ପାଣି ଭିତରେ ବୁଡି ରହିଥିବା ବ୍ଲାକରୋଜ୍ ସହିତ ଟ୍ରଲରର ଦୁର୍ଘଟଣାଗ୍ରସ୍ତ
ପାରାଦୀପ, (ପିତବାସ ପ୍ରଧାନ):ପୁଣି କାଳ ହୋଇଛି ପାରାଦୀପ ଉପକୂଳରେ ବୁଡ଼ିରହିଥିବା MV ବ୍ଲାକରୋଜ୍ ଜାହାଜ।ବର୍ଷ ବର୍ଷ ଧରି ପାଣି ଭିତରେ ବୁଡି ରହିଥିବା ବ୍ଲାକରୋଜ୍ ସହିତ ଏକ ଟ୍ରଲରର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୯ ଜଣ ମତ୍ସ୍ୟଜୀବୀ। ଆଜି ଏହି ଅଘଟଣ ଘଟିଥିଲା।ସମୁଦ୍ରରେ ଜୁଆର ପାଣିଥିବାରୁ ବୁଡି ରହିଥିବା ବ୍ଲାକରୋଜ୍ ଜାହାଜକୁ ଦେଖି ପାରିନଥିଲେ ଟ୍ରଲର ଡ୍ରାଇଭର। ଫଳରେ ଜାହାଜକୁ ଧକ୍କା ହେବା ପରେ ବୋଟ୍ଟି ଭାଙ୍ଗି ପାଣିରେ ବୁଡି ଯାଇଥିଲା। ଏହାପରେ ଟ୍ରଲରରେ ଥିବା ସମସ୍ତ ୯ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିଲେ।ଏହି ଖବର ପାଇ ଅନ୍ୟ ଏକ ଟ୍ରଲର ଘଟଣାସ୍ଥଳକୁ ଯାଇ ପ୍ରଥମେ ୫ ଓ ପରେ ଅନ୍ୟ ୪ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରଲରକୁ କୂଳକୁ ଆଣିବାକୁ ଉଦ୍ୟମ କରାଯାଉଛି। ପୂର୍ବରୁ ମଧ୍ୟ ଏହି ବ୍ଲାକ୍ରୋଜ୍ର ସହ ପିଟି ହୋଇ ଅନେକ ଟ୍ରଲର ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ବି କାହିଁକି ବ୍ଲାକ୍ରୋଜ୍କୁ ଉଦ୍ଧାର କରାଯାଉନାହିଁ, ତାକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଥିବା ବେଳେ ବ୍ଲାକରୋଜ୍ ଜାହାଜ ବୁଡି ଘଟଣାର ତଦନ୍ତ କେଉଁଠି ନା କେଉଁଠି ଦିଗହରା ହୋଇଛି।