ପାଣି ପାଇଁ ହାହାକାର,ଚାଲୁନି ପାଇପ୍ ପାଣି ସାହାଭରସା ପାଲଟିଛି ତୀର୍ଥ ପୁଷ୍କରିଣୀ
କୋଣାର୍କ (ଜୁଗାବ୍ଦ ନ୍ୟୁଜ୍): ଫାନି ବାତ୍ୟା ପ୍ରକୋପରେ କୋଣାର୍କରେ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଫଳରେ ଲୋକମାନେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜନସ୍ୱାସ୍ଥ୍ୟ ବିଭାଗର ଜଳ ଯୋଗାଣ ଉପରେ ନିର୍ଭର କରିବାକୁ ପଡ଼ୁଥିବାବେଳେ ତାହା ସମୁଦ୍ରକୁ ଶଙ୍ଖେ ପରି । ଜନସ୍ୱାସ୍ଥ୍ୟ ବିଭାଗ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା କୁହାଯାଉଛି । ବିଦ୍ୟୁତ୍ ନଥିବାରୁ ଜଳ ଯୋଗାଇପାରୁନଥିବା କହୁଥିବାବେଳେ ଜେନେରେଟର ବ୍ୟବସ୍ଥା ନକରି ଚୁପ୍ଚାପ୍ ବସି ରହିବା ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ପର୍ଯ୍ୟାପ୍ତ ପାଣି ମିଳୁନଥିବାରୁ ଲୋକମାନେ ବାଧ୍ୟ ହୋଇ ପୋଖରୀ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ପୋଖରୀରେ ମଧ୍ୟ ପର୍ଯ୍ୟାପ୍ତ ପାଣି ନାହିଁ । ଦଳ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ଦୂଷିତ ହୋଇପଡ଼ିଛି । ଫଳରେ ଲୋକମାନେ ଚନ୍ଦ୍ରଭାଗାରେ ଥିବା ଏକମାତ୍ର ତୀର୍ଥ ପୁଷ୍କରିଣୀ ପାଣି ବ୍ୟବହାର କରୁଛନ୍ତି । ପ୍ରତିଦିନ ଶହଶହ ଲୋକ ଏଠାରେ ସ୍ନାନଶୌଚ କରୁଛନ୍ତି । ଫାନି ବାତ୍ୟା ପରେ ଏହି ତୀର୍ଥ ପୁଷ୍କରିଣୀ ଲୋକଙ୍କର ଏକମାତ୍ର ସାହାଭରସା ପାଲଟିଛି ।