ପଶୁପକ୍ଷୀଙ୍କ ସେବାରେ ସମାଜସେବୀ ପ୍ରତାପ ସାହୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁଁ ସାଧାରଣ ଜନତା ହନ୍ତସନ୍ତ ହେଉଥିବା ବେଳେ କ୍ରମାଗତ ଚାରିଦିନ ଧରି ଭୁବନେଶ୍ୱରରେ ତାପମାତ୍ରା ୪୫ଡିଗ୍ରୀ ଅତିକ୍ରମ କରିଥିବାରୁ ଜନଜୀବନ ବାଧାପ୍ରାପ୍ତ ହେଉଥିବା ବେଳେ ଅଂଶୁଘାତ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଲୋକେ ଘରୁ ବାହାରକୁ ବାହାରିବା ବେଳେ ସାଙ୍ଗରେ ପାଣିବୋତଲ, ଛତା, ଟୋପି ଆଦି ସାଙ୍ଗରେ ନେଇ ଯିବାକୁ ପଡୁଛି । ସେହିପରି ପଥଚାରୀଙ୍କ ଶୋଷ ମେଣ୍ଟାଇବା ପାଇଁ ରାଜଧାନୀରେ ବିଭିନ୍ନ ସ୍ଥାନରେ ଜଳଛତ୍ରମାନ ଖୋଲାଯାଇଛି ଜଳ ପ୍ରଦାନ କରାଯାଉଥିବା ବେଳେ କଥା କହିପାରୁ ନଥିବା ପଶୁପକ୍ଷୀ ନିଜର ଶୋଷ ମେଣ୍ଟାଇବା ପାଇଁ ଡହଳ ବିକଳ ହେଉଛନ୍ତି । ରାସ୍ତାରେ ବୁଲୁଥିବା ବୁଲା ଗୋରୁ, ଗାଈ, ଷଣ୍ଢ, କୁକୁର ଓ ଗୁଣ୍ଡୁଚିମୂଷା ନିଜର ଶୋଷ ମେଣ୍ଟାଇବା ପାଇଁ ଏଗଳିି ସେଗଳି ହୋଇ ବିଫଳ ହେଉଥିବା ବେଳେ ପାରା, ବଣି, ଶୁଆ ଓ କାଉ ଆଦି ପକ୍ଷୀମାନେ ଉଡି ଉଡ଼ି ହାଲିଆ ହୋଇ ଗଛଡ଼ାଳରେ ନିରାଶରେ ବିଶ୍ରାମ ନେବାକୁ ବାଧ୍ୟ ହେଉଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ସମାଜସେବୀ ପ୍ରତାପ ସାହୁ ପଶୁପକ୍ଷୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ।ଶ୍ରୀଯୁକ୍ତ ସାହୁ ରାଜଧାନୀର ବିଭିନ୍ନ ଅଞ୍ଚଳ ଯଥା ଶାସ୍ତ୍ରୀ ନଗର, ବିଧାୟକ କଲୋନୀ, ଖାରବେଳ ନଗର, ନିଳାଦ୍ରୀ ବିହାର, ଡ଼ମଣା, ଡୁମୁଡ଼ୁମା ଓ ସହିଦନଗରରେ ଥିବା ବଡ଼ ବଡ଼ ଗଛର ଡ଼ାଳ ଓ କୋରଡ଼ରେ ପକ୍ଷୀମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପାତ୍ରରେ ପାଣି ରଖିଥିବା ବେଳେ ଗଛତଳ ଛାଇ ଜାଗାରେ ବୁଲା ଗୋରୁ, ଗାଈ, ଷଣ୍ଢ ମାନଙ୍କ ପାଇଁ ମାଟି କୁଣ୍ଡିଆରେ ପାଣି ରଖି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରତାପ ସାହୁଙ୍କ ଏତାଦୃଶ ପଦକ୍ଷେପକୁ ରାଜଧାନୀବାସୀ ସାଧୁବାଦ ଜଣାଇଛନ୍ତି । ଏ ନେଇ ଶ୍ରୀଯୁକ୍ତ ସାହୁ କୁହନ୍ତି, ସାଧାରଣ ମଣିଷକୁ ଶୋଷ ଲାଗିଲେ, ସେ କଣିକରି ହେଉ ବା ମାଗିକରି ହେଉ ବା ନଳକୂପରୁ ପାଣି ନେଇ ନିଜର ଶୋଷ ମେଣ୍ଟାଇ ପାରିବ । ମାତ୍ର ପଶୁପକ୍ଷୀମାନେ କଥା କହିପାରୁ ନଥିବାରୁ ସେମାନେ ନିଜର ଶୋଷ ମେଣ୍ଟାଇବା ପାଇଁ ବୁଲି ବୁଲି ବିଫଳ ହୋଇଥାନ୍ତି ଏବଂ ଅନେକ ପଶୁପକ୍ଷୀ ମୃତ୍ୟୁବରଣ ମଧ୍ୟ କରିଥାନ୍ତି । ତେଣୁ ସେମାନଙ୍କ ଶୋଷ ମେଣ୍ଟାଇବା ପାଇଁ ବିଭିନ୍ନ ଜାଗାରେ ପାଣିପାତ୍ର ମାନ ରଖିଲେ, ଏହି ପଶୁପକ୍ଷୀମାନେ ନିଜର ଶୋଷ ମେଣ୍ଟାଇ ପାରିବେ । ଏଥି ସହିତ ଶ୍ରୀଯୁକ୍ତ ସାହୁ ରାଜଧାନୀବାସୀଙ୍କୁ ପଶୁପକ୍ଷୀଙ୍କ ଉଦ୍ଦେଶ୍ୟରେ ନିଜର ଛାତ ଉପରେ, ଅଗଣାରେ ପାଣିପାତ୍ର ମାନ ରଖିବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ