ପାଇକ ବିଦ୍ରୋହର ମୁଖ୍ୟ କର୍ଣ୍ଣଧାର ଥିଲେ ବକ୍ସି ଜଗବନ୍ଧୁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ମିଳିତ ପାଇକ ସଂଗଠନ ପକ୍ଷରୁ ସ୍ଥାନୀୟ କଳ୍ପନା ଛକସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ୧୯୩ତମ ଶ୍ରାଦ୍ଧ ତଥା ବଳିଦାନ ଦିବସ ଅବସରରେ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ କହିଥିଲେ ଯେ, ପାଇକ ବିଦ୍ରୋହର ମହାନ ଯୋଦ୍ଧା, ଅଦମ୍ୟ ସାହସୀ, ମହାନ୍ ଦେଶପ୍ରେମୀ ତଥା ମୁଖ୍ୟ କର୍ଣ୍ଣଧାର ଥିଲେ ବକ୍ସି ଜଗବନ୍ଧୁ । ସମଗ୍ର ପାଇକ ଜାତିକୁ ଏକତ୍ରିତ କରି ଯୋଜନା ସହ ଉତ୍ତମ ରଣକୌଶଳ ପ୍ରଦର୍ଶନ ପୂର୍ବକ ଇଂରେଜମାନଙ୍କୁ ଭୟଭୀତ କରାଇବା ସହିତ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମିଳିତ ପାଇକ ସଂଗଠନ ପକ୍ଷରୁ ଦିଲ୍ଲୀପ ଶ୍ରୀଚନ୍ଦନ, ଅଭିଯାନର ସଂଯୋଜକ ନାରାୟଣ ଓଝା, ରୋହିତ କୁମାରଙ୍କ ସହିତ ପାଇକ ସଂଗଠନର ଦାୟାଦ ତଥା ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବା ସହିତ ସ୍ମୃତିଚାରଣ କରିବା ସହିତ ୧୮୧୭ ମସିହା ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାପାଇଁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହା ସହିତ ବକ୍ସିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।