ପାକ୍ ସରକାରଙ୍କୁ ମାସୁଦ୍ ଧମକ୍ ଜୀବିତ ଅଛି, କେବେ ମରିବି ଆଲ୍ଲାଙ୍କୁ ଜଣା’
ପାକିସ୍ତାନ (ଏଜେନ୍ସି):ପୁଲୱାମା ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଆତଙ୍କୀ ସଂଗଠନ ଜୈଶ୍-ଏ-ମହମ୍ମଦର ମୁଖ୍ୟ ମସୁଦ ଆଝାର ମୃତ୍ୟୁକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି । ସେ ବାସ୍ତବରେ ଜୀବିତ ଅଛି ନା ମୃତ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ନିଜେ ମାସୁଦ୍ ଆଝାର ନିଜର ଏକ ଅଡିଓ ଟେପ୍କୁ ସାର୍ବଜନୀନ କରିଛି । ଏଥିରେ ସେ ଜୀବିତ ଥିବା ଏବଂ ସେ କେବେ ମରିବ ତାହା କେବଳ ଆଲ୍ଲାଙ୍କୁ ଜଣା ବୋଲି ଦର୍ଶାଇଛି । ୧ଠମିନିଟ୍ର ଏହି ଅଡିଓ ଟେପ୍ଟି ଗତ ୪ତାରିଖରେ ରେକର୍ଡ କରାଯାଇଥିବା ଜଣାଯାଇଛି । ଏଥିରେ ମାସୁଦ୍ ପାକ୍ ସରକାରଙ୍କୁ ଧମକ୍ ଦେଇ କହିଛି, ତା’ ସଂଗଠନ ବିରୋଧରେ ଯଦି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ପରିସ୍ଥିତି ଭୟାବହ ହେବ । ଭାରତ ଚାପରେ ଆସି ପାକିସ୍ତାନ ସରକାର ଯଦି ଅନ୍ତର୍ଜାତୀୟ ସମୁଦାୟ ଆଗରେ ମଥାନତ ହୁଅନ୍ତି ତେବେ ପାକ୍ ସରକାରଙ୍କୁ ଭାଙ୍ଗିବାକୁ ତା’କୁୂ ବେଶି ସମୟ ଲାଗିବନି ବୋଲି ସେ ଧମକ୍ ଦେଇଥିବା ସୂଚନା ମିଳିଛି । ମାସୁଦ୍ର ଏପ୍ରକାର ବୟାନରେ ପାକ୍ ସରକାର ଗଠନ ଓ ପତନ କ୍ଷେତ୍ରରେ ମଧ୍ୟ ଆତଙ୍କବାଦୀ ସଂଗଠନର ଭୂମିକା ରହିଥିବା ସ୍ପଷ୍ଟ ହୋଇଯାଇଛି ।