ପାଚିଲା ଧାନକୁ ଦାଉ ସାଧୁଛି ଅଦିନିଆ ବର୍ଷା
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଏବେ ଖରିଫ ଧାନ ଅମଳକୁ ଅଳ୍ପ ଦିନ ବାକି ଥିବା ବେଳେ ଲଘୁଚାପ ଜନିତ ଅଦିନିଆ ବର୍ଷା ଏହା ଉପରେ ଦାଉ ସାଧୁଛି। ଭଣ୍ଡାରିପୋଖରୀ ବ୍ଲକ ଅଧିନ ୨୩ଗୋଟି ପଂଚାୟତ ଅଂଚଳରେ ଧାନ ଚାଷ ଜନସାଧାରଣଙ୍କ ଅର୍ଥନୀତି ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବେଳେ ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହୁଥିବାରୁ ଚାଷୀ ମାନେ ହତାଶ ହୋଇଯାଉଛନ୍ତି। ଗତ୨୪ଘଣ୍ଟା ମଧ୍ୟରେ ବିଭିନ୍ନ ଅଞ୍ଚଳରେ କିଛି ବର୍ଷା ସହିତ ପବନ ହୋଇଥିବାରୁ ଅନେକ କ୍ଷେତରେ ପାଚିଲା ଧାନ ଶୋଇପଡିଥିବା ଜଣାପଡିଛି। ଏପରିକି ଧାନ ଉପରେ ପାଣି ମାଡ଼ି ଯାଇଥିବାରୁ ଏହା ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀ ମାନେ ସୂଚନା ଦେଇଛନ୍ତି। ବିଶେଷ କରି ଅଦିନିଆ ବର୍ଷା ଯୋଗୁ ସହଳ କିଶମ ସ୍ୱର୍ଣ୍ଣ ଧାନ ସହିତ ଲକ୍ଷ୍ମୀ ଓ ଅନ୍ୟାନ୍ୟ ହାଇବ୍ରିଡ଼ ଧାନ କ୍ଷତି ଗ୍ରସ୍ତ ହେବ ବୋଲି କୁହାଯାଉଛି। ପାଣି ପାଗ ବିଭାଗ ସୂଚନା ଅନୁଯାୟୀ ଯଦି ୨୦ତାରିଖ ଯାଏଁ ବର୍ଷା ଲାଗି ରହେ ତାହେଲେ ଚାଷୀ ମାନେ ଅଧିକ କ୍ଷତିଗ୍ରସ୍ତ ହେବେ ଏଥିରେ ସନ୍ଦେହ ନାହିଁ।