ପର୍ଯ୍ୟଟନସ୍ଥଳୀ କୋଣାର୍କ ଠାରେ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ୧୪ରେ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ୬ଷ୍ଠ ବାର୍ଷିକ ରାଜ୍ୟସ୍ତରୀୟ ସାହିତ୍ୟ ଆସର, ଆଲୋଚନା ଚକ୍ର, କବିତା ପାଠୋତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଆସନ୍ତା ମେ ୧୪ତାରିଖ ରବିବାର ପୂର୍ବାହ୍ନ ସମୟରେ ଅର୍କଶ୍ରୀ ଶିଳ୍ପୀ ବାଟିକା ପରିସରରେ ଅନୁଷ୍ଠିତ ହେବ। ଖବରରୁ ପ୍ରକାଶ ଯେ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ସାହିତ୍ୟ ଆସର କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଶିଷ୍ଟ ରାଜନେତା ଓ କବି ଶଙ୍କର୍ଷଣ ପରିଡା, ବିଶିଷ୍ଟ କବି ତଥା ରାଜ୍ୟ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ, ବିଶିଷ୍ଟ ଭାଷାବିତ ତଥା ପ୍ରାକ୍ତନ ଯୁଗ୍ମ ସଚିବ ଓଡିଶା ନିର୍ବାଚନ କମିଶନ ଆଜାଦ ହିନ୍ଦ ପାଣିଗ୍ରାହୀ, ପ୍ରଫେସର ଶଶାଙ୍କ ଚୂଡାମଣି, କାକଟପୁର ବିଡିଓ ଡଃ ତୁଷାର ଜ୍ୟୋତିରଞ୍ଜନ, ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ପ୍ରଶାସକ ତଥା ବିଶିଷ୍ଟ କବି , ଭୁବନେଶ୍ବର, କୁମାର କବି ପ୍ରଶାନ୍ତ କୁମାର ବାହିନୀପତି ଓ ବିଶିଷ୍ଟ ବ୍ଯଙ୍ଗ କବି ସମ୍ପଦ କୁମାର ରଥ ପ୍ରମୁଖ ଅତିଥି ଭାବରେ ଯୋଗଦେବା ପାଇଁ ସେମାନଙ୍କ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମର ଦ୍ଵିତୀୟପର୍ବରେ ଅତିଥି ଭାବରେ କୁମାର କବି ପ୍ରଶାନ୍ତ କୁମାର ବାହିନୀପତି, ଗବେଷକ ସୁବାସ ଚନ୍ଦ୍ର ବରାଳ, ବିଶିଷ୍ଟ ପରିବେଶବିତ ଉମେଶଚନ୍ଦ୍ର ସ୍ବାଇଁ, ପ୍ରାଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ, ବିଶିଷ୍ଟ କବି ଓ ପ୍ରଶାସକ ପ୍ରଭାତ ରଞ୍ଜନ ତରାଇ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ ଓ ଝାଡ଼ଖଣ୍ଡର ବିଶିଷ୍ଟ କବି ସତ୍ଯ ପ୍ରକାଶ କର ପ୍ରମୁଖ ଯୋଗଦାନ କରିବା ନିମନ୍ତେ ସ୍ବୀକୃତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଦ୍ଵିତୀୟ ଅଧିବେଶନରେ କବି ଗଙ୍ଗାଧର ଓଝା କାର୍ଯ୍ୟକ୍ରମ ସଂଯୋଜନା କରିବେ ବୋଲି ଅନୁଷ୍ଠାନର ସଂପାଦକ ଭାଗୀରଥୀ ସ୍ଵାଇଁ ପ୍ରକାଶ କରିଛନ୍ତି। ଏହି ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଓ କବିତା ଆସର କାର୍ଯ୍ୟକ୍ରମରେ ଓଡ଼ିଶାର କୋଣ ଅନୁକୋଣରୁ ସଂସ୍କୃତି ପ୍ରେମୀ, ସାହିତ୍ୟିକ, କବି, କବୟିତ୍ରୀ ଓ ଲେଖକମାନେ ଯୋଗଦାନ କରିବା ସହିତ ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ ଭାଗୀରଥୀ ସ୍ଵାଇଁ, ବାର୍ଷିକ ବିବରଣୀ ପାଠ, ଅତିଥି ପରିଚୟ ପ୍ରଦାନ କରିବା ସହ ସଭାପତି ପ୍ରଦୀପ କୁମାର ଛାଟୋଇ କାର୍ଯ୍ୟକ୍ରମରେ ଅଧ୍ଯକ୍ଷତା କରିବେ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ କବି, ଲେଖକ, ସାହିତ୍ୟିକ, ଗବେଷକ ଓ ସଂସ୍କୃତି ବିଶାରଦ ମାନେ ଯୋଗଦାନ କରିବା ପାଇଁ ଅନୁଷ୍ଠାନର ସମ୍ପାଦକ ଭାଗୀରଥୀ ସ୍ଵାଇଁ ନିବେଦନ କରିଛନ୍ତି।