ପରୋପକାରୀ ମହିଳା ହୁନ୍ଦରୀଙ୍କ ଦେହାନ୍ତ
ଆସିକା, (ୱାଇଏନ୍ଏସ୍):ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମ ନିକଟସ୍ଥ ଆର୍ଏଲ୍ଟିଆର୍ଆଇ ଅଞ୍ଚଳର ପରୋପକାରୀ ମହିଳା ରୂପେ ପରିଚିତା ଥିବା ହୁନ୍ଦରୀ ରାଉତ (ବୟସ ପ୍ରାୟ ୮୫ବର୍ଷ)ଙ୍କର ଅସୁସ୍ଥତା କାରଣରୁ ଶୁକ୍ରବାର ପ୍ରତ୍ୟୁଷରେ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି । ଆସିକା ବ୍ଳକ ଅଧୀନସ୍ଥ ବାବନପୁର ଗ୍ରାମର ଜଣାଶୁଣା ପରୋପକାରୀ, ମିଷ୍ଟଭାଷୀ, ମେଳାପୀ, ଆଧ୍ୟାତ୍ମିକପ୍ରେମୀ ମହିଳା ହୁନ୍ଦରୀ ରାଉତଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ବେଳେ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ପରିଚାଳନା ପରିଷଦର ସଭାପତି କାର୍ତ୍ତିକେଶ୍ୱର ପରିଡା, ପରିଚାଳନା ପରିଷଦର ସଦସ୍ୟ ଇଂ ସଚ୍ଚିଦାନନ୍ଦ ରାଉତ, ଆସିକା ଏନ୍ଏସି କାଉନସିଲର ନିଗମାନନ୍ଦ ରାଉତ, ସମାଜସେବୀ ମହେନ୍ଦ୍ର କୁମାର ସ୍ୱାଇଁ, ଡି.ବଦ୍ରିନାଥ ପାତ୍ର, ଆସିକା ସମବାୟ କେନ୍ଦ୍ରବ୍ୟାଙ୍କର ପରିଚାଳନା ପରିଷଦର ସଦସ୍ୟ ପ୍ରମୋଦ କୁମାର ସ୍ୱାଇଁ, ଆଇନଜୀବୀ ରାଘବ କୁମାର ନାହାକ, ସାମ୍ବାଦିକ ସରୋଜ କୁମାର ଦାଶ ଓ ନରେନ୍ଦ୍ର କୁମାର ସାହୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିବା ଜଣାପଡିଛି । ଏକ ଶୋକାକୁଳ ପରିବେଶ ମଧ୍ୟରେ ଆଧ୍ୟାତ୍ମିକପ୍ରେମୀ ତଥା ପରୋପକାରୀ ମହିଳା ହୁନ୍ଦରୀ ରାଉତଙ୍କ ଅନ୍ତିମ ସଂସ୍କାର ଜଗତସିଂହପୁର ଜିଲ୍ଲା ନିକଟସ୍ଥ ଶୋଭା ଗ୍ରାମ ଶ୍ମସାନରେ ସଂପନ୍ନ ହୋଇଥିବା ଜଣାପଡିଛି । ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ପବିତ୍ର ମୋହନ ରାଉତ, ଦିଗ୍ବିଜୟ ରାଉତ, ରଂଜନ କୁମାର ରାଉତ, ପୁତ୍ରବଧୁ କାମିନି ସ୍ୱାଇଁ, ମମତା ରାଉତ, ରତ୍ନମଂଜରୀ ଜେନାଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।