ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଏନଏସିର ପାଇପ ଲାଇନ ସଂଯୋଗ ହୋଇନଥିବା ଅଂଚଳକୁ ପାଇପ ଲାଇନ ଯୋଗେ ପାଣି ଯୋଗାଇ ଦେବା ପାଇଁ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ଷ୍ଟେଟ ପ୍ଲାନ ୨୦୨୦-୨୧ ରେ ୨ କୋଟି ୬୩ ଲକ୍ଷ ୬୪ ହଜାର ଟଙ୍କାରେ ନିର୍ମାଣ ହେବାକୁ ଥିବା ଏକ ସଂପ୍ରସାରିତ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏନଏସିରେ ୩.୧୦ ଲକ୍ଷ୍ୟ ଲିଟର, ୩ ଲକ୍ଷ ଲିଟର, ୦.୫୭ ଲିଟର ବିଶିଷ୍ଠ ତିନୋଟି ସ୍ଥାନରେ ଭୁତଳ କଳ ଭଣ୍ଡାର ନିର୍ମାଣ କରାଯିବ । ଏହାଦ୍ୱାରା ଛତ୍ରପୁର ଏନଏସିର ପ୍ରାୟ ୨ ହଜାର ଲୋକ ଉପକୃତ ହୋଇପାରିବେ । ଏନଏସିର ଯେଉଁ ସବୁ ଏରିଆକୁ ପାଣି ପାଇପ ସଂଯୋଗ ହୋଇନାହିଁ ସେହି ସବୁ ଏରିଆ କୁ ଏହି ପ୍ରକଳ୍ପ ଦ୍ୱାରା ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ଏହି କାର୍ଯ୍ୟ ଆସନ୍ତା ମେ ମାସ ସୁଦ୍ଧା ଶେଷ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଗାମୀ ଦିନରେ ଜଳ ଜୀବନ ମିଶନ ଯୋଜନା ମାଧ୍ୟମରେ ଛତ୍ରପୁର, ବ୍ରହ୍ମପୁର ଓ ଫୁଲବାଣି ର ସମସ୍ତ ଅଂଚଳକୁ ପାଇଲଟ ପ୍ରୋଜେକ୍ଟ ଭାବେ ୨୪ ଘଣ୍ଟା ପାଣି ଯୋଗାଇ ଦିଆଯିବା ପାଇଁ ଲକ୍ଷ ରଖାଯାଇଥିବା ଛତ୍ରପୁର ସବ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ରାମଚନ୍ଦ୍ର ସାମନ୍ତରାୟ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପ୍ରତିନିଧି ଜି. ପାପା ରାଓ, ଛତ୍ରପୁର ବିଜେଡି ନଗର ସଭାପତି ବି. ରାଜୁବାବୁ, ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ସନମୁଖ ପଟ୍ଟନାୟକ, କନିଷ୍ଟ ଯନ୍ତ୍ରୀ ମୃଦୁ କୁମାରୀ ପାଣିଗ୍ରାହୀଙ୍କ ସମେତ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।


