ପାଟପୁର ବିଜ୍ଞାନ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ସମ୍ବର୍ଦ୍ଧନା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ମନୋନୀତ ହୋଇଥିବା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାବେ ମନୋନୀତ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଡଃ . ପ୍ରଦୀପ କୁମାର ବ୍ରହ୍ମାଙ୍କୁ କଲେଜ ପକ୍ଷରୁ ସୋମବାର ଦିନ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କଲେଜ ଅଧ୍ୟକ୍ଷା ଡଃ . ସୁଦେଷ୍ଣା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଭାପତି ଡଃ. ବ୍ରହ୍ମାଙ୍କୁ କଲେଜ ପକ୍ଷରୁ ପୁଷ୍ପଗୁଚ୍ଛ ସହ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସଭାପତି ଡଃ . ବ୍ରହ୍ମା କଲେଜର ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ସହ ଅଞ୍ଚଳରେ ଏକ ପ୍ରକୃଷ୍ଟ ଶିକ୍ଷାୟତନ ଭାବେ ଗଢି ତୋଳିବା ନେଇ ଆବଶ୍ୟକ ପଦକ୍ଷେପ ନେବାପାଇଁ ସମସ୍ତଙ୍କ ମିଳିତ ସହଯୋଗର ଆଶା ରଖି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଡ. ବ୍ରହ୍ମା ମୁଖ୍ୟତଃ କଲେଜର ନାକ୍ ମାନ୍ୟତା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା , ମହାବିଦ୍ୟାଳୟର ଶିକ୍ଷାର ମାନ୍ୟତାକୁ ବୃଦ୍ଧି କରିବା ଏବଂ ଶୃଙ୍ଖଳିତ ବାତାବରଣରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । କର୍ମଚାରୀ ସଂଘ ସମ୍ପାଦକ ଡଃ. କୈଳାଶ ଚନ୍ଦ୍ର ସ୍ୱାଇଁଙ୍କ ସମ୍ପାଦନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଆନୁଷଙ୍ଗିକ ସମସ୍ୟା ନେଇ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅଧ୍ୟାପକ ପ୍ରଫୁଲ୍ଲ ମହାରଣା, ଅଧ୍ୟାପିକା ସରସ୍ୱତୀ ପଣ୍ଡା ଏବଂ ଡିଇଓ. ଗୌରୀ ଶଙ୍କର ମହାପାତ୍ର ସଙ୍ଗୀତ ପରିବେଷଣ କରିଥିଲେ । ପରିଶେଷରେ ଅଧ୍ୟାପକ ତ୍ରିଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।


