ପହିଲିଭୋଗ
ପୁଷ ପ୍ରବେଶିଲା
ଧରଣୀ ହସିଲା
ସୁବର୍ଣ୍ଣ ଫସଲ ଧରି,
ଲକ୍ଷ୍ମୀ ସଜହେଲେ
ବାପଘର ଯିବେ
ଘେନି ଦାସୀ ପରିଚାରି ।
ଭାଳେଣୀ ପଡିଲା
ଶ୍ରୀମନ୍ଦିରେ କିଏ
ପାଠିଏ ପୌଟି ରାନ୍ଧିବ,
ବଡଖିଆ କୁହେ
ଡର ନାହିଁ କିଏ
ଯଶୋଦା ମାଆ ଆସିବ ।
ବହୁଦିନ ହେଲା
ଖାଇ ନାହିଁ ମୁହିଁ
ମା’ ହାତ ରନ୍ଧା ଖିଚୁଡି,
ପାଚେଡି ସହିତ
କେତେ ପିଠା ମିଠା
ବାତ୍ସଲ୍ଯ ମମତା ପେଡି ।
ଗଲେ ଯାଉ ଲକ୍ଷ୍ମୀ
ବାପଘର ବୁଲି
ମାଆକୁ ଖବର ଦିଅ,
ଗୋପପୁରୁ ସଙ୍ଗେ
ଘେନି ସେ ଆସିବ
ମହଣ ମହଣ ଘିଅ ।
ଛାଣିବ ଅମାଲୁ
ଆରିସା, କାକରା
ବଡଝିଲି, ନଳି, ବଡି,
ବଡା, ଚୁଆପୁଡା
ଲଡୁ, ଗଜା, ମଣ୍ଡା
ଯେତେ ଭୋଗ ନିସଙ୍କୁଡି ।
ତାରା ଦିଶୁଥିବ
କାଉ ନରାବିବ
ମାଆ ଦେବ ଭୋଗ ବାଢି,
ବାତ୍ସଲ୍ଯ ମମତା
ବାସ ବାସୁଥିବ
ସ୍ନେହ ପ୍ରେମ ଶ୍ରଦ୍ଧା ଜଡି ।
ଧନୁ ସଂକ୍ରାନ୍ତିରୁ
ଆରମ୍ଭ ହୋଇବ
ପହିଲିଭୋଗର ନୀତି,
ମକର ସଂକ୍ରାନ୍ତି
ଅନ୍ତେ ଅନ୍ତ ହେଲା
ମାଆ ଲକ୍ଷ୍ମୀ ଆସୁଛନ୍ତି ।
ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ, ବ୍ରହ୍ମଗିରି,ପୁରୀ