ପାଠାଗାର,ଜିମନାସିୟମ ଓ ଖେଳପଡିଆ ଉନ୍ନତିକରଣ ପାଇଁ ଶିଳାନ୍ୟାସ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ତହସିଲ କାର୍ଯ୍ୟାଳୟ ନିକଟରେ ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ସର୍ବସାଧାରଣ ପାଠାଗାର ଏବଂ ପ୍ରତିଯୋଗୀତା ମୂଳକ ପାଟ୍ୟ ପ୍ରସ୍ତୁତି, ୧କୋଟି ଟଙ୍କା ବ୍ୟୟ ଅଟକଳରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆର ଉନ୍ନତି କରଣ ଓ ସେହି ଖେଳପଡିଆର ବାମପଟରେ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଶାରୀରିକ ବ୍ୟାୟାମ ଗୃହ(ଜିମନାସିୟମ) ନିର୍ମାଣ ନିମନ୍ତେ ଶାଧାରଣତନ୍ତ୍ର ଦିବସ ଅବସରରେ ରବିବାର ଅପରାହ୍ନରେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଅତିଥି ଭାବରେ ଯୋଗଦେଇ ଏହି ତିନୋଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ସେମାନେ କହିଥିଲେ ଯେ ଏହି ୩ଟି ପ୍ରକଳ୍ପ ୩ରୁ ୪ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ସହରର ଯୁବକମାନେ ଏହି ଜିମନାସିୟମରେ ବ୍ୟାୟାମ କରି ସେମାନଙ୍କ ଶରୀରକୁ ଫିଟ ରଖିପାରିବେ ଓ ଖେଳପଡିଆରେ ସ୍କୁଲର ଛାତ୍ରଛାତ୍ରୀମାନେ ଖେଳିବା ସହିତ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଆୟୋଜିତ ହୋଇପାରିବ । ତହସିଲ ନିକଟସ୍ଥ ପାଠାଗାରରେ ସମସ୍ତେ ପଢିବାର ସୁଯୋଗ ପାଇବା ସହିତ ବିଭିନ୍ନ ପ୍ରତିଯୋଗୀତା ନିମନ୍ତେ ପାଟ୍ୟକ୍ରମ ପ୍ରସ୍ତୁତି ମଧ୍ୟ ହେବ । ଏହି ଉତ୍ସବରେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ପୂର୍ବତନ ପୋରାଧ୍ୟକ୍ଷ ଧିରେନ ସାହୁ, ଯୁବନେତା ମହେନ୍ଦ୍ର ମିଶ୍ର, ଦେବଦାସ ମହାନ୍ତି, ବିଜୟ ପତି, ଶିବ ପ୍ରସାଦ ବଳ, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ଦାସ, ରଞ୍ଜିତ ସାହୁ, ସେକ ଚନ୍ଦନ, ସେକ ମତୁ, ପୈାର କର୍ମଚାରୀ ଭୂବନମୋହନ କାନୁନଗୋ, ଅଶୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


