ପାଚିକା ସହାୟିକାଙ୍କ ପ୍ରତି ଅବହେଳା ପ୍ରତିବାଦରେ ରୋଷେଇ ଏବଂ ରେଳ ବନ୍ଦ

ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ୨୦୧୭ ଡିସେମ୍ବର ୪ ରେ ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳୀଙ୍କୁ ଗଣଶିକ୍ଷାମନ୍ତ୍ରୀ ଦେଇଥିବା ପ୍ରତିଶ୍ରୃୁତି ଆଜି ପର୍ଯ୍ୟନ୍ତ ପୂରଣ ହେଲା ନାହିଁ । ଦାବିଗୁଡ଼ିକ ଥିଲା ମାସକୁ ୨୦୦୦ ଟଙ୍କା କରିବା, ଶାଢୀ ବାବଦରେ ୫୦୦ ଟଙ୍କା, ଛୋଟେଇ ପାଚିକାଙ୍କୁ ପୁନଃ ନିଯୁକ୍ତି, ହାଇକୋର୍ଟଙ୍କ ରାୟ ମୁତାବକ ୨୮ ମାସର ବକେୟା ଭତ୍ତା ଦେବା, ଅବସର ବୟସ ସୀମା ୬୨ ବର୍ଷ କରିବା ଇତ୍ୟାଦି ରଖାଯାଇଥିଲା । ଏଥି ମଧ୍ୟରୁ ଶାଢୀ ବାବଦ ୨୫୦ ଟଙ୍କା ଓ ରାଜ୍ୟ ଅଂଶ ୪୦୦ ଟଙ୍କା ପ୍ରଦାନ କରିଛନ୍ତି । ଏହା ରାଜ୍ୟର ସର୍ବନିମ୍ନ ମଜୁରୀଠାରୁ ବହୁ ତଳରେ ରହିଛି । ଖବରରୁ ଜଣାପଡିଛି ଯେ ମୁଖ୍ୟମନ୍ତ୍ରୀଙ୍କ ସଚିବ ପ୍ରଦୀପ୍ତ ମହାପାତ୍ର ଏମ.ଡି.ଏମ ସୁପାରିଶ ଫାଇଲକୁ ଚାପି ରଖିଛନ୍ତି । ଏହା ବ୍ୟତୀତ ଖାଦ୍ୟ କମିଶନର ଅଧ୍ୟକ୍ଷ ଜାମଣ୍ଡୀ କହିଛନ୍ତି ଯେ ମାଧ୍ୟାହ୍ନ ଭୋଜନ କାର୍ଯ୍ୟ ଆମ ରାଜ୍ୟରେ ସନ୍ତୋଷ ଜନକ ନୁହେଁ । କିନ୍ତୁ ଅଙ୍ଗନୱାଡି ଓ ୫ ଟଙ୍କା ଆହାର ସଂପର୍କରେ ସରକାର ନିରବ ରହିଛନ୍ତି । ତେଣୁ ମାଧ୍ୟାହ୍ନ ଭୋଜନକୁ ଘରୋଇକରଣ କରୁଥିବାର ଜଣାପଡିଛି । ଏହି ଦାବିଗୁଡିକ ସମ୍ପର୍କରେ ଆସନ୍ତା କାଲି ମନ୍ତ୍ରୀସ୍ତରୀୟ ବୈଠକ ବସିବ । ତେଣୁ ଉକ୍ତ ବୈଠକରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ସାରା ଓଡିଶାରେ ଗୋଟିଏ ଦିନ ସ୍କୁଲମାନଙ୍କରେ ମାଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ କରିବା ନିମନ୍ତେ ସଂଘ ନିଷ୍ପତ୍ତି ନେଇଛି । ପାଚିକା ସହାୟିକାଙ୍କ ପ୍ରତି ଉଭୟ ସରକାରଙ୍କର ଅବହେଳା ପ୍ରତିବାଦରେ ରେଳରୋକ କରାଯିବ ବୋଲି ମଧ୍ୟ ସଂଘ ନିଷ୍ପତ୍ତି ନେଇଛି ।ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସମସ୍ତ ପାଚିକା-ସହାୟିକାମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବା ପାଇଁ ସଂଘ ତରଫରୁ ନିବେଦନ କରାଯାଇଛି । ଏହି ପ୍ରେସ ଇସ୍ତାହାରରେ ସଂଘର ସଭାପତି ରାଧାରମଣ ଷଡଙ୍ଗୀ, ଇଷାନୀ ଷଡଙ୍ଗୀ, ପୂର୍ଣ୍ଣିମା ବେହେରା, କନକଲତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ