ପାଇଖାନା ଅର୍ଥ ହଡପ ମାମଲା : ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ମହିଳା ମାନେ

ଛତ୍ରପୁର, (ଦେବଦତ୍ତ ମହାରଣା) :-ମୋ ପାଇଖାନା ମୋ ସ୍ୱାଭିମାନ ଯୋଜନାର ବାଟବଣା ସହ ଅର୍ଥ ହଡପର ତଦନ୍ତ ଓ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ନେଇ ବୁଧବାର ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ଗିରିସୋଲା ଗ୍ରାମର ଏଲାମ୍ମା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ବହୁ ସଦସ୍ୟା ମାନେ ଗଞ୍ଜାମ ଜିଲ୍ଲାପାଳବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟିଲେ । ଏହା ସହ ଏଲାମ୍ମା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ତତ୍ ସଙ୍ଗେ ଜିପିଏଲପିର ଏମବିକେଙ୍କ ଦ୍ୱାରା ହୋଇଥିବା ଅର୍ଥ ହଡପ ତୁରନ୍ତ ତଦନ୍ତ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସେମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଲାମ୍ମା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ତତସଙ୍ଗେ ଗିରିସୋଲା ଜିପିଏସପିର ଏମବିକେ ମୋ ପାଇଖାନା ମୋ ସ୍ୱାଭିମାନ ଯୋଜନାର ଅର୍ଥ ହଡପ କରିବା ମନ୍ଦ ଉଦ୍ଦେଶ୍ୟ ରଖି ସମ୍ପାଦିକାଙ୍କୁ ବହିଷ୍କାର କରି ଆଉ ଜଣେ ମହିଳାଙ୍କୁ ସମ୍ପାଦିକା ଭାବେ ରଖି ୯୧୦ ଗୋଟି ପାଇଖାନା ନିର୍ମାଣ କରିଥିବା ଦର୍ଶାଇ ପ୍ରାୟ ୧ କୋଟି ୧୦ ଲକ୍ଷ ଟଙ୍କା ଆତ୍ମସାତ୍ କରିଛନ୍ତି ବୋଲି ମଧ୍ୟ ସେମାନେ ଏକ ଲିଖିତ ସ୍ମାରକପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ଯେ, ଗୋଟିଏ ପରିବାରର ସ୍ତ୍ରୀ ଏବଂ ପୁଅ ନାମରେ ଭୁଲ୍ ଭୁଲ ତଥ୍ୟ ଦେଇ ଦୁଇ ଦୁଇ ଥର ପାଇଖାନା ନିର୍ମାଣ ଅର୍ଥ ଉଠାଣ କରି ଆତ୍ମସାତ୍ କରିଥିବା ଆରଟିଆଇ ତଥ୍ୟରୁ ସ୍ପଷ୍ଟ ଜଣାପଡିଛି । ଜଣେ ହିତାଧିକାରୀଙ୍କ ନାମରେ ୪ ରୁ ୫ ଗୋଟି ପାଇଖାନା ନିର୍ମାଣ କରିଛନ୍ତି । ପୁଣି କାହାର ପୁରୁଣା ପାଇଖାନାକୁ ନୂତନ ଭାବେ ତିଆରି କରିଥିବା ଦର୍ଶାଇଛନ୍ତି ତ ଆଉ କୋଉଠି ଆଦୌ ପାଇଖାନା ତିଆରି ନ କରି ମଧ୍ୟ ତିଆରି କଲାଭଳି ଆମ ସମସ୍ତଙ୍କ ଅଜାଣତରେ ମିଥ୍ୟା ତଥ୍ୟ ଦେଇ ଟଙ୍କା ଆତ୍ମସାତ୍ କରିଛନ୍ତି । ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ନିବାସ କରୁଥିବା ବ୍ୟକ୍ତିଙ୍କୁ ଗିରିସୋଲା ଗ୍ରାମର ବାସିନ୍ଦା ଦର୍ଶାଇ ସେମାନଙ୍କ ନାମରେ ପାଇଖାନା ନିର୍ମାଣ କରିବା ଅର୍ଥ ହଡପ କରିଥିବା ଆରଟିଆଇ ଦ୍ୱାରା ମିଳିଥିବା ପୋଡଶୀ ରାଜ୍ୟ ନିବାସୀ ବ୍ୟକ୍ତିଙ୍କ ଆଧାର କାର୍ଡ ଓ ପାଇଖାନା ବିଲ୍ ରୁ ସ୍ପଷ୍ଟ ପରିଲକ୍ଷିତ ହେଉଛି । ସମ୍ପାଦିକାଙ୍କ ଜାଲ ଦସ୍ତଖତ କରି ଏଲାମ୍ମା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସଂଚୟ ଜମା ଖାତା ନମ୍ବର ୦୧୭୭୧୦୧୦୦୧୯୨୩୩୫ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଗିରିସୋଲା ଶାଖାରୁ ପାଇଖାନା ନିର୍ମାଣ ଅର୍ଥ ଉଠାଣ କରାଯାଇଥିବା ମଧ୍ୟ ସେମାନେ ଅଭିଯୋଗ କରିଥିଲେ । ସରକାରଙ୍କ ସ୍ୱଚ୍ଛତା ପାଇଁ ତୃଣମୁଳ ସ୍ତରରେ କୋଟି କୋଟି ଟଙ୍କା ଜନକଲ୍ୟାଣରେ ଖର୍ଚ୍ଚ କରାଯାଉଥିବା ବେଳେ ସଭାପତିଙ୍କ ଏଭଳି ଦୁର୍ନିତି ଆମ ଗୋଷ୍ଠୀର ସଦସ୍ୟାଙ୍କ ମନୋବଳ ଭାଙ୍ଗି ଦେଇଛି । ଏଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସଦସ୍ୟା ମନେ ଏହି ସ୍ମାରକ ପତ୍ର ରେ ଦର୍ଶାଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଗିରିସୋଲା ଗ୍ରାମର ଏଲାମ୍ମା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଏସ୍‌. ସାରଦା,ୱାଇ, ସାବିତ୍ରୀ, ଏସ୍‌. ପି. ଭବାନୀ, ୱାଇ ବଣୁଭାଇ, ଏସ୍‌. ରଜନୀ, ବି. ଗୌରୀଙ୍କ ସମେତ ବହୁ ସଦସ୍ୟା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ