ପଶ୍ଚିମବଙ୍ଗ ହିଂସା ରାଜ୍ୟପାଳ ଡାକିଲେ ସର୍ବଦଳୀୟ ବୈଠକ
କୋଲ୍କାତା (ଏଜେନ୍ସି): ପଶ୍ଚିମବଙ୍ଗରେ ଦେଖାଦେଇଥିବା ନିର୍ବାଚନ ପରବର୍ତ୍ତୀ ହିଂସା ଥମିବାର ନା ଧରୁନାହିଁ । ଏହି ପରିପ୍ରେକ୍ଷୀରେ ରାଜ୍ୟର ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ଶୁକ୍ରବାର ରାଜଭବନଠାରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଏହି ବୈଠକକୁ ସେ ରାଜ୍ୟର ୪ ପ୍ରମୁଖ ରାଜନୈତିକ ଦଳର ନେତାଙ୍କୁ ଡକାଇଥିଲେ ମଧ୍ୟ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି) କେହି ବୈଠକକୁ ପ୍ରତିନିଧି ପଠାଇବ ନାହିଁ । ରାଜ୍ୟପାଳଙ୍କ ଦ୍ୱାରା ଡକାଯାଇଥିବା ବୈଠକକୁ ବର୍ଜନ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ରାଜ୍ୟପାଳ ବିଜେପି ପକ୍ଷରୁ ଏଭଳି ବୈଠକ ଡକାଇଛନ୍ତି । ରାଜ୍ୟପାଳ ମଧ୍ୟ ଆମକୁ ଏହି ବୈଠକରେ ଯୋଗ ଦେବାକୁ ଡାକିଛନ୍ତି । କିନ୍ତୁ ରାଜ୍ୟପାଳ ଭୁଲିଯିବା ଉଚିତ ନୁହେଁ ଯେ, ଆଇନ୍ ଶୃଙ୍ଖଳା ପରିସ୍ଥିତି ହେଉଛି ରାଜ୍ୟର ବିଷୟ । ଏହା ରାଜ୍ୟପାଳଙ୍କ ଦାୟିତ୍ୱ ପର୍ଯ୍ୟାୟ ଭୁକ୍ତ ନୁହେଁ । ପ୍ରକାଶ ଯେ, ନିର୍ବାଚନ ହେଉଥିବା ସମୟଠାରୁ ଫଳ ପ୍ରକାଶ ପାଇବା ପର ସମୟ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଲାଗିରହିଛି । ଏଥିରେ ଅନେକ ରାଜନୈତିକ କର୍ମୀ ମୃତାହତ ହେଲେଣି । ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟପାଳ ଗତ ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଆଲୋଚନା କରିଛନ୍ତି । ନୂଆଦିଲ୍ଲୀରୁ ଫେରିବା ପରେ ରାଜ୍ୟପାଳ ତ୍ରିପାଠୀ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଶୁକ୍ରବାର ବସିବାକୁ ଥିବା ଏହି ବୈଠକକୁ ରାଜଭବନ ପକ୍ଷରୁ ଶାସକ ତୃଣମୂଳ କଂଗ୍ରେସ, ବିରୋଧୀ କଂଗ୍ରେସ, ବିଜେପି ଓ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ପ୍ରତିନିଧିଙ୍କୁ ଡକାଯାଇଛି । ରାଜ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିସ୍ଥିତି ଫେରାଇ ଆଣିବା ପାଇଁ ରାଜ୍ୟପାଳ ଏହି ବୈଠକରେ ଆଲୋଚନା କରିବାକୁ ଚାହାନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ସର୍ବଦଳୀୟ ବୈଠକକୁ ଭିନ୍ନଭାବେ ଚିତ୍ରଣ କରିଛନ୍ତି ।
ମମତା ଗୁରୁବାର କହିଛନ୍ତି ଯେ, ସେମାନେ (ରାଜ୍ୟପାଳ) ବିଜେପିର ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି । ସର୍ବଦଳୀୟ ବୈଠକ ଡାକିବାକୁ ବିଜେପି ତାଙ୍କୁ କହିଛି । ତେଣୁ ସେ ଏହି ବୈଠକ ଡକାଇଛନ୍ତି । ରାଜ୍ୟପାଳ ମଧ୍ୟ ମତେ ଡକାଇଥିଲେ । ମାତ୍ର ମୁଁ ତାଙ୍କୁ ଯିବି ନାହିଁ ବୋଲି ସ୍ପଷ୍ଟ ଭାବେ କହିଦେଇଛି । କେଶରୀନାଥଙ୍କୁ ମମତା ଜଣାଇ ଦେଇଛନ୍ତି ଆପଣ ରାଜ୍ୟପାଳ, ଆମେ ଏକ ନିର୍ବାଚିତ ସରକାର, ତା’ଛଡ଼ା ଆଇନ୍ ଶୃଙ୍ଖଳା ହେଉଛି ରାଜ୍ୟର ବିଷୟ । ରାଜ୍ୟପାଳଙ୍କର ନୁହେଁ । ରାଜ୍ୟପାଳ ଯଦି ଚା’ପାନ ପାଇଁ ଡକାଇ ଶାନ୍ତି ଆଲୋଚନା କରିଥାନ୍ତେ ତେବେ ମୁଁ ମୋର ଜଣେ ପ୍ରତିନିଧିଙ୍କୁ ପଠାଇ ଥାଆନ୍ତି ବୋଲି ମମତା କହିଛନ୍ତି ।