‘ପାଠଶାଳା’ ସମସ୍ତଙ୍କର ବିଶ୍ୱାସର ପାତ୍ର ହେଉ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ସମାଜରେ ଅବହେଳିତ, ନିଷ୍ପେସିତ ଶିଶୁମାନଙ୍କ ପାଇଁ ‘ପାଠାଶାଳା’ ଭରଷାର କେନ୍ଦ୍ର ସହ ସମସ୍ତଙ୍କର ବିଶ୍ୱାସର ପାତ୍ର ହେଉ ବୋଲି ଆଜି ଏକ ବର୍ଣ୍ଣାଢ୍ୟ ସମାରୋହରେ ଅତିଥିମାନେ କହିଛନ୍ତି । ଭୁବନେଶ୍ୱରର ରୋଟାରୀ ଭବନଠାରେ ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ ଓ ପିକ୍‌ଟ୍ରେନ୍‌ର ସଂସ୍ଥାର ମିଳିତ ଉଦ୍ୟମରେ ଆୟୋଜିତ ଶିକ୍ଷା ସମ୍ପର୍କିତ ଏକ ବିଶେଷ କାର୍ଯ୍ୟକ୍ରମରେ ‘ପାଠଶାଳା’ ଉନ୍ମୋଚିତ ହୋଇଯାଇଛି । ପାଠଶାଳା ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ଚିନ୍ତାଧାରା, ଏକ ଆଦର୍ଶ, ଏକ ପ୍ରୟାସ । ଶିକ୍ଷା ଅପହଞ୍ଚ ଅଞ୍ଚଳରେ ପାଠାଶାଳା ପହଞ୍ôଚବ ବୋଲି ଟ୍ରଷ୍ଟର ସଭାପତି ଶ୍ରୀମତୀ ଅମୀୟବାଳା ପରିଡ଼ା କହିଛନ୍ତି । ଯୁବଛାତ୍ର ତଥା ସର୍ବକନିଷ୍ଠ ସମାଜସେବୀ ସ୍ୱର୍ଗତ ଗିରିଜାଶଙ୍କରଙ୍କ ସ୍ମୃତିରେ ଆରମ୍ଭ ହୋଇଛି ଏହି ନୂତନ ପ୍ରୟାସ । ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ତଥା ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟମ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ଏହି ମହାନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିଭାଗର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ, ଆମ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱରାଜ ମିଶ୍ର, ସାମାଜିକ ଅନୁଷ୍ଠାନ ‘ସଖା’ର ସଭାପତି ଶ୍ରୀମତୀ ମୀରା ପରିଡ଼ା, ଶିକ୍ଷା କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅଗ୍ରଣୀ ଅନୁଷ୍ଠାନ ପିକ୍‌ଟ୍ରେନ୍‌ର ମୁଖ୍ୟ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଭିଷେକ ପଟ୍ଟନାୟକ, କ୍ଲାପର ସଭାପତି ଶ୍ରୀଯୁକ୍ତ ବିକାଶ ଦାଶ, ଆଇଏସ୍‌ଡ଼ିର ସଭାପତି ଶ୍ରୀମତୀ ମମତା ବାଜପେୟୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ଉଦ୍ଦିଷ୍ଟ ଏହି ପ୍ରୟାସରେ ନିଜକୁ ସାମିଲ୍ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଛୋଟ ଛୋଟ ପିଲମାନଙ୍କୁ ଛବିଳ ମଧୁବର୍ଣ୍ଣବୋଧ ଓ ଖଡ଼ି ସ୍ଲେଟ ବଣ୍ଟନ କରାଯାଇଥିଲା । ପାଠଶାଳା ଉଦ୍ଦେଶ୍ୟରେ କୁନି କୁନିମାନଙ୍କ ଦ୍ୱାରା ପ୍ରଦର୍ଶିତ କ୍ଷୁଦ୍ର ନାଟକ ‘ପାଠଶାଳା’ ବେଶ୍ ହୃଦୟସ୍ପର୍ଶୀ ହୋଇଥିଲା । ଟ୍ରଷ୍ଟର ସମ୍ପାଦକ ସାଗର ସୁନ୍ଦର ଦାସ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜିକା ତଥା ଉଦୀୟମାନ ଛାତ୍ରୀନେତ୍ରୀ ଇପ୍‌ସିତା ସାହୁ ଭବିଷ୍ୟତ କାର୍ଯ୍ୟକ୍ରମର ରୂପରେଖ ପ୍ରଦାନ କରିଥିଲେ । ଶିକ୍ଷାର ବିକାଶ ନିମନ୍ତେ ଏହି ସୁନ୍ଦର ପ୍ରୟାସକୁ ଆମକୁ ବଢାଇବା ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଇ.ଏସ୍‌.ଡ଼ି., କ୍ଲାପ, ସଖା, ସେଜ୍ ଫାଉଣ୍ଡେସନ, ମାଧବାନନ୍ଦ ଚାରିଟେବୁଲ୍ ଟ୍ରଷ୍ଟ ପ୍ରମୁଖ ସହଯୋଗ କରିଥିଲେ । ଟ୍ରଷ୍ଟର ସକ୍ରିୟ ସଭ୍ୟ ଦୀପକ ପାତ୍ର, ରୋଜା ଘୋଷ, କଳ୍ପନା ବିଶୋୟୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ସଦସ୍ୟା ବର୍ଣ୍ଣାଳୀ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ