ପାକିସ୍ତାନର ଭୟ ୧୬ ପରେ ଭାରତ ପୁଣି ଆକ୍ରମଣ କରିପାରେ

ନୂଆଦିଲ୍ଲୀ(ଏଜେନ୍ସି): ଆସନ୍ତା ୧୬ ତାରିଖରୁ ୨ଠ ତାରିଖ ମଧ୍ୟରେ ଭାରତ, ପାକିସ୍ତାନ ଉପରେ ପୁଣିଥରେ ଆକ୍ରମଣ କରିପାରେ । ତେଣୁ ଆମକୁ ସୀମାରେ ସତର୍କ ଓ ସଜାଗ ରହିବାକୁ ହେବ । ରବିବାର ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶୀ ଦେଇଥିବା ମନ୍ତବ୍ୟରୁ ଏପ୍ରକାର ଏକ ଅନିଶ୍ଚିତ ତଥା ଅଜଣା ଭୟ ପାକିସ୍ତାନ ସରକାରଙ୍କୁ ବ୍ୟଥିତ କରିପକାଉଥିବା ସ୍ପଷ୍ଟ ହୋଇଛି ।
ଶାହ କ୍ୟୁରେଶୀ ଆଜି କହିଛନ୍ତି ଯେ, ତାଙ୍କୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଭାରତୀୟ ସେନା ପାକିସ୍ତାନ ସୀମାରେ ପୁଣିଥରେ ବାଲାକୋଟା ଭଳି ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି । ସମ୍ପ୍ରତି ଭାରତରେ ନିର୍ବାଚନୀ ମାହୋଲ ସରଗରମ୍ ରହିଥିବା ବେଳେ ଶାସକ ଦଳ କୁଆଡେ ଭାରତୀୟ ସେନାକୁୂ ଏପ୍ରକାର ଆକ୍ରମଣ କରିବାକୁ ଅନୁମତି ଦେଇସାରିଛନ୍ତି । ଏପରି କରି ଦେଶବାସୀଙ୍କ ଧ୍ୟାନ ନିଜ ଆଡକୁ କେନ୍ଦ୍ରୀଭୂତ କରିବାକୁ ଶାସକ ଦଳ ଚେଷ୍ଟା କରିବାକୁ ଚିନ୍ତା କରିଛନ୍ତି । ତେବେ ଭାରତର ଏପ୍ରକାର ପ୍ରସ୍ତୁତି ସମ୍ପର୍କରେ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦର ୫ସ୍ଥାୟୀ ସଦସ୍ୟଙ୍କୁ ମଧ୍ୟ ଜଣାଇସାରିଛି ବୋଲି ଶାହା ଆଜି ସୂଚନା ଦେଇଛନ୍ତି । ତେବେ ଶାହଙ୍କର ଏପ୍ରକାର ଭବିଷ୍ୟବାଣୀ ଅମୂଳକ ଏବଂ ମନଗଢ଼ା ବୋଲି ଭାରତ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଫେବୃଆରୀ ୧୪ତାରିଖରେ ପୁଲ୍ୱାମା ଠାରେ ସିଆରପିଏଫ୍ ଯବାନଙ୍କ ଗାଡ଼ିକୁ ଟାର୍ଗେଟ୍ କରି ସଂଘଟିତ ଏକ ଆତ୍ମଘାତୀ ବିସ୍ଫୋରଣରେ ୪ଠ ଯବାନ୍ ସହିଦ୍ ହୋଇଥିଲେ । ଏହାକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାର କିଛି ଦିନ ପରେ ହିଁ ଅର୍ଥାତ ଫେବୃଆରୀ ୨୭ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟା ଅଞ୍ଚଳରେ ଥିବା ଆତଙ୍କୀ ବେସ୍ ଉପରେ ଆକ୍ରମଣ କରିଥିଲା ଏବଂ ଏଥିରେ ୩ଠଠରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଦାବି କରିଥିଲା । ଅନ୍ୟପକ୍ଷେ ପାକିସ୍ତାନ ପଟୁ ସମ୍ପ୍ରତି ଦୈନିକ ଅସ୍ତ୍ର ବିରତି ଉଲ୍ଲଙ୍ଘନ ଓ ଗୁଳିଗୋଳା ବର୍ଷଣ ଜାରି ରହିଛି । ଭାରତୀୟ ସେନା ପାକ୍ ସେନାକୁ ଉଚିତ୍ ଜବାବ ଦେବା ଜାରି ରଖିଥିବା ବେଳେ ସୀମାରେ ଉତ୍ତେଜନା ପ୍ରକାଶ ପାଇଛି । ଏପରି ସ୍ଥିତିରେ ପାକ୍ ବୈଦେଶିକ ମନ୍ତ୍ରୀଙ୍କ ଏପ୍ରକାର ଭିତ୍ତିହୀନ ଅଭିଯୋଗକୁ ବିଶ୍ୱସ୍ତରରେ ଗୁରୁତର ଭାବେ ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ