ପାଇଖାନା ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ୱଚ୍ଛଭାରତ ମିସନ୍ରେ ନିର୍ମାଣ ହୋଇଥିବା ପାଇଖାନାର ତଦାରଖ ନିମନ୍ତେ ଏକ କେନ୍ଦ୍ରୀୟ ଟିମ୍ ବୁଧବାର ଛତ୍ରପୁରରେ ପହଞ୍ଚିଛନ୍ତି । କେନ୍ଦ୍ର ସରକାରଙ୍କ ଜଳଜୀବନ ମିସନ୍ର ଉପ ମହାନିର୍ଦ୍ଦେଶକ ହିରଣ୍ୟ ବୋରାହ ଓ ଉପ ନିର୍ଦ୍ଦେଶକ ଧର୍ମେନ୍ଦ୍ର କୁମାର ଆଜି ଛତ୍ରପୁର ବ୍ଲକର ଏ.ତୋଟାପଲ୍ଲୀ ଓ ବଣବୁଲାପଲ୍ଲୀ ଗ୍ରାମକୁ ପରିଦର୍ଶନ କରି ପାଇଖାନା ଗୁଡିକର ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ମିସନ୍ରେ ବଣବୁଲାପଲ୍ଲୀ ଗ୍ରାମରେ ୨୫୮ ଟି ପାଇଖାନା ଏବଂ ଏ.ତୋଟାପଲ୍ଲୀ ଗ୍ରାମର ୧୫୪ ଟି ପାଇଖାନା ନିର୍ମାଣ ହୋଇଛଇ । ପାଇଖାନା ନିର୍ମାଣ ହେବା ପରଠୁ ଏହାକୁ ସଠିକ୍ ଭାବେ ହିତାଧିକାରୀମାନେ ବ୍ୟବହାର କରୁଥିବା ନେଇ କେନ୍ଦ୍ରୀୟ ଟିମ୍ ପରିଦର୍ଶନ ଓ ଅନୁଧ୍ୟାନରୁ ଜାଣିପାରିଥିଲେ । ଏଥିସହ ଗ୍ରାମବାସୀଙ୍କ ସହ କେନ୍ଦ୍ରୀୟ ଟିମ୍ ଆଲୋଚନା କରି ସନ୍ତୋଷ ହୋଇଥିଲେ । ଉଭୟ ଗ୍ରାମର ହିତାଧିକାରୀଙ୍କୁ କେନ୍ଦ୍ରୀୟ ଟିମ୍ ପ୍ରଶଂସା କରିବା ସହ ପ୍ରଶଂସା ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ପରେ ଏହି ଟିମ୍ ଫେରିବା ବେଳେ ଗ୍ରାମବାସୀଙ୍କ ଠାରେ ନିଜର ଖୁସି ଜାହିର କରିଥିବା ନେଇ ଗ୍ରାମର ପରିଦର୍ଶିକା ଖାତାରେ ଦସ୍ତଖତରେ ଉଲ୍ଲେଖ କରିଥିଲେ । ସ୍ୱଚ୍ଛଭାରତ ମିସନ୍ରେ ଓଡିଶା ରାଜ୍ୟର ପାଇଖାନା ଗୁଡିକର ସ୍ଥିତି ଅନୁଧ୍ୟାନ କରିବାକୁ ୫ ଦିନିଆ ଗସ୍ତରେ ଆସିଥିବା ଏହି କେନ୍ଦ୍ରୀୟ ଟିମ୍ ଆଜି ଛତ୍ରପୁରରେ ପହଞ୍ଚିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ରମେଶ ପଣ୍ଡା, ଜିଲ୍ଲା ସଂଯୋଜକ ମହେଶ କୁମାର ତରାଇ, ଛତ୍ରପୁର ବ୍ଲକ କନିଷ୍ଠ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ସାହୁ ଓ କମଳ ନାୟକ, ଶେରଗଡ ବ୍ଲକ କନିଷ୍ଠ ଯନ୍ତ୍ରୀ ଶାଶାଙ୍କ ଶେଖର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।


