ପର୍ଯ୍ୟାବରଣ ସଂରକ୍ଷଣ ଓ ସମ୍ବର୍ଦ୍ଧନ ପାଇଁ ଆରଏସ୍ଏସ୍ କାମ କରିବ : ଭାୟାଜୀ ଜୋଷୀ
ଗ୍ୱାଲିଅର : ପର୍ଯ୍ୟାବରଣ ସୁରକ୍ଷା ଓ ସଂରକ୍ଷଣ ପାଇଁ ସଂଗଠିତ ଓ ଯୋଜନାବଦ୍ଧ ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛି । ଏଥି ସହିତ ସାମାଜିକ ସମରସତା ପାଇଁ ମଧ୍ୟ ଆହୁରି ଅଧିକ ପ୍ରଭାବି ରୂପରେ କାର୍ଯ୍ୟ କରିବା ପାଇଁ ସ୍ୱୟଂସେବକମାନେ ଆଗ୍ରହ ପ୍ରକାଶ କରିଛନ୍ତି । ସଂଘକାର୍ଯ୍ୟ ଏକ ସୁଦୃଢ ସ୍ଥିତିରେ ପହଂଚି ଯାଇଛି, ଏବେ କାର୍ଯ୍ୟ ବିସ୍ତାର ଦୃଷ୍ଟିରୁ ଏକ ବଡ ପଦକ୍ଷେପ ନେବାର ଆବଶ୍ୟକତା ଅଛି ବୋଲି ଭାୟାଜୀ ଜୋଷୀ ପ୍ରକାଶ କରିଛନ୍ତି ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକ ଗତ ୮ ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ତିନି ଦିନ ଧରି ଅନୁଷ୍ଟିତ ହୋଇଥିବା ଏହି ବୈଠକରେ ସଂଘ କାର୍ଯ୍ୟର ସମୀକ୍ଷା ଏବଂ ସମସାମୟିକ ବିଷୟ ଉପରେ ଚିନ୍ତନ କରାଯାଇଛି ବୋଲି ଶେଷ ଦିନରେ ଅନୁଷ୍ଠିତ ଆଜି ସାମ୍ବାଦିକ ସମ୍ମିଳନୀରେ ସଂଘର ସରକାର୍ଯ୍ୟବାହ ଭାୟାଜୀ ଜୋଷୀ ଏହି ବିଷୟ ପ୍ରକାଶ କରିଛନ୍ତି । ଭାୟାଜୀ କହିଲେ ଯେ, ପ୍ରତିନିଧି ସଭା ବୈଠକରେ ଶବରୀମାଳା ମନ୍ଦିର ପ୍ରକରଣକୁ ନେଇ ପ୍ରସ୍ତାବ ଗୃହୀତ ହୋଇଛି । ଏଥି ସହିତ ଶ୍ରୀ ଗୁରୁ ନାନକଦେବ ଜୀଙ୍କ ୫୫୦ତ୍ତମ ପ୍ରକାଶ ପର୍ବ ଏବଂ ଜାଲିଆନାୱାଲାବାଗର ପ୍ରେରଣାଦାୟୀ ବଳିଦାନ ଶତାବ୍ଦୀ ଉପରେ ବକ୍ତବ୍ୟ ଜାରି କରାଯାଇଛି । ସେ କହିଲେ ଯେ ସଂଘ ଏହିଥର ଏକ ନୂଆ ବିଷୟ ହାତକୁ ନେଇଛି । ଆଜି ସାରା ବିଶ୍ୱ ସମ୍ମୁଖରେ ପର୍ଯ୍ୟାବରଣ ପ୍ରଦ୍ୟୁଷଣ ବିକଟ ସମସ୍ୟା ରୂପରେ ଉପସ୍ଥିତ ହୋଇଛି । ସଂଘ ପର୍ଯ୍ୟାବରଣ ସଂରକ୍ଷଣ ପାଇଁ ସାରା ଦେଶରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିବ । ଏଥିରେ ଜଳ ସମ୍ବର୍ଦ୍ଧନ, ବୃକ୍ଷରୋପଣ ଏବଂ ପ୍ଲାଷ୍ଟିକ- ଥର୍ମୋକୁଲ ମୁକ୍ତ ପର୍ଯ୍ୟାବରଣ ପାଇଁ ସମାଜକୁ ସାଥିରେ ନେଇ କାର୍ଯ୍ୟ କରିବ । ଆଗରୁ ତ ସଂଘର ସ୍ୱୟଂସେବକମାନେ ନିଜ ନିଜ ସ୍ଥାନରେ ପର୍ଯ୍ୟାବରଣ ସଂରକ୍ଷଣ ପାଇଁ କାମରେ ଲାଗିବା ସହ ସମାଜରେ ଜାଗରଣ ମଧ୍ୟ ଆଣିଛନ୍ତି । କିନ୍ତୁ ଏବେ ସଂଘ ସଂଗଠିତ ଓ ଯୋଜନା ବଦ୍ଧ ଭାବେ କାମ କରିବ । ଶ୍ରୀରାମ ମନ୍ଦିର ପ୍ରଶ୍ନର ଉତ୍ତର ଦେଇ ସରକାର୍ଯ୍ୟବାହ କହିଲେ ଯେ, ରାମ ମନ୍ଦିର ନିର୍ମାଣରେ ଆମର ଭୁମିକା ନିଶ୍ଚିତ ଅଛି । ଅଯୋଧ୍ୟାରେ ରାମ ମନ୍ଦିର ହେବ, ସଠିକ୍ ସ୍ଥାନରେ ଏବଂ ସଠିକ୍ ସମୟରେ ହିଁ ହେବ । ମନ୍ଦିର ନିର୍ମାଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ । ନ୍ୟାୟାଳୟ ଦ୍ୱାରା ମଧ୍ୟସ୍ଥତା ସମିତି ଗଠନ ତଥା ଯେକୌଣସି ପ୍ରସ୍ତାବକୁ ସଂଘ ସ୍ୱାଗତ କରୁଛି । ନ୍ୟାୟାଳୟ ଏବଂ ସରକାରଙ୍କ ଠାରୁ ସଂଘ ଅପେକ୍ଷା କରୁଛି ଯେ, ମନ୍ଦିର ନିର୍ମାଣ ପାଇଁ ସୃଷ୍ଟି ହେଉଥିବା ପ୍ରତିବନ୍ଧକକୁ ଯେତେ ଶୀଘ୍ର ହେଉ ଦୁର କରାଯାଉ । ସମିତିର ସଦସ୍ୟ ହିନ୍ଦୁ ଭାବନାକୁ ହୃଦୟଙ୍ଗମ କରି ଆଗକୁ ବଢନ୍ତୁ ବୋଲି ସଂଘ ଆଶା ରଖିଛି । କ୍ଷମତାରେ ଥିବା ଲୋକଙ୍କର ରାମ ମନ୍ଦିରକୁ ବିରୋଧ କରୁନାହାଁନ୍ତି ଏବଂ ତାଙ୍କର ପ୍ରତିବଦ୍ଧତାକୁ ନେଇ ମଧ୍ୟ କୌଣସି ଆଶଙ୍କା ମଧ୍ୟ ନାହିଁ । ପୁଲୱାମା ଆକ୍ରମଣ ପରେ ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଏୟାର-ଷ୍ଟ୍ରାଇକ୍ ସରକାର ଏବଂ ବାୟୁସେନାର ସଠିକ୍ ପଦକ୍ଷେପ ବୋଲି ସରକାର୍ଯ୍ୟବାହ ପ୍ରକାଶ କରି କହିଲେ ଯେ, ପୁରୁଷାର୍ଥ ଏବଂ ସାହସୀ ଦେଶ ଏହି ଭାଷାରେ ଆତଙ୍କବାଦୀଙ୍କୁ ଜବାବ ଦେଇଥାଏ ।
ଯ୩୭୦ଧାରା ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ ଯେ, ୩୫-ଏ କୁ ନେଇ ନ୍ୟାୟାଳୟରେ ମାମଲା ବିଚାରଧିନ । ଅପେକ୍ଷା ଅଛି ଯେ, ସରକାର ଅଧିକ ପ୍ରଖରତାର ସହିତ ନ୍ୟାୟାଳୟରେ ନିଜର ପକ୍ଷ ରଖନ୍ତୁ ଏବଂ ନିର୍ଣ୍ଣୟ ଆସିବା ପରେ ୩୭୦ଧାରା ଉପରେ ନିର୍ଣ୍ଣୟ କରାଯିବ । ନିର୍ବାଚନରେ ସଂଘର ଭୂମିକା ପ୍ରଶ୍ନର ଉତ୍ତରରେ ଭାୟାଜୀ କହିଲେ ଯେ, ସଂଘର ଭୂମିକା ସ୍ପଷ୍ଟ । ଗଣତନ୍ତ୍ରରେ ଭୋଟଦାନ ପ୍ରତି ଜାଗରଣ ଏବଂ ଶତପ୍ରତିଶତ ଭୋଟଦାନ ପାଇଁ ଆମେ ପ୍ରୟାସ କରିବୁ । ଗତବର୍ଷ ସମାଜରେ ଜାଗରଣ ବଢିଛି ଏବଂ ଜାଗ୍ରତ ସମାଜ ଦେଶହିତ ପାଇଁ ମତଦାନ କରିବେ । ଆଜି ସମସ୍ତ ସମାଜ ଏ ବିଷୟ ଚିନ୍ତା କରୁଛନ୍ତି ଯେ, ଦେଶହିତ ପାଇଁ କିଏ କାମ କରିବ । ଜଲ୍ଲିକୁଟ, ଶବରୀମାଳା, ଦୀପାବଳି, ହିନ୍ଦୁପରମ୍ପରାକୁ ନେଇ ନ୍ୟାୟାଳୟର ନିର୍ଣ୍ଣୟ ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ, ସମାଜ ଜୀବନ ସମ୍ବିଧାନ ସହିତ ପରମ୍ପରା, ସଂସ୍କୃତି ଏବଂ ମାନ୍ୟତାକୁ ନେଇ ଚାଲୁଅଛି । ଏହି ପ୍ରକାର ଘଟଣାରେ ସମାଜର ପ୍ରବୃଦ୍ଧଜନଙ୍କ ମାର୍ଗଦର୍ଶନ ନେବା ଉଚିତ । ଆଇନ୍ କାନୁନ କୁ ନେଇ ନିର୍ଣ୍ଣୟ ଦେବା ଅଲଗା କଥା, ସମାଜରେ ଏହା ସ୍ୱୀକାର୍ଯ୍ୟ ହେବା ଏକ ଅଲଗା କଥା । ସମାଜ ହିତ ଜୀବନ ମୂଲ୍ୟ ଏବଂ ସଂସ୍କୃତିର ପ୍ରକାଶରେ ଏହି ଘଟଣା ସମାଧାନ ହେବା ଉଚିତ । ପ୍ରତିନିଧି ସଭାରେ ଶବରୀମାଳା ମନ୍ଦିର ପ୍ରକରଣକୁ ନେଇ ପ୍ରସ୍ତାବ ଗୃହିତ ହୋଇଛି । କିଛି ଅଣଭାରତୀୟ ଶକ୍ତି ହିନ୍ଦୁ ଆସ୍ଥା ଏବଂ ପରମ୍ପରାକୁ ଆହତ ଏବଂ ଅନାଦର କରିବା ପାଇଁ ଯୋଜନାବଦ୍ଧଭାବେ ଷଡଯନ୍ତ୍ର କରୁଛନ୍ତି । ଶବରୀମାଳା ମନ୍ଦିର ପ୍ରକରଣ ଏହି ଷଡଯନ୍ତ୍ରର ସଦ୍ୟତ୍ତମ ଉଦାହରଣ । ଶବରୀମାଳା ମନ୍ଦିର ପ୍ରକରଣରେ ସିପିଏମ୍ ନିଜର କ୍ଷୁଦ୍ର ରାଜନୈତିକ ଲାଭ ଏବଂ ହିନ୍ଦୁ ସମାଜ ବିରୋଧରେ ବୈଚାରିକ ଯୁଦ୍ଧର ଏକ ଅନ୍ୟ ମୋର୍ଚ୍ଚା ଖୋଲିଛି । କେରଳର ମାର୍କ୍ସବାଦୀ ସରକାର କାର୍ଯ୍ୟକଳାପ ଆୟାପ୍ପା ଭକ୍ତଙ୍କୁ ମାନସିକ ଆଘାତ ଦେଇଛିା ନାସ୍ତିକ, ଅତିବାଦୀ, ବାମପନ୍ଥୀ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ପଛ ଦ୍ୱାର ଦେଇ ମନ୍ଦିର ମଧ୍ୟରେ ପ୍ରବେଶ କରାଇ ଭକ୍ତଙ୍କ ଭାବନାକୁ ଗଭୀର ଭାବେ ଆହତ କରିଛି । ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କ୍ରୁର, ବିଭତ୍ସ ତଥା ଉତ୍ତେଜନାପୂର୍ଣ୍ଣ ଘଟଣା ଥିଲା, ଯାହାକି କେବଳ ଭାରତର ଜନମାନସକୁ ଉଦ୍ବେଳିତ ତଥା ଆନ୍ଦୋଳିତ କରିଥିଲା କନ୍ତୁ ଏହି ଘଟଣା ବ୍ରିଟିଶ ସାମ୍ରାଜ୍ୟର ମୁଳଦୁଆକୁ ମଧ୍ୟ ଦୋହଲାଇ ଦେଇ ଥିଲା । ଏଥିପାଇଁ ବଳିଦାନର ଏହି ଅମରଗାଥା ଦେଶର କୋଣ ଅନୁକୋଣରେ ପହଂଚାଇବା ଆମ ସମସ୍ତଙ୍କର ଦାୟିତ୍ୱ । ସମ୍ପୂର୍ଣ୍ଣ ସମାଜକୁ ଆହ୍ୱାନ ଯେ ଏହି ଐତିହାସିକ ଅବସରରେ ଅଧିକରୁ ଅଧିକ କାର୍ଯ୍ୟକ୍ରମର ଆୟୋଜନ କରନ୍ତୁ ।
ଶ୍ରୀ ଗୁରୁ ନାନକଦେବ ଜୀ ମହାରାଜ ସତ୍ୟ-ଜ୍ଞାନ, ଭକ୍ତି ଏବଂ କର୍ମ ର ମାର୍ଗ ଦେଖାଇ ଆଧ୍ୟାତ୍ମର ଯୁଗାନୁକୂଳ ଆଚରଣରେ ସମାଜର ଉତ୍ଥାନ ଓ ଆତ୍ମୋଦ୍ୱାରର ମାର୍ଗ ପ୍ରଶସ୍ତ କରିଛନ୍ତି । ଯେଉଁ କାରଣରୁ ଭ୍ରମିତ ଭାରତୀୟ ସମାଜକୁ ଏକାତ୍ମତା ଏବଂ ନବଚୈତନ୍ୟ ପ୍ରାପ୍ତ ହୋଇଛି । ଶ୍ରୀଗୁରୁ ନାନକଦେବ ଜୀ ସନ୍ଦେଶ ଆଜି ମଧ୍ୟ ପ୍ରାସଙ୍ଗିକ । ଆମେ ତାଙ୍କୁ ନିଜ ଜୀବନରେ ଅନୁସରଣ କରିବା ଏବଂ ବିସ୍ତାର କରିବା ।