ପାଟନାଳୀ ସଫେଇ ପାଇଁ ଜିଲ୍ଲା କୃଷକ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଜିଲ୍ଲା କୃଷକ ବିକାଶ ପରିଷଦ ପକ୍ଷରୁ କେନ୍ଦ୍ରାପଡାର ସମସ୍ତ ପାଟନାଳୀକୁ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କରାଯିବା ପାଇଁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଚଳିତ ବର୍ଷାରେ ଜିଲ୍ଲାର ପ୍ରାୟ ସବୁ ପାଟରେ ୮ରୁ ୧୦ଫୁଟର ପାଣି ଜମା ହୋଇ ହ୍ରଦର ଭ୍ରମ ସୃଷ୍ଟି କରୁଛି । ଗୁଆଳସିଂ, ପଲେଇ, ବଣହରା ପ୍ରଭୃତି ପାଟରେ ମାଛଧରାଳୀମାନେ ଖଟି ବସାଇ ପାଣିକୁ ଅବରୋଧ କରୁଥିବା ବେଳେ କାଉପଡା, ଗୁଆଳସିଂ, ଚାଟରା, କୁଅଁରପୁର, ମରଡପୁର ଓ ବିଶିବିଲ ପ୍ରଭୃତି ପାଟରେ ଦଳ ଭର୍ତ୍ତି ହୋଇଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ । ଫଳରେ ହଜାର ହଜାର ହେକ୍ଟର ଧାନ ଫସଲ ଉଜୁଡି ଯିବାକୁ ବସିଲାଣି । ଅପରପକ୍ଷରେ ଡ୍ରେନେଜକଟ ବିଭାଗ ନିଘୋଡ ନିଦରେ ଶୋଇଥିବାରୁ କାର୍ଯ୍ୟାଳୟରେ କାହାରି ଭେଟ ମିଳୁନଥିବା ନେଇ ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ଏଣୁ ଯୁଦ୍ଧକାଳୀନ ଭିତ୍ତିରେ କାଉପଡା, ଗୁଆଳସିଂ, ଚାଟରା ଓ କୁଅଁରପୁର ପାଟରୁ ମାଛଖଟିକୁ ହଟାଯିବା ସହିତ ଦଳ ସଫେଇ କରାଯାଇ ଚାଷୀମାନଙ୍କୁ ସହଯୋଗ ପ୍ରଦାନ କରାଯିବାକୁ ପରିଷଦ ଦାବି କରିଛି । ନଚେତ ଜିଲ୍ଲା କୃଷକ ବିକାଶ ପରିଷଦ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ପ୍ରଶାସନକୁ ଚେତାବନୀ ଦେଇଛି । ପରିଷଦର ସଭାପତି ବିଜୟ ପରିଡା, ସମ୍ପାଦକ ଦିପକ ବେହେରା, କୋଷାଧ୍ୟକ୍ଷ ନାରାୟଣ ମୁଦୁଲି, ଶାରଦା ମିଶ୍ର, ଅନନ୍ତ ବାସୁଦେବ ବରାଳ, ବିରବର ଦଳାଇ, ରାଜକିଶୋର ଦାସ, କାହ୍ନୁ ଚରଣ ସାହୁ, ରଞ୍ଜିତ କୁମାର ଦାସ, ଧରଣୀଧର ପରିଡା, ପୂର୍ଣ୍ଣଚନ୍ଦ୍ର ଭଦ୍ର ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।