ପାଗଳ କୁକୁର ଆକ୍ରମଣରେ ୫୦ ଆହତ

ବାଲେଶ୍ୱର, (ସରୋଜ ପଣ୍ଡା):ମଶାଙ୍କ ଭଳି ବାଲେଶ୍ୱର ସହରରେ ଦିନ କୁ ଦିନ ବୁଲା କୁକୁରଙ୍କ ଦୈରାତ୍ମ୍ୟ କ୍ରମଣଃ ବୃଦ୍ଧି ପାଇବାରେ ଲାଗିଛି । ଶନିବାର ଏକ ପାଗଳ କୁକୁରର କାମୁଡ଼ାରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଜିଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଆହତମାନଙ୍କର ଚିକିତ୍ସା ଚାଲିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ପିଟି ପିଟି କୁକୁରକୁ ମାରିଦେଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଠାରୁ ଏକ ପାଗଳ କୁକୁର ସହରର ୪, ୬, ୧୧ ଏବଂ ୨ନମ୍ବର ୱାର୍ଡର ବିଭିନ୍ନ ଅଂଚଳରେ ଲୋକମାନଙ୍କୁ ଗୋଡା଼ଇ ଗୋଡ଼ାଇ କାମୁଡ଼ୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଆଜି ସକାଳଠାରୁ ସହରର ଖ୍ୱାଜାବାଗ, ନୁରୁପୁର ରୋଡ, ବାଲୁବଜାର, ପଠାଣ ମହଲ୍ଲା, ଅରଡ଼ ବଜାର ପ୍ରଭୃତି ସ୍ଥାନରେ ଏହି କୁକୁର ଲୋକମାନଙ୍କୁ ଆକ୍ରମଣ କରି ଖଣ୍ଡିଆ ଖବରା କରିଦେଇଛି । କାହାର ହାତ ତ କାହାର ଗୋଡ଼ ଏବଂ ଆଉ କାହାର ଜଙ୍ଘରେ ଏହି କୁକୁର କାମୁଡ଼ିଛି । ବୁଲା କୁକୁରଙ୍କ ବଂଶ ବୃଦ୍ଧି ରୋକିବାକୁ ପୌରପାଳିକା ପକ୍ଷରୁ ପୂର୍ବରୁ କାର୍ଯ୍ୟକାରୀ ବ୍ୟବସ୍ଥା ଦୀର୍ଘଦିନ ଧରି ବନ୍ଦ ହୋଇଥିବା ବେଳେ ସହରରେ କୁକୁରଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ବୁଲା କୁକୁର ଉତ୍ପାତକୁ ରୋକଯିବା ପାଇଁ ପୌରପାଳିକା ପକ୍ଷରୁ ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ତୀବ୍ର ହେବ ବୋଲି ଆହତଙ୍କ ସମ୍ପର୍କୀୟ ତଥା ସାଧାରଣ ଲୋକେ ଚେତାବନୀ ଦେଇଛନ୍ତି । ମଦିନା ବିବି, ସୃଷ୍ଟିଧର ଦେ, ଆୟେସା ବିବି, ସେଖ ସମଦ ଅଲି, ସେଖ କାଦର,ସେଖ ଇଦ୍ରିସ,କମରୁନ ବିବି, ନସିବା ବିବି, ସେଖ ପିଂଟୁ, ସେଖ କାଲା ବାବୁ, ସେଖ ଆମାନୁଲ୍ଲା ପ୍ରମୁଖ ଗୁରୁତର ଭାବେ ଆହତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ