ପଲସ ପୋଲିଓ ଟିକାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଅପରାହ୍ନରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶ କ୍ରମେ ପଲସ ପୋଲିଓ ଟିକାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ଃ ଦୁଲାଳସେନ ଜଗଦେବଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ମାର୍ଚ୍ଚ ୩ ରୁ ୫ ତାରିଖରେ ହେବାକୁ ଥିବା ପଲସ ପୋଲିଓ ଅଭିଯାନ ସମ୍ପର୍କରେ ଆଲୋଚନା କରାଯାଇଥିଲା I ଏଥି ନିମନ୍ତେ ଜିଲ୍ଲାରେ ୧୦୬୩ କେନ୍ଦ୍ରରେ ଜନ୍ମରୁ ପାଞ୍ଚ ବର୍ଷ ପିଲାମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବାର ବ୍ୟବସ୍ଥା କରା ଯାଇଅଛି। ୨୧୨୯ ଟି ଟିମ୍ ଗଠନ କରାଯାଇଛି ସେହି ଟିମରେ ୪୨୫୨ ଜଣ କର୍ମୀ ରହି ପିଲାମାନଙ୍କୁ ପୋଲିଓ ବୁନ୍ଦା ଦେବା ସହିତ ୨୦୯ ଜଣ ସୁପରଭାଇଜର କାର୍ଯ୍ୟକୁ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଅଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ମାଇକ୍ ଦ୍ୱାରା ପ୍ରଚାର କରିବା ସହିତ ବେନର, ପୋଷ୍ଟର ଲଗା ଯାଇଅଛି । ଏହା ସହିତ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ କରାଯାଇଛି I ସେହି ଭଳି ବ୍ଲକ୍ ସ୍ତରରେ ମଧ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଭାପତିତ୍ୱରେ ବ୍ଲକ୍ ସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ କରାଯାଇଛି । ୪ ଓ ୫ ତାରିଖ ସ୍ୱାସ୍ଥ୍ୟ କର୍ମଚାରୀମାନେ ଘରକୁ ଘର ବୁଲି ପିଲା ଚିହ୍ନଟ କରି ପିଲାକୁ ପୋଲିଓ ବୃନ୍ଦା ଦେବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ଏନ.ଜି.ଓ ଆଦିଙ୍କୁ ଅଭିଯାନ କୁ ସଫଳ କରିବା ଏବଂ ଟିକାକରଣରୁ କୌଣସି ଶିଶୁ ଯେପରି ବାଦ ନ ପଡନ୍ତି ସେଥି ପ୍ରତି ପଦକ୍ଷେପ ନେବାକୁ ବୈଠକରେ ଅନୁରୋଧ କରାଯାଇଥିଲା I ସୂଚନା ଯୋଗ୍ୟ କି, ଏହି ବୈଠକରେ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ, ବିଭିନ୍ନ ବେସରକାରୀ ଓ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ I