ପାଣିରେ ବୁଡିଯାଇ ଛାତ୍ରଙ୍କ ମୃତୁ୍ୟ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଜମ୍ଭୀରା ପଞ୍ଚାୟତ ସାନ ଆମ୍ବଗଡିଆ ଗ୍ରାମର ଜଣେ କଲେଜ ଛାତ୍ରଙ୍କ ପାଇଁ କେନାଲରେ ଶୌଚ ହେବା ମହଙ୍ଗା ପଡିଛି । କେନାଲ ଲାଇନିଂରେ ନେଳି ଲାଗିଥିବା ଯୋଗୁଁ ଗୋଡ ଖସିଯାଇ ପାଣିରେ ବୁଡି ମୃତୁ୍ୟବରଣ କରିଛନ୍ତି । ସୁଚନାରୁ ଜଣାଯାଇଛି ଯେ ସୋସୋ ଥାନା ଅଧିନସ୍ଥ ଜମ୍ଭୀରା ପଞ୍ଚାୟତ ସାନ ଆମ୍ବଗଡିଆ ଗ୍ରାମର ଭୁବନନାନନ୍ଦ ଜେନାଙ୍କ ସାନପୁଅ ଅନିଲ କୁମାର ଜେନା ହାଟଡିହି କଲେଜର ଯୁକ୍ତ ଦୁଇ ଛାତ୍ର । ପରୀକ୍ଷା ପାଇଁ ଆଜି କଲେଜ ସସପେଣ୍ଡ ଥିବାରୁ ସେ ଘରେ ଥିଲେ । ଆଜି ମଧ୍ୟାହ୍ନରେ ସେ ଗାଧୋଇ ଖାଇ ଶୌଚ ହେବାକୁ ଆଉ ଜଣେ ସାଙ୍ଗ ସହ ସ୍କୁଲ ନିକଟରେ ଥିବା ବୈତରଣୀ କେନାଲ କୁଳକୁ ଯାଇଥିଲେ । କେନାଲରେ ଶୌଚ ହେଉଥିବାବେଳେ ଗୋଡ ଖସିଯିବାରୁ ଗଭୀର ପାଣିରେ ବୁଡି ଯାଇଥିଲେ । ସାଙ୍ଗରେ ଯାଇଥିବା ଯୁବକ ଜଣକ ପାଟିକରିବାରୁ ନିକଟରେ କାମ କରୁଥିବା ଦୁଇଜଣ ଯୁବକ କେନାଲକୁ ଡେଇଁପଡି ଅନିଲକୁ ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ଖବର ପ୍ରଚାରିତ ହେବାମାତ୍ରେ ଶହଶହ ଲୋକଙ୍କ ଭିଡ ଜମିଥିବାବେଳେ ପରିବାର ଲୋକଙ୍କ କାନ୍ଦବୋବାଳିରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଅଭିଯୋଗ ପାଇବାପରେ ସୋସୋ ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରାଇବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଛାତ୍ର ଜଣକ ଜଣେ ମେଧାବୀ ଓ ଶାନ୍ତଶିଷ୍ଟ ଥିଲେ ବୋଲି ହାଟଡିହି କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ପାତ୍ର କହିଛନ୍ତି । ସେ ନେଇ ଶୋକ ବ୍ୟକ୍ତ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।