ପରୀକ୍ଷା ଫଳ ପ୍ରକାଶନରେ ଅନିୟମିତତା ଥାନାର ଦ୍ୱାରସ୍ଥ ହେଲେ ଅଭିଭାବକ
ଯୋଡ଼ା (ଯୁଗାଦ୍ଦ) : ସହରରେ ଥିବା ଏକ ଇଂରାଜୀ ମାଧ୍ୟମ ସ୍କୁଲ ର ୯ମ ଷ୍ଟାଣ୍ଡାର୍ଡର ପରୀକ୍ଷା ଫଳ ପ୍ରକାଶନରେ ଅନିୟମିତତା ତଥା ଏକ ତରଫା ପରୀକ୍ଷା ଫଳ ପ୍ରକାଶିତ ହୋଇଥିବାରୁ କିଛି ଅଭିଭାବକ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଭାବକମାନେ ଅନିୟମିତତା ନେଇ ଲିଖିତ ଅଭିଯୋଗ ପତ୍ର ଯୋଡା ଥାନା ଆଇଆଇସିଙ୍କୁ ଦେଇଥିଲେ । ଉକ୍ତ ସ୍କୁଲର ଷ୍ଟାଣ୍ଡାର୍ଡ ୯ମରେ ପଢୁଥିବା ପ୍ରାୟ ୧୯ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇ ନିୟମ ଅନୁଯାୟୀ ଶତକଡା ୩୦ ପ୍ରତିଶତ ମାର୍କ ନ ରଖିବାରୁ ସ୍କୁଲ କର୍ତୁପକ୍ଷ ସେମାନଙ୍କୁ ଫେଲ୍ କରିଥିଲେ । ତେବେ ଅନ୍ୟ ଜଣେ ଛାତ୍ର ନିର୍ଦ୍ଧାରିତ ଶତକଡା ୩୦ ପ୍ରତିଶତରୁ କମ୍ ରଖିଥିଲେ ହେଁ, ତାଙ୍କୁ ସ୍କୁଲ କର୍ତୁପକ୍ଷ ପାସ୍ କରାଇ ଦେଇଥିବାରୁ ଅଭିଭାବକ ମାନେ ସ୍କୁଲ କର୍ତୁପକ୍ଷଙ୍କ ଏଭଳି ପାତରଅନ୍ତର ମନୋଭାବ ନେଇ ସ୍କୁଲର ପ୍ରିନ୍ସିପାଲ୍ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର କୌଣସି ସୁଫଳ ନମିଳିବାରୁ ଶନିବାର ପୂର୍ବାହ୍ନ ୧୧ ଟା ସମୟରେ ଉକ୍ତ ଛାତ୍ରୀଛାତ୍ରଙ୍କର ଅଭିଭାବକମାନେ ଏକତ୍ର ହୋଇ ଯୋଡା ଥାନାକୁ ଯାଇଥିଲେ । ଅଭିଭାବକ ଅନୀତା ଭଂଜଦେଓ, ସୁନିତା ପାନ୍, ନବଜୋତ କୌର, କ୍ରୀଷ୍ଣା ଯୋଶି, ଦୁଷ୍ମନ୍ତ ସେଠୀ ପ୍ରମୁଖ କହିଛନ୍ତି ଯେ, ବୋର୍ଡଙ୍କ ଗାଇଡ ଲାଇନ୍ ଅନୁଯାୟୀ ପାସ୍ ମାର୍କ ଶତକଡା ୩୩ ପ୍ରତିଶତ ରହିଥିଲା । ମାତ୍ର ସ୍କୁଲ କର୍ତୁପକ୍ଷ ଏହାକୁ କୋହଳ କରି ୩୦ ପ୍ରତିଶତ କରିଥିଲେ ଏବଂ ଉକ୍ତ ୩୦ ପ୍ରତିଶତରୁ ବି କମ୍ ମାର୍କ ରଖିଥିବା ଛାତ୍ରଙ୍କୁ କାହିଁକି ପାସ୍ କରାଗଲା , ଏହାର ତଦନ୍ତ କରାଯିବା ଆବଶ୍ୟକ ବୋଲି ସେମାନେ କହିଥିଲେ । ବିଷୟ ଗୁଡିକରେ ଥିବା ପ୍ରୋଜେକ୍ଟ ମାର୍କ ମଧ୍ୟ ସ୍କୁଲ କର୍ତୁପକ୍ଷ ଠିକ୍ ଭାବରେ ଦେଇନଥିବା ସେମାନେ ଅଭିଯୋଗ କରିଥିଲେ । ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ ଅଭିଭାବକ ଓ ସ୍କୁଲ କର୍ତୁପକ୍ଷଙ୍କ ସହିତ ଏବାବଦରେ ଆଲୋଚନା କରି , ଉକ୍ତ ଛାତ୍ରୀଛାତ୍ରଙ୍କର ପରୀକ୍ଷା ଖାତା ସେମାନଙ୍କର ଅଭିଭାବକମାନଙ୍କୁ ଦେଖାଇବା ପାଇଁ ସ୍କୁଲ କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ସ୍କୁଲର ପ୍ରିନ୍ସପାଲଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ , ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।