ପାଣି ପାଇପ ମିସ୍ତ୍ରୀଙ୍କ ପଞ୍ଜୀକରଣ ୨ ମାସ ଭିତରେ ହେବ-ମନ୍ତ୍ରୀ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାସୀ ଶ୍ରମିକ ସହାୟକ ଓ ସାଧନ କେନ୍ଦ୍ର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଉଦ୍ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇନ ମହାବିଦ୍ୟାଳୟ ପାଖ, ଗୁଆଳସିଂ ମୈାଜାରେ ଥିବା ଶ୍ରୀବଳଦେବଜୀଉ ଶିକ୍ଷା ମହାବିଦ୍ୟାଳୟ ଗୃହରେ କେନ୍ଦ୍ରାପଡା ଜିଲ୍ଲା ପ୍ରବାସୀ ଶ୍ରମିକ ସହାୟକ ଓ ସାଧନ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ । ଏହି ପ୍ରବାସୀ ଶ୍ରମିକ ସହାୟକ ଏବଂ ସାଧନ କେନ୍ଦ୍ର ଉଦ୍ଘାଟନୀ ଉତ୍ସବ ଉପଲକ୍ଷେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡା ପୈାର ଟାଉନ ହଲ ପରିସରରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସିଂହ ଉଦ୍ବୋଧନ ରେ ଶ୍ରମିକ ମାନଙ୍କୁ ନିରାପତ୍ତା ଓ ସୁରକ୍ଷା ଦେବାରେ ରାଜ୍ୟ ସରକାରଙ୍କ ଏହା ଏକ ଅଭିନବ ଯୋଜନା ବୋଲି ଉତଥାପନ କରି ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ସମଗ୍ର ରାଜ୍ୟରେ ୧ କୋଟି ଶ୍ରମିକ ସୁରକ୍ଷିତ ହୋଇ ପାରିଛନ୍ତି ବୋଲି ଉପସ୍ଥାପନ କରିଥିଲେ । ଏହି ସହାୟତା କେନ୍ଦ୍ର ଦ୍ୱାରା ଶ୍ରମିକ ଚହ୍ନଟ କରାଯାଇ ଭାରତ ଏବଂ ଭାରତ ବାହାରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ସୁରକ୍ଷା ଓ ନିରାପତ୍ତା ପ୍ରଦାନ କରାଯାଇ ପାରୁଛି । ଶ୍ରମିକ ମୃତ୍ୟୁ ବରଣ କଲେ ୪ ଲକ୍ଷ, ଝିଅ ବାହାଘର ନିମନ୍ତେ ୫୦ ହଜାର, ପୁଅ ଝିଅଙ୍କୁ ଡିପ୍ଲୋମା, ପଲିଟେକନିକ ଏବଂ ଡାକ୍ତରୀ ଆଦି ଉଚ୍ଚ ଶିକ୍ଷା ପାଇଁ ବର୍ଷକୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି ବୋଲି କହିଥିଲେ । ସମଗ୍ର ରାଜ୍ୟରେ ଏଭଳି ୧୧ଟି ସାଧନ କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ରାପଡା ଠାରେ ଏହା ୧୨ ତମ ସାଧନ କେନ୍ଦ୍ର ଯାହା ଆଜିଠାରୁ କାର୍ଯ୍ୟକାରୀ ହେଲା ବୋଲି କହି ଜିଲ୍ଲାର ସମସ୍ତ ଶ୍ରମିକ ମାନେ ଏହାର ଫାଇଦା ନେବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟ ସରକାରଙ୍କର ଏହି ଯୋଜନା ଗୁଜୁରାଟ, ପଞ୍ଜାବ, ତେଲେଙ୍ଗାନା ଆଦି ରାଜ୍ୟରେ କାର୍ଯ୍ୟ କରୁଥିôବା ବେଳେ ବୈଦେଶିକ ମନ୍ତ୍ରଣାଳୟ ଭାରତ ସରକାରଙ୍କ ସହ ସଂପର୍କ କରି ଏହି ସାଧନ କେନ୍ଦ୍ରର ସ୍ୱତନ୍ତ୍ର ହେଲ୍ପ ଡେସ୍କ ଦିଲ୍ଲୀ ଠାରେ ସ୍ଥାପନ କରିବା ପାଇଁ ମଧ୍ୟ ମନ୍ତ୍ରୀ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶିଭୁଷଣ ବେହେରା, ଆଳି ବିଧାୟକ ପ୍ରତାପକେଶରୀ ଦେବ, ରାଜନଗର ବିଧାୟକ ଧୃବ ଚରଣ ସାହୁ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ, ଶ୍ରମ ଆୟୁକ୍ତ ନିରଞ୍ଜନ ସାହୁ, ରାଜ୍ୟ ପ୍ରବାସୀ ଶ୍ରମିକ ସହାୟକ ସାଧନ କେନ୍ଦ୍ରର ବୈଷୟିକ ପରାମର୍ଶ ଦାତା ଡି.ପି. ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ପ୍ରମୁଖ ଯୋଗ ଦେଇ କେନ୍ଦ୍ରାପଡା ଜିଲ୍ଲାରେ ହାରାହାରି ୧ ଲକ୍ଷ ଆଣ କୁଶଳୀ, ଅର୍ଦ୍ଧ କୁଶଳୀ ଓ କୁଶଳୀ ଶ୍ରମିକ ମାନଙ୍କ ନିମନ୍ତେ ଏହା ଏକ ବଡ ସୁଯୋଗ ବୋଲି ବକ୍ତବ୍ୟ ରଖିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ସଭାପତିତ୍ୱ ଅଭିଭାଷଣରେ ଜିଲ୍ଲାରେ ଥିବା ୧ ଲକ୍ଷ ପାଣି ପାଇପ ମିସ୍ତ୍ରୀଙ୍କର ପଞ୍ଜିକରଣ ୨ ମାସ ଭିତରେ ହେବ ବୋଲି ସୂଚନା ଦେବା ସହ ଗ୍ରାମ ପଞ୍ଚାୟତ ମାନଙ୍କରେ ସେମାନଙ୍କର ପଞ୍ଜିକରଣ କାର୍ଯ୍ୟ ଚାଲିବ ବୋଲି ସୂଚନା ଦେଇ ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମରେ ଏହି ଯୋଜନାକୁ ସାମିଲ କରାଯାଇ ଅଧିକରୁ ଅଧିକ କ୍ରିୟାଶୀଳ କରାଯିବ ବୋଲି କହିଥିଲେ । ମନ୍ତ୍ରୀ ଶ୍ରୀ ସିଂହ ମୃତ୍ୟୁକାଳୀନ ସହାୟତା ରାଶି ଭାବେ ଭରତ ମଲ୍ଲିକଙ୍କୁ ୨ ଲକ୍ଷ ୫ ହଜାର, ନାରାୟଣ ସାହୁ, ଅମ୍ବିକା ମହାପାତ୍ର, ଦମୟନ୍ତୀ ସାହୁ, ଆନନ୍ଦ ନାୟକ ଓ ଭାରତୀ ସାହୁଙ୍କୁ ପ୍ରତ୍ୟେକ ୧ ଲକ୍ଷ ୫ ହଜାର ଟଙ୍କାର ଚେକ ସହ ମୋଟ ୧ କୋଟି ୩୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । କେନ୍ଦ୍ରପଡା ଶ୍ରମଖଣ୍ଡ କମିଶନର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଜିଲ୍ଲା ପରିଷଦ ସଭାପତି ଶ୍ରୀ ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପ ନିର୍ଦ୍ଦେଶକ ସୂଚନା ଓ ଲୋକ ସଂପର୍କ କେନ୍ଦ୍ରାପଡା ଚନ୍ଦ୍ରକାନ୍ତ ନାୟକ, ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି ପ୍ରଦିପ ମହାନ୍ତି, କେନ୍ଦ୍ରପଡା ପୌର ପରିଷଦ ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, କେନ୍ଦ୍ରାପଡା ପଞ୍ଚୟତ ସମିତି ଅଧ୍ୟକ୍ଷ ଅନାମ ବନ୍ଧୁ ଧଳ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ସରକାରୀ ଅଧିକାରୀ,ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।