ପାଣି ପାଇଁ ହାଣ୍ଡି ମାଠିଆ ରଖି ହିଞ୍ଜିଳିକାଟୁ – ଶେରଗଡ ରାସ୍ତା ଅବରୋଧ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଦୀର୍ଘ ୪ ମାସ ଧରି ଆବଶ୍ୟକ ପରିମାଣରେ ପାନୀୟ ଜଳ ପାଇପାରୁନାହାଁନ୍ତି। ଘଟଣା ସମ୍ପର୍କରେ ବିଡ଼ିଓ ଓ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ହେଲେବି ସମସ୍ୟାର ସମାଧାନ ହେଲାନି କି ଲୋକେ ପାନୀୟ ଜଳ ପାଇଲେନି। ସମସ୍ୟାର ସମାଧାନ ପାଇଁ ଗାଁ ଲୋକେ ଅଣ୍ଟା ଭିଡିଲେ। ଶନିବାର ସକାଳୁ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ହାଣ୍ଡି ମାଠିଆ ଧରି ହିଞ୍ଜିଳିକାଟୁ – ଶେରଗଡ ମୁଖ୍ୟ ରାସ୍ତା ଅବରୋଧ କଲେ। ଦୀର୍ଘ ସାଢେ ୩ ଘଣ୍ଟା ରାସ୍ତା ଅବରୋଧ ପରେ ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଲା। ଏଭଳି ଏକ ଘଟଣା ଶନିବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ବୁରୁପୋଡା ଗ୍ରାମ ରେ ଦେଖିବାକୁ ମିଳିଛି।
ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଲକ୍ ବୁରୁପୋଡା ଗ୍ରାମ କାଳୀ ମନ୍ଦିର ସାହିକୁ ଦୀର୍ଘ ୪ ମାସ ଧରି ଆବଶ୍ୟକ ପରିମାଣରେ ପାନୀୟ ଜଳ ଯୋଗାଣ ହୋଇପାରୁନଥିଲା। ଘଟଣା ସମ୍ପର୍କରେ ସ୍ଥାନୀୟ ସାହି ବାସିନ୍ଦା ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସ୍ଥାନୀୟ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ମୌଖିକ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ସମସ୍ୟାର ସମାଧାନ ପାଇଁ ଶନିବାର ସକାଳୁ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ହାଣ୍ଡି ମାଠିଆ ଧରି ହିଞ୍ଜିଳିକାଟୁ – ଶେରଗଡ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ ଦୀର୍ଘ ସାଢେ ୩ ଘଣ୍ଟା ଧରି ରାସ୍ତା ଅବରୋଧ ସହ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଯାନବାହାନ ଅଟକି ରହିଥିଲା। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ରାସ୍ତାରୋକ ହଟିନଥିଲା। ଉତ୍ୟକ୍ତ ଗ୍ରାମବାସୀ ଘଟଣାର ସ୍ଥାୟୀ ସମାଧାନ ଦାବିରେ ରାସ୍ତା ଅବରୋଧରୁ ହଟିନଥିଲେ। ଖବର ପାଇ ହିଞ୍ଜିଳିକାଟୁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗୀୟ ସହକାରୀ ଯନ୍ତ୍ରୀ ଇ°.ପ୍ରସନ୍ନ କୁମାର ଦଳେଇ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସଂପୃକ୍ତ ସାହିକୁ ପ୍ରାଥମିକ ପର୍ଯ୍ୟାୟରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଗ୍ରାମକୁ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ଯୋଗାଣ ନେଇ ସଂପୃକ୍ତ ଗ୍ରାମବାସୀ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରି ଘଟଣାର ସ୍ଥାୟୀ ସମାଧାନ ସକାଶେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ଘଟଣା ନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳେଇଙ୍କୁ ପଚାରିବାରୁ ସେ କୁହନ୍ତି ସଂପୃକ୍ତ ଗ୍ରାମରେ ଜଳସ୍ତର ଅତି ନିମ୍ନସ୍ତରେ ରହିଛି। ଫଳରେ ଗ୍ରାମକୁ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ। ଅନ୍ୟପକ୍ଷରେ ଗ୍ରାମ ନିକଟରେ ଆଉ ଏକ ବୋର୍ ଖୋଳାଯାଇଥିଲେ ମଧ୍ୟ ସେହି ବୋରରୁ ଆସୁଥିବା ଜଳ ପାନୀୟ ଉପଯୋଗୀ ହୋଇପାରିନାହିଁ।