ପାଚିଲା ଧାନକୁ ନେଇ ଚିନ୍ତାରେ ଚାଷୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବାତ୍ୟା ଜୱାଦକୁ ନେଇ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି । ଜମିରେ ପାଚିଲା ଧାନ ପଡି ରହିଛି । ପ୍ରଥମେ ଜଳ ସମସ୍ୟାରେ ଚାଷ ଜମି ଫାଟି ଯାଉଥିବା ବେଳେ ପରମୁହୂର୍ତ୍ତରେ ବିଭିନ୍ନ ପ୍ରକାର ରୋଗପୋକ ଯୋଗୁ କିଛି ମାତ୍ରାରେ ଫସଲ ନଷ୍ଟ ହୋଇଥିଲା । ଏବେ ବାତ୍ୟା ଯୋଗୁ ଚାଷୀ ମାନେ ଚିନ୍ତାରେ ରହିଛନ୍ତି । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ଏଠାକାର କୃଷକ ମାନେ ବିଶେଷ କରି ଧାନ ଚାଷ ଉପରେ ନିର୍ଭର କରିଥାନ୍ତି । ଯାହାଦ୍ୱାରା ସେମାନଙ୍କର ପରିବାର ପ୍ରତିପୋଷଣ ହୋଇଥାଏ । ଧାରକରଜ କରି ଚାଷୀ ଧାନଚାଷ କରିଥିବା ବେଳେ ଏବେ ଅମଳ ବେଳକୁ ବାତ୍ୟା ଦାଉ ସାଜୁଛି । ଗଣିଜାଙ୍ଗ, ଛୟାଳସିଂ, ରାମକୃଷ୍ଣପୁର, ଓଡଙ୍ଗ, ରାମପୁର ସମେତ ବିଭିନ୍ନ ପଞ୍ଚାୟତରେ ହଜାର ହଜାର ହେକ୍ଟର ଧାନ ଚାଷ ହୋଇଛି । କେଉଁଠି ଧାନ ଗଛ ଶୋଇ ପଡିଲାଣି ତ କେଉଁଠି ଧାନ ଗଜା ହେବାର ଆଶଙ୍କା ପ୍ରକାଶ ପାଇଛି । ବର୍ଷକର ଖୋରାକ ନିଜ ଆଖି ଆଗରେ ନଷ୍ଟ ହେଉଥିବା ଦେଖି ଚାଷୀ ମୁଣ୍ଡରେ ହାତ ଦେଇଥିବା ଜଣାଯାଇଛି ।


