ପଲସ୍ ପୋଲିଓ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ୨ ବର୍ଷରୁ କମ ସମସ୍ତ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ସମ୍ପୂର୍ଣ୍ଣ ଟିକାରଣକୁ ସୁନିଶ୍ଚିତ କରିବା ଉଦ୍ଦ୍ୟେଶ ନେଇ ଗଜପତି ଜିଲାରେ ମିଶନ ଈନ୍ଦ୍ରଧନୁସ-୨.୦ର ଦ୍ୱିତୀୟ ପର୍ଯ୍ୟାୟ ଚଳିତ ମାସ ଆସନ୍ତା ୬ ତାରିଖରୁ ଆରମ୍ଭ କରାଯିବ । ଏହି ଅବସରରେ ଏକ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲାପାଳ ଅନୁପମ ସାହା ଅଧ୍ୟକ୍ଷତା କରିଥିବାବେଳେ ଏଥିରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଗୋଷ୍ଠି ଓ ସ୍ୱାସ୍ଥ୍ୟ କେନ୍ଦ୍ରର ଜିଲା ଓ ବ୍ଲକସ୍ତରୀୟ ପଦାଧିକାରୀମାନେ ଯୋଗଦେଇଥିଲେ । ଗତ ଡିସେମ୍ବର ମାସ ୨ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ପ୍ରଥମ ପର୍ଯ୍ୟାୟ ମିଶନ ଈନ୍ଦ୍ରଧନୁସର ଟିକାରଣ କାର୍ଯ୍ୟକ୍ରମରେ ମୋଟ ୨୪୬ ଜଣ ଶିଶୁ ଓ ୭୮ ଜଣ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଥିଲା । ସେହିଭଳି ଆସନ୍ତା ୬ ତାରିଖଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ମିଶନ ଈନ୍ଦ୍ରଧନୁସ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଟିକାକରଣ କାର୍ଯ୍ୟକ୍ରମ କରାଯିବ । ଏହି କାର୍ଯ୍ୟକ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଏସ୍.ଏମ୍.ଓ. ସମ୍ବିତ ପ୍ରଧାନ ଉପସ୍ଥିତ ରହି ମିଶନ ଈନ୍ଦ୍ରଧନୁସର ପ୍ରଥମ ପର୍ଯ୍ୟାୟ ଟିକାରଣ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ପ୍ରୋଜେକ୍ଟର ମାଧ୍ୟମରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ମିଶନ ଈନ୍ଦ୍ରଧନୁସର ଟିକାରଣ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଥିବା ଜିଲାପାଳ ଶ୍ରୀ ସାହାଙ୍କୁ ସମ୍ପୂର୍ଣ୍ଣ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମା ଓ ଶିଶୁ ସୁରକ୍ଷା କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ପୁରଣ କରାଯିବା ଉପରେ ଜିଲାପାଳ ଶ୍ରୀ ସାହା ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ପଲସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ-୨୦୨୦ ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା । ଏହି ପଲସ ପୋଲିଓ-୨୦୨୦ କାର୍ଯ୍ୟକ୍ରମ ଚଳିତ ମାସ ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ୫ବର୍ଷରୁ କମ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଯିବ ଜିଲାସ୍ତରୀୟ ବୈଠକରେ ଏହି ସମୀକ୍ଷା କରାଯାଇଥିଲା । ଗତ ମାର୍ଚ୍ଚ ମାସ ୨୦୧୯ରେ ଆୟୋଜିତ ପଲସ ପୋଲିଓ କାର୍ଯ୍ୟକ୍ରମରେ ମୋଟ ୭୭ହଜାର ୭୦୮ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିଲା । ଏଥି ନିମନ୍ତେ ଆବଶ୍ୟକୀୟ ସମସ୍ତ ଉପକରଣ ରହିଥିବା ମଧ୍ୟ ଅବଗତ କରାଯାଇଥିଲା । ଏଥିପାଇଁ ମୋଟ ୫୩୪ଟି ଦଳ ଏବଂ ୨୯ଟି ଭ୍ରାମ୍ୟମାଣ ଦଳ ଏହି ଟିକାରଣ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିବା ଜଣାପଡିଛି । ଏହି ବୈଠକରେ ଜିଲାମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଗୁନୁରାଣୀ ପଟ୍ଟନାୟକ, ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର, ଡାକ୍ତର ଛନ୍ଦା କାନୁନଗୋ, ଜିଲା ପ୍ରକଳ୍ପ କାର୍ଯ୍ୟକ୍ରମ ପରିଚାଳିକା ସୌମ୍ୟାରାଣୀ ଗୌଡ ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।


