ପର୍ବତ ସୁରକ୍ଷା ଦିବସ
ମାନବ ସମାଜ ପାଇଁ ପ୍ରକୃତିର ବହୁତ ଅବଦାନ ରହିଛି | ଏହିସବୁ ମଧ୍ୟରେ ପର୍ବତ ବା ପାହାଡ଼ର ଅବଦାନ ଅନ୍ୟତମ | ଯେପରିକି ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ ଗଛଲତା, ପ୍ରାଣୀ, ଉଦ୍ଭିଦ, ପାହାଡ଼, ପର୍ବତ ଆଦିର ଭାରସାମ୍ୟ ରକ୍ଷା କରିବାପାଇଁ ମନୁଷ୍ୟର ଭୂମିକା ଅତୁଳନୀୟ ରହିଛି | ଏ ଜଗତର ଭାରସାମ୍ୟ ରକ୍ଷା କରିବାକୁ ହେଲେ ମନୁଷ୍ୟକୁ ସର୍ବପ୍ରଥମେ ସଚେତନ ହେବାକୁ ପଡିବ ତେବେ ଯାଇ ଆମ ପ୍ରକୃତିର ସୌନ୍ଦର୍ଯ୍ୟତାକୁ ରକ୍ଷା କରିହେବ | ପ୍ରକୃତି ଆମ ମନୁଷ୍ୟ ସମାଜକୁ ବହୁତ କିଛି ଦେଇସାରିଲାଣି | ଏବେ ସମୟ ଆସିଛି ଆମେ ଆମ ପ୍ରକୃତିକୁ କିଛି ଦେବା | ଯଦି ଆମେମାନେ ପ୍ରକୃତି ପାଇଁ କିଛି ସଚେତନ ବାର୍ତ୍ତା ନଦେବା ତେବେ ଆଗାମୀ ପିଢ଼ି ପାଇଁ ବହୁତ କଷ୍ଟକର ହୋଇପଡିବ | ତେବେ ଅନ୍ତଃରାଷ୍ଟ୍ରୀୟ ସମୁଦାୟ ପାର୍ବତୀୟ କ୍ଷେତ୍ରର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଏହାକୁ ତ୍ୱରାନ୍ବିତ କରିବା ଉଦ୍ଦେଶ୍ୟରେ ବର୍ତ୍ତମାନ ଜନଚେତନା ସୃଷ୍ଟି କରାଯାଉଛି | ଏହା ସତ୍ୱେ ପାହାଡ଼ ଗୁଡିକରୁ ପଥର ନିଆଯାଇ ସେ ସବୁକୁ ନିଶ୍ଚିହ୍ନ କରି ଦିଆଯାଉଛି | ପୃଥିବୀର ପାଖାପାଖି ୨୨ ଅଂଶରେ ପାହାଡ଼ ରହିଛି |ଯେଉଁଠି ବିଶ୍ୱ ଜନସଂଖ୍ୟାର ୧୩ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି | ପାର୍ବତ୍ୟାଞ୍ଚଳରେ ରହୁଥିବା ଲୋକମାନଙ୍କ ବିକାଶ ଓ ସୁରକ୍ଷା ଉପରେ ସରକାର ଧ୍ୟାନ ରଖିଛନ୍ତି | ଏହା ସତ୍ୱେ ଜୀବିକା ପାଇଁ ପୋଡୁ ଚାଷ ଏବଂ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ଉଦେଶ୍ୟରେ ପାହାଡ଼ ପର୍ବତ ଅଞ୍ଚଳରେ ରହୁଥିବା ଲୋକମାନେ ଜଙ୍ଗଲରେ ନିଆଁ ଲଗେଇ ଦିଅନ୍ତି |ଏହି ନିଆଁ ଲଗା କାମ ପ୍ରାୟତଃ ଜାନୁଆରୀ ମାସରୁ ଆରମ୍ଭ କରି ମଇ ମାସ ଯାଏଁ ଚାଲିଥାଏ | ଏହି ସମୟ ମଧ୍ୟରେ ଜଙ୍ଗଲରୁ ବିଭିନ୍ନ ଫଳ ମୂଳ, କୋଳି, କେନ୍ଦୁ ପତ୍ର, ମହୁଲ, ଶାଳ ମଞ୍ଜି ଆଦି ଲୋକମାନେ ସଂଗ୍ରହ କରନ୍ତି | ଜଙ୍ଗଲକୁ ପରିଷ୍କାର କରିଲେ ଏସବୁ ସଂଗ୍ରହ କରିବା ସୁବିଧାଜନକ ହୋଇଥାଏ କିନ୍ତୁ ଜଙ୍ଗଲରେ ନିଆଁ ଲଗାଇବା ଦ୍ୱାରା ଛୋଟ ଛୋଟ ବର୍ଷା ଦିନିଆଁ ଗଛ, ଘାସ, ଲତା ଆଦି ଶୁଖି ଯାଇଥିବାରୁ ସମଗ୍ର ଜଙ୍ଗଲରେ ନିଆଁ ଲାଗିଯାଏ | ଏହା ଫଳରେ ଜଙ୍ଗଲ ଧ୍ବଂସ ହେବା ସହ ମାଟି ବର୍ଷା ପାଣିରେ ଧୋଇ ହୋଇଯାଏ | ପରବର୍ତ୍ତୀ ସମୟରେ ପର୍ବତ ଗୁଡିକ ପଥୁରିଆ ହୋଇ ସବୁଜିମା ଶୂନ୍ୟ ହୋଇଯାଏ | ଏହିଭଳି ପାହାଡ଼ ଗୁଡିକୁ ପଥର ଖଣି ଭାବରେ କ୍ରସର ମାଲିକ ମାନଙ୍କୁ ଲିଜ ଦିଆଯାଇ ପାହାଡ଼ ଗୁଡିକୁ ନିଶ୍ଚିହ୍ନ କରିବାର ପ୍ରକ୍ରିୟା ଶେଷ କରିଦିଆଯାଏ | ଏହି ପ୍ରକ୍ରିୟାରେ ତିରିଶଟି ଯାକ ଜିଲ୍ଲାର ଅନେକ ପାହାଡ଼ ନିଶ୍ଚିହ୍ନ ହୋଇଯାଇଛି | ନିଆଁ ଲଗାଇ ଜାନୁଆରୀ ମାସ ଠାରୁ ପାହାଡ଼ ଗୁଡିକର ବିଲୁପ୍ତି ପ୍ରକ୍ରିୟା ଆରମ୍ଭ କରାଯାଉଥିବାରୁ ଜାନୁଆରୀ ପହିଲାକୁ ପର୍ବତ ସୁରକ୍ଷା ଦିବସ ଭାବରେ ପାଳନ କରିବା ପାଇଁ ଜନଚେତନା ସୃଷ୍ଟି କରାଯିବା ଆବଶ୍ୟକ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ