ପାଇଖାନାରେ ପିଲା, ସ୍କୁଲରେ ତାଲା, ଚାକିରୀ ଗଲା

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ସ୍କୁଲ କ୍ୟାମ୍ପସରେ କେତେ ସୁରକ୍ଷିତ ପିଲା ? ବାଲେଶ୍ୱର ଜିଲ୍ଲାରେ ଏକ ସ୍କୁଲରେ ଜଣେ ପିଲାକୁ ତାଲା ପକାଇବା ପରେ ଏମିତି ଚିନ୍ତା ପ୍ରତ୍ୟେକ ଅଭିଭାବକଙ୍କୁ ଘାରିଛି । ଅନ୍ୟପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସସ୍ପେଣ୍ଡ କରିଛନ୍ତି । ବାଲେଶ୍ୱର ସହର ମଠସାହିର ସାକର ହାଁସଦାଙ୍କ ପୁଅ ମହାବୀର ନୋଡାଲ ସ୍କୁଲକୁ ପାଠ ପଢିବାକୁ ଯାଇଥିଲେ । ଛୁଟି ହେବାର କିଛି ସମୟ ପୂର୍ବରୁ କ୍ଲାସରୁମ୍ରେ ବହିବସ୍ତାନୀ ରଖି ପିଲାଟି ଏକୁଟିଆ ପାଇଖାନା ଯାଇଥିଲେ । ତାହାରି ଭିତରେ ଛୁଟି ହୋଇଯାଇଥିଲା । ସମସ୍ତେ ଯିଏ ଯାହାର ଘରକୁ ଚାଲି ଯାଇଥିଲେ । ଶେଷରେ ସ୍କୁଲ ପିଅନ ଆସି ତାଲା ପକାଇ ଚାଲି ଯାଇଥିଲେ ଘରକୁ । ସଂପୃକ୍ତ ଛାତ୍ର ଜଣକ ପାଇଖାନାରୁ ବାହାରି ଦେଖନ୍ତି, ଚାରିଆଡେ ଶୂନ୍ଶାନ୍ ପରିବେଶ । ଦୀର୍ଘ ସମୟ ଧରି ଖୋଜାଖୋଜି କଲା ସମସ୍ତଙ୍କୁ । କିନ୍ତୁ କାହାକୁ ନପାଇ ଗେଟ୍ ପାଖକୁ ଆସି ରାହାଧରି କାନ୍ଦିଲା । ଘଣ୍ଟାଏ ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇଥିଲା ପିଲାଟି । ଏଠି ପ୍ରଶ୍ନ ଉଠୁଛି, ଏତେବଡ ସ୍କୁଲରେ କ୍ଲାସରୁମ୍ କି ପାଇଖାନା ଯାଞ୍ଚ ନକରି କେମିତି ଗେଟ୍ରେ ତାଲା ମାରି ଛୁ ମାରିଲେ ପିଅନ । ପିଲାଟି ପାଇଖାନା ଯାଇଥିବା ସମ୍ପର୍କରେ ସେ କେମିତି ଜାଣିପାରିଲେନି? ଯଦି ଜାଣିଥିଲେ, ତେବେ କାହିଁକି ତାଲା ପକାଇଲେ? ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ କିନ୍ତୁ ଅଜବ ଯୁକ୍ତି ବାଢିଛନ୍ତି । କହିଛନ୍ତି ପିଲାଙ୍କୁ ନେବା ପାଇଁ ଅଭିଭାବକମାନେ ବିଳମ୍ବ କରୁଥିବାରୁ ପ୍ରତିଦିନ ଜଣେ ଦୁଇ ଜଣଙ୍କୁ ଏମିତି ତାଲା ପକାଇ ରଖାଯାଏ । ରାସ୍ତା କଡ ସ୍କୁଲ ହୋଇଥିବାରୁ ଅଭିଭାବକ ଆସିଲେ ହିଁ ପିଲାଙ୍କୁ ଛଡାଯାଏ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ପ୍ରତିମା ମହାପାତ୍ର କହିଛନ୍ତି । ସେପଟେ ଖବର ପ୍ରସାରଣ ପରେ ବିଭାଗୀୟ ନିର୍ଦ୍ଦେଶ କ୍ରମେ ସ୍କୁଲକୁ ଯାଇ ଅନୁଧ୍ୟାନ କରିଥିଲେ ବିଇଓ ଓ ସିଆରସିସି । ସେମାନଙ୍କଠାରୁ ରିପୋର୍ଟ ପାଇବା ପରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ପ୍ରତିମା ମହାପାତ୍ରଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ବିଇଓ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ