ପାଣି ପାଇଁ ଡହଳ ବିକଳ ସାମନ୍ତରାପୁର ଗ୍ରାମବାସୀ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବର୍ଷା ଦିନେ ଜଳ କଷ୍ଟ । ବିଶୁଦ୍ଧ ପାଣି ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ହେଲେ ବି ସୁଧୁରିନି ପାଣି ସମସ୍ୟା । ଲୋକଙ୍କ ପାନୀୟ ଜଳ ସମସ୍ୟା ପାଇଁ ଗ୍ରାମରେ ଲଗାଗଲା ସୋଲାର ଚାଳିତ ପାଣି ଟ୍ୟାଙ୍କର । ହେଲେ ସେଇୟା ବି ଅଚଳ ହୋଇପଡିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ ପଂଚାୟତର ସାମନ୍ତରାପୁର ଗ୍ରାମରେ l ଗ୍ରାମରେ ଲାଗିଥିବା ଓରେଡା ପକ୍ଷରୁ ଏକ ସୋଲାର ଚାଳିତ ୫ ହଜାର ଲିଟର ବିଶିଷ୍ଠ ପାଣି ଟାଙ୍କି ମଧ୍ୟ ଅଚଳ ହୋଇ ପଡିଛି । ଫଳରେ ଗ୍ରାମବାସୀ ମାନେ ବିଶୁଦ୍ଧ ପାନୀୟ ଜଳ ନ ପାଇ ହନ୍ତସନ୍ତ ହେଉଛନ୍ତି । ଗ୍ରାମରେ ରହିଥିବା ଏକ ପୋଖରୀ ପିଇବା ପାଇଁ ଉପଯୋଗୀ ହୋଇପାରୁନାହିଁ । ଏଣୁ ଗ୍ରାମବାସୀ ମାନେ ଗ୍ରାମର ଅନତି ଦୂରରେ ରହିଥିବା ଏକ କୂଅ ଉପରେ ନିର୍ଭର କରୁଛନ୍ତି । ଉକ୍ତ କୂଅକୁ ଗ୍ରାମର ମହିଳା ମାନେ ପାଣି ଆଣିପାରୁନଥିବାରୁ ଉକ୍ତ ପାଣି ଟାଙ୍କିକୁ ତୁରନ୍ତ ମରାମତି କରିବା ପାଇଁ ଦାବି କରିଛନ୍ତି । ଗ୍ରାମରେ ଦୁଇଟି ୱାର୍ଡରେ ପ୍ରାୟ ୪୫୦ ପରିବାର ବସବାସ କରୁଥିବା ବେଳେ ଗ୍ରାମର ଘରକୁ ଘର ପାନୀୟ ଜଳ ଯୋଗାଣ ପାଇଁ ପାଇପ ସଂଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏନେଇ ପୂର୍ବରୁ ସେମାନେ ବିଭାଗୀୟ ଅଧିକାରୀ ଓ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ସେମାନେ ଅଭିଯୋଗ କରିଛନ୍ତି । ଏଣୁ ଘରକୁ ଘର ପାଣି ଯୋଗାଇଦେବା ସହ ସୋଲାର ଚାଳିତ ଟାଙ୍କିର ମରାମତି ପାଇଁ ସେମାନେ ଦାବି କରିଛନ୍ତି ।