ପାଇଖାନା ଅନୁଦାନ ହରିଲୁଟ, ବିଡିଓଙ୍କ ନିକଟରେ ଅଭିଯୋଗ କଲେ ହିତାଧିକାରୀ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ସରକାର ସ୍ୱଚ୍ଛ ଭାରତ ଯୋଜନାରେ ପ୍ରତି ପରିବାରକୁ ଶୌଚାଳୟ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେଉଥିବାବେଳେ ହାଟଡିହି ବ୍ଲକରେ ବ୍ୟାପକ ହରିଲୁଟ ହେଉଥିବା ଅଭିଯୋଗ ହେଉଛି । ପୁର୍ବରୁ ହଦଗଡ, ପଢ଼ିଆରିପଲ୍ଲି, ମରୈଗାଁ ଆଦି ପଞ୍ଚାୟତରେ ପାଇଖାନା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ପରେ ଏବେ ବଡରମ୍ପାସ ପଞ୍ଚାୟତରେ ସମାନ ଧରଣର ଅଭିଯୋଗ ଆସିଛି । ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ନୁଆରମ୍ପାସ ଗ୍ରାମର କିଛି ବ୍ୟକ୍ତିଙ୍କ ପାଇଖାନା ନିର୍ମାଣ ହୋଇ ନଥିବାବେଳେ ତାଙ୍କ ନାମରେ ପାଇଖାନା ହୋଇଥିବା ଦର୍ଶାଇ ସ୍ୱଚ୍ଛ ଭାରତ ଅନୁଦାନ ରାଶିକୁ ଉଠାଇ ନିଆଯାଇଛି ବୋଲି ଅଭିଯୋଗ ହୋଇଛି । ସେହିପରି ଆଉ କିଛି ହିତାଧିକାରୀ ନିଜେ ପାଇଖାନା ନିର୍ମାଣ କରିଥିଲେ ବି ତାଙ୍କ ଅନୁଦାନକୁ ହଡପ କରିନିଆଯାଇଛି ବୋଲି ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ନୁଆରମ୍ପାସ ଗ୍ରାମର ଦାମୋଦର ଜେନା, ନାରାୟଣ ପଣ୍ଡା, ବିଟି ମୁଣ୍ଡା, ସୁରେନ୍ଦ୍ର ଓଝା, ରାଜେନ୍ଦ୍ର ଜେନା, ଗୌରାଙ୍ଗ ସେନାପତି, ସୁଶାନ୍ତ ପଣ୍ଡା, ହରେକୃଷ୍ଣ ବାରିକ ପ୍ରମୁଖ ଅନେକ ବ୍ୟକ୍ତିଙ୍କର ପାଇଖାନା ନିର୍ମାଣ ହୋଇ ନଥିଲେ ମଧ୍ୟ ତାଙ୍କ ଗ୍ରାମର ଜଣେ ବ୍ୟକ୍ତି ସେମାନଙ୍କ ନିକଟରୁ ଆଧାରକାର୍ଡ ମାଗିଆଣି ତାଙ୍କ ନାମରେ ପାଇଖାନା ନିମାଣ କରିଥିବା ଦର୍ଶାଇ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ସେମାନଙ୍କ ପାଇଖାନା ଟଙ୍କା ଉଠାଇ ନେଇଛି । ଏପରିକି ଦୁଇଜଣ ବ୍ୟକ୍ତି ନିଜ ଟଙ୍କାରେ ପାଇଖାନା ନିର୍ମାଣ କରିଥିଲେ ମଧ୍ୟ ସେମାନଙ୍କ ଅନୁଦାନ ଟଙ୍କା ଉଠାଇ ନେଇଥିବା ହିତାଧିକାରୀ ମାନେ ଆଜି ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ବ୍ଲକ ସହକାରୀଯନ୍ତ୍ରୀଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ଉତ୍ସବ ଚନ୍ଦ୍ର ଜେନା ସୁଚନା ଦେଇଛନ୍ତି ।