୀନ ନିବାସ ସମ୍ମୁଖରେ ଅନସନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ପୁର୍ବରୁ ଥରେ ନବୀନ ନିବାସ ସମ୍ମୁଖରେ ଧାରଣା ଦେବାକୁ ଯାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଓ ପୁଲିସ ସେମାନଙ୍କୁ ସେମାନଙ୍କ ଦାବି ପୁରଣ ନେଇ ପ୍ରତିଶୃତି ଦେବାପରେ ଗ୍ରାମବାସୀମାନେ ଫେରି ଆସିଥିଲେ ।