ପାକିସ୍ତାନରେ ପ୍ରତିବନ୍ଧକ ଏଆଇକୁ ଦୈନିକ ୩ଠଠକୋଟିର କ୍ଷତି
ନୂଆଦିଲ୍ଲୀ, (ଏଜେନ୍ସି): ଫେବ୍ରୁଆରୀରେ ପାକିସ୍ତାନ ପକ୍ଷରୁ ଭାରତ ଯାତାୟାତ କରୁଥିବା ବିମାନ ଉପରେ ଅଙ୍କୁଶ ଲଗାଯାଇଛି । ଏହି କାରଣରୁ ଭାରତର ସରକାରୀ ବିମାନ କମ୍ପାନୀ ଏୟାର୍ ଇଣ୍ଡିଆକୁ ଏଯାବତ୍ ୩୦୦କୋଟି ଟଙ୍କାର କ୍ଷତି ହୋଇସାରିଛି । ଏୟାର୍ ଇଣ୍ଡିଆକୁ ଏଣିକି ଦିଲ୍ଲୀରୁ ୟୁରୋପ, ଉପସାଗରୀୟ ଦେଶ ଓ ଆମେରିକା ଯାଉଥିବା ଲମ୍ବା ଦୂରତା ବିଶିଷ୍ଟ ଫ୍ଲାଇଟ୍ସ ପାଇଁ ବିମାନ ଅଧିକ ବିଳମ୍ବ ପର୍ଯ୍ୟନ୍ତ ଉଡ଼ାଇବାକୁ ପଡ଼ୁଛି । ଯଦ୍ୱାରା ଏୟାର୍ଲାଇନ୍କୁ ପ୍ରତ୍ୟହ ୬କୋଟି ଟଙ୍କାର କ୍ଷତି ହେଉଛି । ପାକିସ୍ତାନର ଏହି ନିଷ୍ପତ୍ତି ପରେ ଦିଳ୍ଲୀରୁ ଉଡ଼ାଣ କରୁଥିବା ବିମାନକୁ ପବନରେ ଅଧିକ ସମୟ ପର୍ଯ୍ୟନ୍ତ ଉଡ଼ାଣ କରିବାକୁ ପଡ଼ୁଛି । ଏହି କଟକଣା କାରଣରୁ ଏୟାର୍ ଇଣ୍ଡିଆକୁ ତେଲ ଖର୍ଚ୍ଚ, କେବିନ୍ ଷ୍ଟାଫ୍ ଖର୍ଚ୍ଚ ଓ ଫ୍ଲାଇଟ୍ସର ସଂଖ୍ୟା କମାଇବା କାରଣରୁ ପ୍ରତ୍ୟହ ୬କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି । ଏହି କ୍ଷତି ପୁରଣ ପାଇଁ ବିମାନ କମ୍ପାନୀ ଏୟାର୍ ଇଣ୍ଡିଆ ନାଗରିକ ବିମାନ ମନ୍ତ୍ରଣାଳୟ ସହିତ ଭରଣ କରିବାକୁ ଦାବି କରିଛି । ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଅନୁସାରେ ଏହି ପ୍ରସଙ୍ଗକୁ ସମ୍ବନ୍ଧିତ ପକ୍ଷ ସମ୍ମୁଖରେ ଉଠାଯାଉଛି । ଫେବ୍ରୁଆରୀ ୧୪ରେ ଜାମ୍ମୁ କାଶ୍ମିରର ପୁଲ୍ୱାମା ସ୍ଥିତ ସିଆର୍ପିଏଫ୍ର ଗାଡ଼ି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପାକିସ୍ତାନ ଭାରତକୁ ଆସୁଥିବା ଓ ଯାଉଥିବା ସମସ୍ତ ବିମାନ ଉପରେ କଟକଣା ଲଗାଇଥିଲେ ।


