ପାକିସ୍ତାନକୁ ପାନେ ୩୫ ଆତଙ୍କୀ ନିପାତ
ଶ୍ରୀନଗର: ଜମ୍ମୁ କଶ୍ମୀର ତଙ୍ଗଧାର ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଭାରତ ମଧ୍ୟ ଆଜି ପାନେ ଦେଇଛି । ପାକିସ୍ତାନର ୬ ସେନା ନିହତ ହୋଇଥିବାବେଳେ ୨୦ରୁ ଅଧିକ ଯବାନ ଆହତ ହୋଇଛନ୍ତି । ପାକିସ୍ତାନ ଭାରତର ଜବାବୀ ଆକ୍ରମଣକୁ ସ୍ୱୀକାର କରିଥିବାବେଳେ ନିହତ ସଂଖ୍ୟା କିନ୍ତୁ କମ୍ କରି କହିଛି । ଏହାପରେ ଦେଶର ଗୃହମନ୍ତ୍ରାଳୟ ହୋଇ ଆଲର୍ଟ ଜାରି କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନା ପ୍ରମୁଖ ବିପିନ୍ନ ରାୱତଙ୍କ ସହ ସମ୍ପର୍କରେ ରହିଥିବା ଜଣାପଡ଼ିଛି । ଭାରତର ଏହି ଆକ୍ରମଣ ବାବଦରେ ପ୍ରତିକ୍ରିୟା ଦେଇ ବିପିନ୍ନ ରାୱତ କହିଛନ୍ତି ପାକିସ୍ତାନର ୬ରୁ ୧୦ ଯବାନ ନିହତ ହୋଇଛନ୍ତି । ପିଓକେରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତ ଆକ୍ରମଣ କରି ୩୫ ଆତଙ୍କବାଦୀଙ୍କୁ ନିପାତ କରିଥିବା ଜଣାପଡ଼ିଛି । ଏହି ସମସ୍ତ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନ ଏବଂ ଜୈଶ-ଏ-ମହମ୍ମଦର ବୋଲି ଜଣାପଡ଼ିଛି । ଏଥିସହିତ ୬ରୁ ୧୦ ପାକିସ୍ତାନ ଯବାନ ନିହତ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ଏଥିସହ ପାକ୍ ସେନାର ୩ଟି ଲଞ୍ଚ ପ୍ୟାଡ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି ଭାରତୀୟ ଯବାନ । ଭାରତ ଏହି ଆକ୍ରମଣ କରିବା ବେଳେ ଆର୍ଟିଲରୀ ବନ୍ଧୁକ ବ୍ୟବହାର କରିଥିଲା । ଯାହାକି ଦୂର ଲକ୍ଷ୍ୟକୁ ଟାର୍ଗେଟ କରିବାରେ ସହଯାଗ କରିଥାଏ । ତେବେ ପାକିସ୍ତାନର ସେନା ଅଧିକାରୀ ଟୁଇଟ୍ କରି ଦାବି କରିଛନ୍ତି, ପାକିସ୍ତାନ ସେନାର ଗୁଳିରେ ୯ ଜଣ ଭାରତୀୟ ଯବାନ ନିହତ ହୋଇଛନ୍ତି । ଅନେକ ଆହତ ହୋଇଥିବାବେଳେ ୨ଟି ବଙ୍କର ନଷ୍ଟ ହୋଇଛି । ସେହିପରି ଭାରତୀୟ ଯବାନଙ୍କ ଆକ୍ରମଣରେ ପାକିସ୍ତାନର ଜଣେ ଯବାନ ନିହତ ହୋଇଛନ୍ତି ବୋଲି କହିଥିବାବେଳେ ୩ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ଦାବି କରିଛି । ଏହାପରେ ପାକିସ୍ତାନ ଭାରତର ଡେପୁଟି ହାଇକମିଶନର ଗୌରବ ଆଲୁବାଲିଆଙ୍କୁ ତଲବ କରିଛି । ସକାଳେ ତଙ୍ଗଧାର ସେକ୍ଟରର ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା । ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ତଙ୍ଗଧାର ସେକ୍ଟରର ବୀପରିତ ପାର୍ଶ୍ୱରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା । ପିଓକେରେ ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ଅସ୍ଥାୟୀ ଆତଙ୍କୀ କ୍ୟାମ୍ପ ଖାଲିଥିବା ସୂଚନା ରହିଛି । ଏହି ସ୍ଥାନରୁ ହିଁ ଆତଙ୍କବାଦୀମାନେ ଆସି ଭାରତର ସୀମାରେଖା ଗୁଡ଼ିକରେ ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଜଣାପଡ଼ିଛି । ଏହାପରେ ଆଜି ଏହି ଆତଙ୍କୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା ଭାରତ । ସେହିପରି ସକାଳେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ବେଳେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି, ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ତିନି ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି । କୁପୱାଡା ଜିଲ୍ଲାର ତଙ୍ଗଧାର ସେକ୍ଟରରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା । ଗତ ସପ୍ତାହରେ ମଧ୍ୟ ବରମୁଲ୍ଲା ଏବଂ ରାଜୋରିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଏଥିରେ ଭାରତର ଦୁଇ ଜଣ ଯବାନ ସହିଦ ହୋଇଥିଲେ । ସୂଚନାଯୋଗ୍ୟ, ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ବଢ଼ିଛି । ଜୁଲାଇରେ ପାକିସ୍ତାନ ୨୯୬ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବାବେଳେ ଅଗଷ୍ଟରେ ୩୦୭, ସେପ୍ଟେମ୍ବରରେ ୨୯୨ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ବୋଲି ଖବର ସରବରାହ ସଂସ୍ଥା ପିଟିଆଇ କହିଛି । ତେବେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ପାକିସ୍ତାନ ମାଟ ୨୦୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରି ସାରିଛି । ଯେଉଁଥିରେ ୨୧ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ଗତମାସ କେନ୍ଦ୍ର ସରକାର ପକ୍ଷରୁ କୁହାଯାଇଥିଲା?


