ପାଠ ଛାଡିଲେ ଆଦିବାସୀ ଛାତ୍ରଛାତ୍ରୀ
ହାଟଡିହି, (ବିକାଶ ବିଶ୍ୱାଳ) :ସରକାର ଗାଁ ଠାରୁ ସହର ପର୍ଯ୍ୟନ୍ତ ବିକାଶର ବାନା ଉଡାଇବା ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରିବା ସହିତ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାରେ ଲାଗି ପଡିଛନ୍ତି । କିନ୍ତୁ ପ୍ରଶାସନିକ ଅଧିକାରୀ ମାନଙ୍କ ଅନଭିଜ୍ଞତା ଓ ଉପଯୁକ୍ତ ତଦାରଖ ଅଭାବରୁ ଯୋଜନାର ବାସ୍ତବ ସଫଳତା ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତର ଜାବିନିପୁର ଗ୍ରାମର ପଣ୍ଡୁଆ ସାହିରେ । ପଣ୍ଡୁଆ ସାହିରେ ୫୦ରୁ ଉର୍ଦ୍ଧ ପରିବାର ବସବାସ କରୁଥିବାବେଳେ ସମସ୍ତେ ଆଦିବାସୀ ଶ୍ରେଣୀର । କିନ୍ତୁ ସାହି ଭିତରକୁ ଭଲ ରାସ୍ତା ଖଣ୍ଡିଏ ନାହିଁଁ । ଏବେ ପ୍ରତି ଗାଁ ଓ ପ୍ରତି ସାହିକୁ କଂକ୍ରିଟ ରାସ୍ତା ହୋଇଥିବା ବେଳେ ଏବଂ କିଛି ସ୍ଥାନରେ କଂକ୍ରିଟ ଉପରେ କଂକ୍ରିଟ ପଡୁଛି । କିନ୍ତୁ ଏହି ରାସ୍ତାରେ ମୋରମ ମୁଠାଏ ମଧ୍ୟ ପଡି ପାରୁନି । ଏହି ସାହିର ରାସ୍ତାର ଅବସ୍ଥା ନିଜ ଆଖିରେ ନଦେଖିଲେ ବିଶ୍ୱାଷ କରିହେବ ନାହିଁ । ଆଣ୍ଠୁଏ ବହଳର କାଦୁଅରେ ରାସ୍ତାଟି ଭରପୁର ହୋଇଥିବାରୁ ଲୋକମାନେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ଗତ ଏକ ମାସରୁ ଉର୍ଦ୍ଧ ହେବ ଏହି ସାହିର ଛାତ୍ରଛାତ୍ରୀମାନେ ସ୍କୁଲ ଆସିବା ବନ୍ଦ କରିଦେଇଛନ୍ତି । ହାଟଡିହି ବ୍ଲକର ବିଡିଓ ତୁରନ୍ତ ଏହି ଗ୍ରାମକୁ ଗ୍ରସ୍ଥକରି ରାସ୍ତାର ଅବସ୍ଥା ନିଜ ଆଖିରେ ଦେଖି ରାସ୍ତା ନିର୍ମାଣର ବ୍ୟବସ୍ଥା କରାଇବାକୁ ଗ୍ରାମର ଅଭିଜିତ ସେନାପତି, ମନୋଜ ନାୟକ, ରବିନ୍ଦ୍ର ନାୟକ, ୱାର୍ଡ ସଭ୍ୟା ଚାନ୍ଦ ମୁଣ୍ଡା, ବାବୁଲି ମୁଣ୍ଡା, ଅର୍ଜୁନ ମୁଣ୍ଡା, ଷେଣ୍ଢ ମୁଣ୍ଡା, ସୁକୁରା ମୁଣ୍ଡା ପ୍ରମୁଖ ଗ୍ରାମବାସୀ ମାନେ ବିବେଦନ କରିଛନ୍ତି ।


