ପାଣିରେ ବୁଡି ଦୁଇ ଜଣ ମୃତ ଓ ବିଷାକ୍ତ ଫଳ ଖାଇ ଜଣେ ମୃତ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ଥାନା ଅନ୍ତର୍ଗତ କୁଆନଳା ଗ୍ରାମର ଜଣେ ମହିଳା ନାଳରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ ବି.କରଡ଼ାବାଡ଼ି ଗ୍ରାମର ରୋଡ଼କଡ଼ ବନ୍ଧରେ ବୁଡି ଜଣେ ପୁରୁଷ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସେହିପରି ଜେକ ଗ୍ରାମର ଜଣେ ବିବାହିତ ଯୁବତୀ ବିଷାକ୍ତ ଫଳ ମଞ୍ଜି ଖାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ରବିବାର ସକାଳେ କୁଆନଳା ଗ୍ରାମର ସୁଧୀର ସାହୁଙ୍କ ପତ୍ନୀ ନମିତା ସାହୁ (୩୮) ଗ୍ରାମ ନିକଟ କୁସୁମୀ ନାଳକୁ ସ୍ନାନ ପାଇଁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ। ଅନ୍ୟ ଜଣେ ମହିଳା ଦେଖି ପାଟି କରି ଡାକିବା ଯୋଗୁଁ ଗ୍ରାମଲୋକେ ଆସି ନମିତାଙ୍କୁ ନାଳରୁ ଉଦ୍ଧାର କରି ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ସେହିପରି ବି.କରଡ଼ାବାଡ଼ି ଗ୍ରାମର ରମେଶ ନାୟକ (୪୧)ଓରଫ ବାବାଜୀ ଶନିବାର ଦିନ ରାତ୍ର ୯ ଟା ସମୟରେ ମୁଖ୍ୟ ରାସ୍ତା କଡରେ ଥିବା ବନ୍ଧକୁ ସ୍ନାନ ପାଇଁ ଯାଇଥିବା ବେଳେ ଖସିପଡି ପାଣିରେ ବୁଡି ଯାଇଥିଲେ। ଗ୍ରାମଲୋକେ ଉଦ୍ଧାର କରି ବୁଗୁଡା ମେଡ଼ିକାଲକୁ ନେଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟ ଏକ ଘଟଣାରେ ଜେକ ଗ୍ରାମର ଟୁକୁନା ନାୟକଙ୍କ ପତ୍ନୀ ପପିନା ନାୟକ(୨୦) ରବିବାର ସକାଳେ ଘରର ସମସ୍ତ କାମ କରିଥିବା ବେଳେ ପ୍ରାୟ ୯ ଟା ବେଳେ ବିଷାକ୍ତ କନିଆରୀ ଫଳ ଖାଇବା ଦ୍ୱାରା ଭିଷଣ ଭାବେ ବାନ୍ତି କରିଥିଲେ। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡାକି ପପିନାଙ୍କୁ ତାଙ୍କ ସ୍ୱାମୀ ଓ ମା ବୁଗୁଡା ମେଡ଼ିକାଲକୁ ନେଇଥଲେ। ହେଲେ ପପିନାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଗତ ୧୨ ଘଣ୍ଟା ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ