ପାଇକ ଆଖଡ଼ା ଏକାଡ଼େମୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେତାବନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ଜାନୁୟାରୀ ୨୩ ତାରିଖ ଦିନ ୧୪ଟି ରାଜ୍ୟର ପ୍ରଜ୍ଞାପନ ମେଢ ସ୍ଥାନ ପାଇଥିବା ବେଳେ ଓଡ଼ିଶାର ପ୍ରଜ୍ଞାପନ ମେଢ ସ୍ଥାନ ପାଇନଥିବାରୁ ଓଡ଼ିଶା ରାଜ୍ୟ ପାଇକ ଏକାଡ଼େମୀ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ସ୍ଥାନ ଦେବା ପାଇଁ ରାଜ୍ୟପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । କାରଣ ଓଡ଼ିଶାର ବୀରତ୍ୱର ପ୍ରତୀକ କୋଣାର୍କର ଘୋଡ଼ା, ସଂସ୍କୃତିର ପ୍ରତୀକ ରାଜରାଣୀ ମନ୍ଦିର ଓ ଓଡ଼ିଶୀ ନୃତ୍ୟ, ଘୁମୁରା ନୃତ୍ୟ ଓ ମହାରୀ ନୃତ୍ୟକୁ ନେଇ ପ୍ରସ୍ତୁତ ପ୍ରଜ୍ଞାପନ ମେଢ ପଞ୍ଚମ ପର୍ଯ୍ୟାୟରେ ଚୟନକର୍ତ୍ତାମାନଙ୍କ ଦ୍ୱାରା ମନୋନୀତ ହୋଇ ଉପଯୁକ୍ତ ସଙ୍ଗୀତ ସଂଯୋଜନା କରିସାରିବା ପରେ କାଟି ଦିଆଯିବା ଦ୍ୱାରା ଏହା ସାଢେ ଚାରିକୋଟି ଓଡ଼ିଆଙ୍କ ମନରେ ଗଭୀର ରେଖାପାତ କରିଥିଲା । କାରଣ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ଓଡ଼ିଶାର କେଉଁ ପ୍ରଜ୍ଞାପନ ମେଢ ସ୍ଥାନ ପାଉଛି ସମଗ୍ର ବିଶ୍ୱରେ ଥିବା ଓଡ଼ିଆମାନେ ଉତ୍ସୁକତାର ସହ ଅପେକ୍ଷା କରିବା ସହିତ ପ୍ରତ୍ୟେକ ଓଡ଼ିଆ ମଧ୍ୟ ଦେଖିବାକୁ ଅପେକ୍ଷା କରିଥାନ୍ତି । ବିଗତ ଦୁଇ ଦୁଇଥର କୌଣସି କାରଣ ନଥାଇ କାଟି ଦିଆଯାଉଥିବାରୁ ଏହା ଓଡ଼ିଶା ପ୍ରତି ବୈମାତୃକ ମନୋଭାବର ଜ୍ୱଳନ୍ତ ନିଦର୍ଶନ ବୋଲି ରାଜଭବନ ସମ୍ମୁଖରେ ଆୟୋଜିତ ବିକ୍ଷୋଭ ସଭାରେ ଚେତାବନୀ ଦେଇ ଏକାଡ଼େମୀର ସଭାପତି ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ । ଏତଦ୍‌ବ୍ୟତୀତ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ମନ୍ତ୍ରୀମାନେ ଓଡ଼ିଶାର ସ୍ୱାଭିମାନ ସୁରକ୍ଷା ପାଇଁ ଦୃଷ୍ଟି ଦେବାକୁ ସେ ମଧ୍ୟ ଅନୁରୋଧ କରିଥିଲେ । କିନ୍ତୁ ସୋମବାର ଦିନ ଘଟଣାଚକ୍ରରେ ଚୟନକର୍ତ୍ତାମାନେ ପୁନର୍ବାର ଏକ ବୈଠକରେ ବସି ଆଉ ଚାରିଗୋଟି ରାଜ୍ୟର ପ୍ରଜ୍ଞାପନ ମେଢକୁ ସ୍ଥାନ ଦେଇଥିବା ସ୍ଥଳେ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ସ୍ଥାନ ଦେଇନଥିବାରୁ ପୁନର୍ବାର ଓଡ଼ିଶାବାସୀଙ୍କ ମନରେ ଗଭୀର ରେଖାପାତ ସୃଷ୍ଟି କରିଛି । ତେଣୁ ରାଜ୍ୟ ପାଇକ ଆଖଡ଼ା ଏକାଡ଼େମୀର ସଭାପତି ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ପୁନର୍ବାର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦାବିପତ୍ର ଦେବା ସହ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ମନ୍ତ୍ରୀମାନେ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ଓଡ଼ିଶାର ପ୍ରଜ୍ଞାପନ ମେଢ କିପରି ସ୍ଥାନ ପାଇବ, ସେଥିପ୍ରତି ଉପଯୁକ୍ତ ଧ୍ୟାନ ଦେବାକୁ ଡଃ ଶ୍ରୀଚନ୍ଦନ ଅନୁରୋଧ କରିଛନ୍ତି । କାରଣ ଆଗାମୀ ଦୁଇ ତିନିଦିନ ମଧ୍ୟରେ ଚୟନକର୍ତ୍ତାମାନେ ଆଉ ଏକ ବୈଠକରେ ବସି ଅନ୍ୟ କେତେକ ରାଜ୍ୟର ପ୍ରଜ୍ଞାପନ ମେଢକୁ ସ୍ଥାନ ଦେବେ ବୋଲି ବିଚାର ବିମର୍ଷ ଚାଲିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ସ୍ଥାନ ଦେବା ପାଇଁ ଡଃ ଶ୍ରୀଚନ୍ଦନ ଦୃଢ ଦାବି କରିବା ସହିତ ଯଦି ଓଡ଼ିଶାର ପ୍ରଜ୍ଞାପନ ମେଢ ସ୍ଥାନ ନପାଏ ସମଗ୍ର ରାଜ୍ୟରେ ବିପ୍ଲବର ନିଆଁ ଜଳିବ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ