ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହଦଗଡ

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ତଥା ବଣଭୋଜି ପାଇଁ ପସିଦ୍ଧି ଲାଭ କରିଛି ହଦଗଡ ଡ୍ୟାମ । ଡ୍ୟାମ ସନିକଟ ବଣଜଂଗଲ ଘେରା ନଦୀ କୁଳଟି ଏବେ ପର୍ଯ୍ୟଟକଙ୍କ ମନ ମୋହୁଛି । ଗୋଟିଏ ପଟେ ଜଳଭଣ୍ଡାରର ବିସ୍ତିର୍ଣ୍ଣ ଜଳରାଶି ଓ ଅନ୍ୟପଟେ ଡ୍ୟାମରୁ ଦୁଇଟି ଫୁକାରରେ ବାହାରୁଥିବା ପାଣି କୁଳୁ କୁଳୁ ନାଦ ଦେଇ ନଦୀରେ ବହିଯାଉଥିବା ବେଳେ ତାର ଦୁଇ ପାଶ୍ୱର୍ରେ ହଜାର ହଜାର ପର୍ଯ୍ୟଟକ ଭିଡ ଜମାଇଛନ୍ତି । ଦୁଇବର୍ଷର କରୋନା କଟକଣା ପରେ ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାରୁ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଲୋକଙ୍କ ଭିଡ ଜମିବାରେ ଲାଗିଛି । ଆଜି ହଦଗଡରେ ହଜାର ହଜାର ପର୍ଯ୍ୟଟକ ଏଠାରେ ବଡଦିନ ପାଳନ କରିବା ସହିତ ବଣଭୋଜିରେ ମସଗୁଲ ଥିବା ଦେଖିବାକୁ ମିଳିଛି । ଆଜି କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ମୟୁରଭଞ୍ଜ ସମେତ ପଶ୍ଚିମବଙ୍ଗରୁ ମଧ୍ୟ ପର୍ଯ୍ୟଟକ ମାନେ ଏଠାକୁ ବଣଭୋଜି ପାଇଁ ଆସିଥିବା ଦେଖିବାକୁ ମିଳିଥିଲା । ହାଟଡିହି ବ୍ଲକ କାର୍ଯ୍ୟାଳୟ ଠାରୁ ୧୮କିଲୋମିଟର ଦୁରତାରେ ରହିଥିବା ହଦଗଡ ଡ୍ୟାମଟି ୧୯୬୮ମସିହାରେ ନିର୍ମାଣ କରାଯାଇ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରାଯାଇଛି । ଡ୍ୟାମ ନିର୍ମାଣ କରାଯିବାପରେ ଡ୍ୟାମର ଦୁଇ ପାଶ୍ୱର୍ର ବଣପାହାଡ ଘେରା ସବୁଜ ପ୍ରାକୃତିକ ପରିବେଶ ଓ ମଝିରେ ଜଳଭଣ୍ଡାରର ନୀଳ ଜଳରାଶି ଅତୀବ ମନୋରମ ହୋଇପଡିଥିଲା । ଯାହାକୁନେଇ ପର୍ଯ୍ୟଟକ ମାନେ ଏହି ଜଳଭଣ୍ଡାର ନିକଟକୁ ବଣଭୋଜି କରିବା ସହିତ ଏହାର ମନୋରମ ପରିବେଶର ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି । ବର୍ଷ ତମାମ ଏଠାରେ ଗହଳି ଲାଗି ରହିଥିବାବେଳେ ଡିସେମ୍ବର ମାସଠାରୁ ଜାନୁୟାରୀ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥାଏ । ବିଶେଷକରି ପଶ୍ଚିମବଙ୍ଗ ଓ ଓଡିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ବଣଭୋଜି କରିବାକୁ ଆସିଥାନ୍ତି । ଜଂଗଲ ବିଭାଗର ସୁଚନା ଅନୁଯାଇ ଗତ୨୦୧୭/୧୮ରେ ଡିସେମ୍ବରରୁ ଫେବୃୟାରୀ ମାସ ଭିତରେ ୧୩୨୦୦ପର୍ଯ୍ୟଟକ ଆସିଥିବାବେଳେ ୨୦୧୮/୧୯ରେ ୧୫୧୨୦ଜଣ ଆସିଥିଲେ । ୨୦୧୯/୨୦ରେ ୧୬ହଜାରରୁ ଉର୍ଦ୍ଧ ପର୍ଯ୍ୟଟକ ଏଠାକୁ ଆସିଥିଲେ । ୨୦୨୦ ଠାରୁ ୨୦୨୧ ପର୍ଯ୍ୟନ୍ତ କରୋନା ଯୋଗୁଁ ପର୍ଯ୍ୟଟନ କ୍ଷେତ୍ର ଭୁଡିକ ବନ୍ଦ ହୋଇଯାଇଥିଲା । ଯାହାଦ୍ୱାରାକି ଏହା ଉପରେ ନିର୍ଭର କରୁଥିବା ଅନେକ ବ୍ୟବସାୟୀ ମାନେ ମଦ୍ୟ କ୍ଷତିଗ୍ରସ୍ଥ ହୋଇଥିଲେ । ଆଜି ଅନେକ ଉଠାଦୋକନୀ ଏଠାରେ ସେମାନଙ୍କ ପସରା ମେଲାଇଥିବା ଦେଖିବାକୁ ମିଳୁଛି । ସେମାନଙ୍କ କହିବକଥା ଯେ ଏବେ ଭଲ ବାର ମାନଙ୍କରେ ଭଲ ଲୋକ ମଧ୍ୟ ହେଉଛନ୍ତି, ସେମାନଙଘ୍କ ବେପାର ମଧ୍ୟ ଭଲ ହେଉଛି । ସେହିପରି ଏତେ ସଂଖ୍ୟକ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ପର୍ଯ୍ରଟନ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇନାହିଁ । କିନ୍ତୁ ହଦଗଡ ପଞ୍ଚାୟତ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୁର୍ବତନ ସରପଞ୍ଚ ମଦନ ମୋହନ ନନ୍ଦିଙ୍କ ନେତୃତ୍ୱରେ ୪୦ରୁ ଉର୍ଦ୍ଧ ଯୁବକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଯୁବକସଂଘର ସଦସ୍ୟ ମାନେ ଗାଡି ପାର୍କିଂ କରିବା ଠାରୁ ଆରମ୍ଭ କରି ଶାନ୍ତି ଶୃଙ୍ଖଳା ପାଇଁ ନିୟୋଜିତ ହୋଇଛନ୍ତି । ସେମାନେ ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହିତ ମଦ୍ୟପ ମାନଙ୍କୁ ପାଟିତୁଣ୍ଡ ନକରିବା ପାଇଁ ବାରଣ କରୁଥିବା ଦେଖିବାକୁ ମିଳିଛି । ସେହିପରି ସୋସୋ ଥାନା ଆଇଆଇସି ମଧ୍ୟ ପୁଲିସ ଫୋର୍ସ ସହିତ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ୱ ଦେଇଛନ୍ତି । କିନ୍ତୁ ଏଠାରେ ପାନୀୟଜଳ, ଶୌଚାଳୟର କୌଣସି ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକ ମାନେ ଅସୁବିଧା ଭୋଗୁଛନ୍ତି । ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଉ ନାହିଁ । ଏଠାରେ ଅତି କମରେ ଦୁଇ ତିନୋଟି ନଳକୂପ ବସାଇବୋ ସହିତ ଦୁଇଟି ଶୌଚାଳୟ ନିର୍ମାଣ କଲେ ପର୍ଯ୍ୟଟକ ମାନେ ଅନେକ ଅସୁବିଧାରୁ ବର୍ତ୍ତି ପାରନ୍ତେ । ଏ ସମ୍ପର୍କରେ ଫକିରପୁରର ବିଷ୍ଣୁପ୍ରୀୟା ପରମାଣିକ, ଭଦ୍ରକର ସୁରେଶ ନାୟକ, କେନ୍ଦୁଝରର ଅର୍ପିତା ପାତ୍ର, ଢ଼େଙ୍କିକୋଟର ଲିପ୍ସା, ଭଦ୍ରକର ଗୀତାଞ୍ଜଳୀ ସାହୁ, କଟକର ଶୁଭମ ଦାସ, ଭଦ୍ରକର ପ୍ରସାନ୍ତ ବେହେରା ପ୍ରମୁଖ ପର୍ଯ୍ୟଟକଙ୍କ କହିବାକଥା ଯେ ଏହାର ପରିବେଶ ଅତ୍ୟନ୍ତ ମନୋମୁଗ୍ଧକର ଓ ବଣଭୋଜି ପାଇଁ ପ୍ରକୃଷ୍ଟ ସ୍ଥାନ । ତେଣୁ ଓଡିଶାର ପର୍ଯ୍ୟଟକ ମାନେ ହଦଗଡ ଆସି ଏହାର ମଜା ନିଅନ୍ତୁ ବୋଲି ସେମାନେ ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ