ପର୍ଯ୍ୟାପ୍ତ ପରିମାଣର ସାର ନଥିବା ସଫେଇ ଦେଉଛନ୍ତି ସମ୍ପାଦକ
ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ଚାଷୀଙ୍କ ସ୍ୱାର୍ଥ ପାଇଁ ଗଢା ହୋଇଛି ସମବାୟ ସମିତି ଲିମିଟେଡ୍ I ଚାଷୀଙ୍କୁ ବିହନ ଯୋଗାଇବା ଠାରୁ ଆରମ୍ଭ କରି ସୁଲଭ ମୂଲ୍ୟରେ ସାର ଯୋଗାଇବା, ୠଣ ଯୋଗାଇବା ଏବଂ ଉତ୍ପାଦିତ ଶସ୍ୟକୁ ମଣ୍ଡି ମାଧ୍ୟମରେ ସରକାରୀ ମୂଲ୍ୟରେ ଚାଷୀଙ୍କ ଠାରୁ କିଣିବା ସମବାୟ ସମିତି ଗୁଡ଼ିକର ମୁଖ୍ୟ କାର୍ଯ୍ୟ I କିନ୍ତୁ ରାଜ୍ୟରେ ବହୁ ସମବାୟ ସମିତି ଶାଖାରେ ସମ୍ପାଦକ ମାନଙ୍କ ମନୋମୁଖୀ କାର୍ଯ୍ୟକଳାପ ଯୋଗୁଁ ଶାଖା ଗୁଡ଼ିକ ବର୍ତ୍ତମାନ ଦୁର୍ନୀତିର ଗନ୍ତାଘର ପାଲଟିଥିବା ବେଳେ ଏହାର କୁପ୍ରଭାବ ଭୋଗୁଛନ୍ତି ଗ୍ରାମାଞ୍ଚଳର ନୀରିହ ଗରୀବ ଚାଷୀ ମାନେ I ଏହିପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ଅଞ୍ଚଳରେ I ଚଳିତ ବର୍ଷ ଅନିୟମିତ ବର୍ଷା ଯୋଗୁଁ ବହୁ ଚାଷୀଙ୍କ ଜମି ପଡ଼ିଆ ପଡିଥିବା ବେଳେ ଯେଉଁ ଚାଷୀ ମାନଙ୍କ ଜମିରେ ଧାନ ରୁଆ କାର୍ଯ୍ୟ ସରିଛି ସେମାନେ ସାର ମୁଠାଏ ପାଇଁ ଛଟପଟ ହେଉଛନ୍ତି I ଏହି ଅଞ୍ଚଳର ଚାଷୀ ମାନଙ୍କ ଅଭିଯୋଗ ପ୍ରକାରେ ସମବାୟ ସମିତି ଗୋଦାମ ଘରେ ସାର ବସ୍ତା ଗୁଡ଼ିକରୁ ସାର ବର୍ତ୍ତମାନ ପାଣି ହୋଇ ବୋହିବାକୁ ଲାଗିଥିବା ବେଳେ ସମ୍ପାଦକ ମାନେ କିନ୍ତୁ ଚାଷୀଙ୍କୁ ସାର ବଣ୍ଟନ କରୁନାହାଁନ୍ତି I ଫଳରେ ଚାଷୀ ମାନେ ବାଧ୍ୟ ହୋଇ ନିଜ ଫସଲକୁ ବଞ୍ଚାଇବା ପାଇଁ ଋଣ କରଜ କରି ଖୋଲା ବଜାରରୁ ବସ୍ତା ପିଛା ୭୦୦ ରୁ ଅଧିକା ମୂଲ୍ୟରେ ସାର କିଣୁଛନ୍ତି I ଚାଷୀ ମାନେ ପ୍ରଜ୍ଞା କରୁଛନ୍ତି ଆମକୁ ନଦେଇ ସମ୍ପାଦକ ମାନେ କାହା ସ୍ୱାର୍ଥରେ ଗୋଦାମରେ ସାର ଗଚ୍ଛିତ ରଖି ନଷ୍ଟ କରୁଛନ୍ତି I ଏନେଇ ସମ୍ପାଦକ ମାନଙ୍କୁ ପଚାରିବାରେ ସେମାନେ ସଫେଇ ଦେଇଛନ୍ତି ଯେ ବର୍ତ୍ତମାନ ଗୋଦାମରେ ଗଚ୍ଛିତ ଥିବା ସାର ଅଞ୍ଚଳର ପଞ୍ଜୀକୃତ ଚାଷୀଙ୍କ ପାଇଁ ପର୍ଯ୍ୟାପ୍ତ ନୂହେଁ I ତେଣୁ ଗଚ୍ଛିତ ଥିବା ସାରକୁ ବଣ୍ଟନ କଲେ ତାହା ସମସ୍ତ ଚାଷୀ ପାଇପାରିବେ ନାହିଁଁ I ଫଳରେ ଅପ୍ରୀତିକର ପରିସ୍ଥିତି ସୃ୍ଷ୍ଟି ହୋଇପାରେ I ତେଣୁ ସମସ୍ତ ଚାଷୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ସାର ଆସିଲେ ହିଁ ସମବାୟ ସମିତି ପକ୍ଷରୁ ସାର ବଣ୍ଟନ କରାଯିବ ବୋଲି ସମ୍ପାଦକ ମାନେ ପ୍ରକାଶ କରିଛନ୍ତି I ତେବେ ବିଡମ୍ବନାର ବିଷୟ ହେଉଛି ଯେ ପର୍ଯ୍ୟାପ୍ତ ପରିମାଣର ସାର ଆସିବା ବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହିଯାଇଥିବ I ବର୍ତ୍ତମାନ ସେପ୍ଟେମ୍ବର ମାସ ସରିବାକୁ ବସିଥିବା ବେଳେ ଏହି ସମୟ ହିଁ ଜମିରେ ସାର ପ୍ରୟୋଗ ପାଇଁ ପ୍ରକୃଷ୍ଟ ସମୟ I ତେଣୁ ଚାଷୀ ସମବାୟ ସମିତିରୁ ସାର ନପାଇ ଗାଆଁ ମହାଜନଙ୍କ ଠାରୁ କରଜ କରି ଖୋଲା ବଜାରରୁ ଚଢା ଦର ଦେଇ ସାର କିଣୁଥିବାରୁ ଚାଷୀଙ୍କର ଆର୍ଥିକ ମେରୁଦଣ୍ଡ ଦୂର୍ବଳ ହେବାରେ ଲାଗିଛି I ତେଣୁ ସ୍ଥାନୀୟ ପ୍ରଶାସନ ନୀରିହ ଚାଷୀଙ୍କ ଜୀବନ ଜୀବିକାକୁ ସୁରକ୍ଷା ଦେବା ପାଇଁ ତୁରନ୍ତ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ବହୁ କୃଷକ ନେତା ଦାବି କରିଛନ୍ତି I


