ପାତ୍ରପୁର କୁଠାରୀଶ୍ୱରୀଙ୍କ ମାହାତ୍ମ୍ୟ
ପାତ୍ରପୁର,(ୱାଇଏନଏସ): ଗଞ୍ଜାମ ଜିଲ୍ଲା ଆନ୍ଧ୍ରପ୍ରଦେଶ ସୀମାନ୍ତ ପାତ୍ରପୁର ବ୍ଳକର ବିଭିନ୍ନ ଗ୍ରାମର ଦେବା ଦେବୀ ପୀଠ ଗୁଡ଼ିକର ମାହାତ୍ମ୍ୟ ରହିଥିବା ବେଳେ ଏହି ବ୍ଲକର ଆରାଧ୍ୟା ଦେବୀ ମା କୁଠାରୀଶ୍ଵରୀଙ୍କ ଅପାର ମହିମା ଓ ପୂଜାର୍ଚ୍ଚନା ପରମ୍ପରା ସମ୍ପୂର୍ଣ୍ଣ ନିଆରା। କେଉଁ କାଳରୁ ଏହି ପୀଠରେ ବର୍ଷର ବିଭିନ୍ନ ପର୍ବର୍ବାଣୀରେ ଭକ୍ତଙ୍କ ଭିଡ଼ ଲାଗିରହୁଥିବା ବେଳେ ମା ଙ୍କ ନବରାତ୍ରୀ ପୂଜାରେ ଦର୍ଶନ ପାଇଁ ଭକ୍ତ ଅପେକ୍ଷା କରି ଥାଆନ୍ତି।ଚଳିତ ବର୍ଷ ମାଙ୍କ ୫୯ତମ ନବରାତ୍ରୀ ପୂଜା ଅନୁଷ୍ଟିତ ହେଉଥିବା ବେଳେ ଆସନ୍ତା ଅମାବାସ୍ୟା ତିଥିରେ ମା ଙ୍କୁ ନବରାତ୍ରୀ ପାଇଁ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଛି।ପାତ୍ରପୁର ଗ୍ରାମର ଇଷ୍ଟ ଦେବୀ ଭାବେ ପୂଜା ପାଉଥିବା ମା କୁଠାରୀଶ୍ଵରୀ ପୀଠରେ ବର୍ଷ ତମାମ ବିଭିନ୍ନ ପର୍ବର୍ବାଣୀରେ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ବେଳେ ପାଞ୍ଚବର୍ଷରେ ଥରେ ଯାତ୍ରା ଅନୁଷ୍ଠିତ ହୋଇଥାଏ।ଯାତ୍ରା ସମୟରେ ମା ଙ୍କୁ ଦୁଆରେ ଦେଖିବା ପାଇଁ ଯେଉଁଭଳି ଭାବରେ ଭକ୍ତ ଅପେକ୍ଷା କରି ଥାଆନ୍ତି ସେହିପରି ପ୍ରତିବର୍ଷ ନବରାତ୍ରି ପୂଜାକୁ ଅପେକ୍ଷା କରି ଥାଆନ୍ତି। କୁଠାରୀ ଶ୍ଵରୀ ଙ୍କ ମନ୍ଦିରଟି ଗ୍ରାମର ପ୍ରବେଶ ପଥରେ ରହିଛି । ମା ଙ୍କ ପ୍ରତିଷ୍ଠା ସଂପର୍କ ରେ ସେହି ପରି ନିର୍ଦ୍ଦିଷ୍ଟ ତଥ୍ୟ ନଥିବା ବେଳେ ବିଭିନ୍ନ ଜନଶ୍ରୁତି ଅନୁଯାଇ ମାଆ ଙ୍କ ପ୍ରତିଷ୍ଠା ତିନିଶହ ବର୍ଷ ପୂର୍ବର ବୋଲି କୁହା ଯାଉଛି। ମା ପୂଜା ପାଉଥିବା ସ୍ଥାନରେ ଗ୍ରାମର ଶ୍ରଦ୍ଧାଳୁ ଜନସାଧାରଣ ଦ୍ଵାରା ମା ଙ୍କ ମନ୍ଦିର ଓ ମୂର୍ତ୍ତି ନିର୍ମାଣ କରିବା ସହ ପୂଜା ପାଇ ଆସୁଛନ୍ତି। ତିନିଶହ ବର୍ଷ ପୂର୍ବେ ସାତ ଖଣ୍ଡି ଗ୍ରାମକୁ ନେଇ ପ୍ରତିଷ୍ଠା ଲାଭ କରିଥିବା ପାତ୍ରପୁର ଗ୍ରାମରେ ମା ଙ୍କ ଆବିର୍ଭାବ ଘଟି ଥିଲା। ଗ୍ରାମର ମାଳି କୂଳ ଦ୍ଵାରା ପ୍ରତିଷ୍ଠା ପର ଠାରୁ ମା ଙ୍କ ପୂଜା କାର୍ଯ୍ୟ ଚାଲିଛି।ଏହି ପୀଠ ଟି ଚିକିଟି ରାଜା ପରିବାରର ଇଷ୍ଟ ଦେବୀ ବୋଲି କୁହା ଯାଉଛି। ପୂର୍ବରୁ ନିଶାର୍ଦ୍ଧରେ ରାଜ ପରିବାରର ଲୋକମାନେ ଏହି ପୀଠ ରୁ ନିଆଁ ନେଇ ଖନ୍ଦା କରି ଆସୁଥିଲେ। ମା ଙ୍କ ସେହିଭଳି ସ୍ଥାନର ସ୍ଥାବର ସମ୍ପତି ନଥିବା ବେଳେ ରାଜା ପରିବାରର ପ୍ରଦତ୍ତ ପ୍ରାୟ ତିନି ଏକର ଜମି ରହିଛି।ନିୟମିତ ବାଳଭୋଗ ଅର୍ଣ୍ଣଭୋଗ ପରେ ସନ୍ଧ୍ୟାରେ ଆଳତୀ ପରେ ବାଳଭୋଗ ହୋଇ ଥାଏ।ବିବାହ ବ୍ରତ ଠାରୁ ଆରମ୍ଭ କରି ଝଡ଼ାଫୁଙ୍କା ପାଇଁ ଅଞ୍ଚଳର ଲୋକଙ୍କ ନିୟମିତ ଭିଡ଼ ପରିଲକ୍ଷିତ ହୋଇଥାଏ।ମନ୍ଦିର ପ୍ରବେଶ ଦ୍ଵାର ବାମ ପାର୍ଶ୍ୱରେ ଲିମେଇଶୁଣି ପୂଜା ପାଉଛନ୍ତି।ମନ୍ଦିର ପରିସରରେ କେଉଁ କାଳରୁ ଥିବା ଲିମ୍ବ ଗଛ ମୂଳେ ଲିମେଇ ଶୁଣି ପୂଜା ପାଉଥିବା ବେଳେ ମହାବାତ୍ୟା ବେଳେ ଗଛଟି ଭାଙ୍ଗି ପଡ଼ିବା ପରେ ସେହିଠାରେ ଛୋଟିଆ ମନ୍ଦିର ନିର୍ମାଣ କରାଯାଇଛି। ଏହି ଲିମ୍ବ ବୃକ୍ଷର ପତ୍ର ମିଠା ଲାଗୁ ଥିଲା।ମନ୍ଦିର ବେଢ଼ରେ ରାଧାକୃଷ୍ଣ ମନ୍ଦିର ସହ ତ୍ରିନାଥ ଦେବଙ୍କ ମୂର୍ତ୍ତି ସ୍ଥାପନ ହୋଇଛି। ଚୈତ୍ର ଏବଂ ଆଶ୍ୱିନ ମାସରେ ପୀଠରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ।ମାଙ୍କ ମହିମା ଅପାର କରୁଣା ତିରିଶି ବର୍ଷ ପୂର୍ବେ ମାଆଙ୍କ ଦେହରୁ ଅଳଙ୍କାର ଚୋରୀ କରି ଚୋରା ମନ୍ଦିରରୁ ବାହାରି ପାରିନଥିବା ଏହାର ପୂଜକ କହନ୍ତି। ସେହିପରି ସତର ପର୍ବ ପୂର୍ବେ ମାଙ୍କ କିରୀଟ ଚୋରି ହେବା ପରେ କମିଟି ପକ୍ଷରୁ ପୋଲିସ ରେ ଅଭିଯୋଗ ପରେ କିରୀଟ କୁ ମନ୍ଦିର ମଧ୍ୟରେ ଫିଙ୍ଗିଦେବା ଭଳି ବହୁ ଆଲୋକିକି ଘଟଣା ମାଙ୍କ ମହିମାର ଅନ୍ୟନ ନିର୍ଦ୍ଦେଶନ ଅଟେ। ତେବେ ଅଞ୍ଚଳର କେନ୍ଦ୍ର ସ୍ଥଳ ପାତ୍ରପୁର ଗ୍ରାମରେ ତିନିଶହ ବର୍ଷ ପୂର୍ବେ ପ୍ରତିଷ୍ଠିତ ଇଷ୍ଟ ଦେବୀ କୁଠାରୀ ଶ୍ୱରୀ ପୀଠ ର ସାମଗ୍ରିକ ବିକାଶ ନିମନ୍ତେ ପାତ୍ରପୁର ଠାରେ ଏକ ଡାକ ବଙ୍ଗଳା ସ୍ଥାପନ କରି ବାକୁ ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଦୃଷ୍ଟି ଦେବାକୁ ବହୁ ଭକ୍ତ ମାନେ ନିବେଦନ କରିଛନ୍ତି।