ପାନୀୟ ଜଳକଷ୍ଟରୁ ମୁକ୍ତ ହେବ ବାଲେଶ୍ୱର, ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବ ଅମୃତ ଯୋଜନା
ବାଲେଶ୍ୱର, (ସରୋଜ ପଣ୍ଡା):ନିର୍ବାଚନ ସମୟରେ ଜାରି ହୋଇଥିବା ସଂକଳ୍ପ ପତ୍ରର ପ୍ରତ୍ୟେକ ପ୍ରତିଶୃତି ପାଳନ ପାଇଁ ଅଭିଯାନ ଜାରି ରଖିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ବିଧାୟକ ଭାବେ ନିର୍ବାଚିତ ହେବାର କିଛି ଦିନ ମଧ୍ୟରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ମାଧ୍ୟମରେ ସଦର ନିର୍ବାଚନମଣ୍ଡଳୀର ଜନସାଧାରଣ ସାମନା କରୁଥିବା ସମସ୍ୟାଗୁଡିକର ଆଶୁ ତଥା ଦୀର୍ଘମିଆଦି ସାମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ ବାଲେଶ୍ୱର ସହରବାସୀଙ୍କ ପ୍ରମୁଖ ସମସ୍ୟା ଭାବେ ଦୃଷ୍ଟିଗୋଚର ହେଉଥିବା ପାନୀୟ ଜଳ କଷ୍ଟ ଦୂର ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏକ ସମୀକ୍ଷା ବୈଠକରେ ବିଧାୟକ ଶ୍ରୀ ଦତ୍ତ ଯୋଗଦେଇ କେନ୍ଦ୍ର ସରକାରଙ୍କ ଅମୃତ ସହର ଯୋଜନାରେ ପାନୀୟ ଜଳ ପ୍ରକଳ୍ପର ସଫଳ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ । ୨୦୧୪ ମସିହାରୁ କେନ୍ଦ୍ର ସରକାରଙ୍କ ଅନୁଦାନରେ ଆରମ୍ଭ ହୋଇଥିବା ଅମୃତ ସହର ଯୋଜନାରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରିତାକୁ ନେଇ ସହରବାସୀଙ୍କ ମନରେ ସୃଷ୍ଟି ହୋଇଥିବା ପ୍ରଶ୍ନକୁ ଦୂର କରିବା ଦିଗରେ ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଥିଲେ । ରାଜ୍ୟରେ ନୂତନ ସରକାର ଗଠନ ହୋଇଥିବାରୁ ଜନସାଧାରଣଙ୍କ ସମସ୍ୟା ନିବାରଣ ଦିଗରରେ ସକାରାତ୍ମକ ମନୋଭାବ ନେଇ ଅଧିକାରୀମାନେ କାର୍ଯ୍ୟ ସମ୍ପାଦନ ପାଇଁ ତତ୍ପର ରହିବାକୁ ଶ୍ରୀ ଦତ୍ତ ନିର୍ଦ୍ଦେଶ ଦେଇଥିଲେ । ଭୂତଳ ଜଳସ୍ତର ଦିନକୁ ଦିନ କମ ହେଉଥିବାରୁ ୱାଟର ଟ୍ରିଟମେଂଟ ପ୍ଲାଂଟ ସ୍ଥାପନ କରି ନଦୀଜଳକୁ ବ୍ୟବହାର କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ପୂର୍ବ ସରକାରଙ୍କ ଅମଳରେ ବନ୍ଦ ହୋଇ ଯାଇଥିବା ବୁଢାବଳଙ୍ଗ ନଦୀ ଜଳ ବିଶୋଧନ ଦ୍ୱାରା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଦିଗରରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଦତ୍ତ କହିଥିଲେ । ଏହା ସହିତ ସହରବାସୀ ନିରନ୍ତର ପାନୀୟ ଜଳ ପାଇବା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନୂତନ ପାଇପ ବିଛାଇବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ଜନସାଧାରଣଙ୍କ ଅଭିଯୋଗ ଉପରେ ତ୍ୱରିତ ପଦକ୍ଷେପ ପାଇଁ ଯତ୍ନବାନ ହେବାକୁ ଶ୍ରୀ ଦତ୍ତ ପରାମର୍ଶ ଦେଇଥିଲେ । ବାଲେଶ୍ୱର ସହରାଂଚଳର ପ୍ରତ୍ୟେକ ସେକ୍ସନରେ ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ ପାଇଁ ପଦକ୍ଷେପ ନେବେ । ପୂର୍ବ ସରକାରଙ୍କ ଅମଳରେ ଜନସ୍ୱାସ୍ଥ୍ୟ ବିଭାଗ ଅବହେଳିତ ଅବସ୍ଥାରେ ରହିଥିବାରୁ ଏହାର ପୁନରୁଥାନ ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ସହ ଆଲୋଚନା କରାଯିବ । ଲୋକଙ୍କ ସମସ୍ୟା ସାମାଧାନ ପାଇଁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତ୍ୟେକ ପ୍ରତିଶୃତି ରକ୍ଷା ଦିଗରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ବିଧାୟକ ଶ୍ରୀ ଦତ୍ତ କହିଛନ୍ତି । ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ନବୀନ ସିଂହ, ଏସଡିଓ ବିଷ୍ଣୁପଦ ଦାସ, କନିଷ୍ଠ ଯନ୍ତ୍ରୀ ହିରାଲାଲ ନାୟକ ଓ ଅନୁପମା ସାହୁ ପ୍ରମୁଖ ଏହି ସମୀକ୍ଷା ବୈଠକର ଉପସ୍ଥିତ ରହି ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହିତ ସହରାଂଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଭିତ୍ତିଭୂମୀ ଓ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ବୈଠକରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ସୀତାକାନ୍ତ ସ୍ୱାଇଁ, ଚିତ୍ତରଞ୍ଜନ ପଣ୍ଡା, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ବାଲେଶ୍ୱର ପୌର ପରିଷଦର କାଉନସିଲର ସତ୍ୟଶିବ ସୁନ୍ଦର ଦାସ, ରୋଜାଲିନ ପାଣି, ପ୍ରତିମା ବେହେରା, ନିତ୍ୟଗୋପଲ ସିଂ, ବିଭୂପଦ ଦାସ, ଜୟ ପ୍ରକାଶ ଦାଶଙ୍କ ସମେତ ବିଭିନ୍ନ ୱାର୍ଡ ପ୍ରତିନିଧି ଭାବେ ରାଜେନ୍ଦ୍ର ଚାଟାର୍ଜୀ, ଶୈଳେନ୍ଦ୍ର ଦାଶ, ମନ୍ମଥ ପାତ୍ର, ଦିଲ୍ଲୀପ ମାଝୀ, ଯୋଗେନ ରଣା, ମନୋରଞ୍ଜନ ନନ୍ଦି, ଧିରଜ ମହାନ୍ତି, ଅଶୋକ ଦାସ, ନସୀମା ବିବି, ସୁସ୍ମିତା ଶୁକ୍ଳା, ପବନ ସିଂହ, ପବନ କମିଳା, ଉମେଶ ବେହେରା ପ୍ରମୁଖ ଉପସ୍ଥିତ ରହି ପାନୀୟ ଜଳ ଯୋଗାଣକୁ ନେଇ ଦେଖାଦେଉଥିବା ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ ।


