ପାନୀୟ ଜଳ ପ୍ରକଳ୍ପ ଅଚଳ ପାଣି ନପାଇ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ପାଇଁ ସଜବାଜ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗ୍ରୀଷ୍ମ ଋତୁ ଆରମ୍ଭରୁ ହିଁ ପାନୀୟ ଜଳର ଘୋର ଅଭାବ ଦେଖାଦେଲାଣି । ଗତ ୨ ମାସ ଧରି ପାନୀୟ ଜଳ ପାଇନପାରି ବାରମ୍ବାର ବିଡ଼ିଓ ଓ ଗ୍ରାମ୍ୟ ଓ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ ଏଦିଗରେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ଗ୍ରାମବାସୀ । ପରିଶେଷରେ ଗ୍ରାମବାସୀ ବାଧ୍ୟ ହୋଇ ପାନୀୟ ଜଳର ଅଭାବ ନେଇ ଭିଡ଼ିଓ ଭାଇରାଲ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବା ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି । ଏଭଳି ଏକ ଘଟଣା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକ ବଡ଼ଖଣ୍ଡି ପଂଚାୟତ ଅଧିନସ୍ଥ ଗୋପିନାଥପୁର ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପରେ ଗତ ୨୦୧୧ ମସିହାରେ ୩୬.୪୪ଲକ୍ଷ ଟଙ୍କା ବ୍ୟୟରେ ୩୦ ହଜାର ଲିଟର କ୍ଷମତା ବିଶିଷ୍ଟ ପ୍ରକଳ୍ପ ହୋଇଥିଲା । ଏଥିରେ ୨ଟି ବୋରୱେଲ, ୧୮ଟି ଷ୍ଟାଣ୍ଡପୋଷ୍ଟ ସହ ୨୪୮୦ ମିଟର ପାଇପ୍‌ଗ୍ରାମରେ ବିଛାଯାଇଛି । ସଂପୃକ୍ତ ଗ୍ରାମରେ ୬ଶହରୁ ଉର୍ଦ୍ଧ୍ୱ ପରିବାରର ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ବସବାସ କରନ୍ତି । ଗତ ୬ମାସ ଧରି ସଂପୃକ୍ତ ଗ୍ରାମରେ ପାନୀୟ ଜଳର ଅଭାବ ଦେଖାଦେଇଛି । ଗ୍ରାମ୍ୟ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଦିନକୁ ପ୍ରାୟ ୩୦ ମିନଟରୁ ୪୫ ମିନଟ ପର୍ଯ୍ୟନ୍ତ ଜଳ ଯୋଗାଣ କରାଯାଇଥାଏ । ଉକ୍ତ ସମୟ ସୀମା ମଧ୍ୟରେ ଆସୁଥିବା ଜଳ ପର୍ଯ୍ୟାପ୍ତ ନହୋଇ ପାରିବା ଯୋଗୁଁ ଗ୍ରାମବାସୀ ଗ୍ରାମ ନିକଟସ୍ଥ ରାଜଘାଇ ଜଳସେତୁର ଜଳକୁ ଉଭୟ ସ୍ନାନ, ଶୌଚ କରିବା ସହ ଉକ୍ତ ଜଳାଶୟର ଜଳକୁ ବିଶୁଦ୍ଧ କରି ଗ୍ରାମବାସୀ ପାନୀୟ ଜଳ ଭାବେ ବ୍ୟବହାର କରି ଆସୁଛନ୍ତି । ଗତ ୨ ମାସ ପୁର୍ବରୁ ଉକ୍ତ ରାଜଘାଇ ଜଳାଶୟରେ ମାଛଚାଷ କରିବା ସକାଶେ ଜଳାଶୟରେ ଔଷଧ ପକାଯାଇଥିବା ଯୋଗୁଁ ଜଳ ଅପରିଷ୍କାର ହେବା ସହ ପାଣି ଲାଲ ରଙ୍ଗ ହୋଇପଡ଼ିଛି । ଉକ୍ତ ଜଳାଶୟର ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରିବା ତ ଦୂରର କଥା ଗ୍ରାମବାସୀ ସ୍ନାନ କରିବାକୁ ମଧ୍ୟ ଇଛା ପ୍ରକାଶ କରୁନାହାନ୍ତି । ଫଳରେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି । ଗ୍ରାମର ମନୋଜ ବେହେରା, ପି. ପାର୍ବତୀ, ନୟନି ବେହେରାଙ୍କ ସମେତ କ୍ରାନ୍ତିକାରୀ କୃଷକ ସମାଜ ରାଜ୍ୟ ସମ୍ପାଦକ ଶଙ୍କା ସାହୁ ଘଟଣା ନେଇ ଜିଲ୍ଲା ପ୍ରଶାସନ ସମେତ ହିଂଜିଳିକାଟୁ ବିଡ଼ିଓ ଓ ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏ ଦିଗରେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି । ଆଗକୁ ଆହୁରି ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ଘଟଣା ପ୍ରତି ଦୃଷ୍ଟି ଦିଆନଯାଇ ପାନୀୟ ଜଳ ସମସ୍ୟାର ସମାଧାନ କରାନଗଲେ ଏକ ବିରାଟ ଜନ ଆନ୍ଦୋଳନ ଗଢି ଉଠିବା ସହ ହିଂଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ କରିବେ ବୋଲି ଚେତାବନୀ ଜଣାଇଛନ୍ତି । ଏ ନେଇ ସ୍ଥାନୀୟ ବିଡ଼ିଓ ପ୍ରସନ ଜଳର କୌଣସି ସମସ୍ୟା ନାହିଁ । ଗ୍ରାମବାସୀ ଅଭିଯୋଗ ଅନୁସାରେ ଗତ କିଛି ଦିନ ତଳେ ମାଇନର ଇରିଗେସନା ଏକ ଜଳାଶୟର ପାଣି ଦୂଷିତ ହୋଇଯାଇଛି । ଆସ୍ତା ଦିନରେ ଜଳାଶୟକୁ ସଫା କରାଯିବା ସହ ସଂପୃକ୍ତ ଗ୍ରାମକୁ ଦୈନିକ ୨ ସମୟ ପାନୀୟ ଜଳ ଯୋଗାଣ କରାଯିବାକୁ ଉଦ୍ୟମ କରାଯିବ । ଏ ନେଇ ଗ୍ରାମ୍ୟ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀ ପ୍ରସନ କୁମାର ଦଳାଇଙ୍କୁ ପଚାରିବାରୁ ସେ କହିଲେ, ସଂପୃକ୍ତ ଜଳାଶୟକୁ ନେଇ ଗ୍ରାମର ୨ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଉପୁଜିଥିବା ଯୋଗୁଁ ଏଭଳି ମିଥ୍ୟା ପଚାର କରୁଛନ୍ତି । ଅନ୍ୟପକ୍ଷରେ ସଂପୃକ୍ତ ଗ୍ରାମରେ ସ୍ଥାପିତ ପ୍ରକଳ୍ପର ଜଳ ଗ୍ରାମବାସୀଙ୍କସକାଶେ ପ୍ରର୍ଯ୍ୟାପ୍ତ ନୁହେଁ, ସେଠାରେ ଭୂତଳ ଜଳ ସମସ୍ୟା ଲାଗି ରହିଛି । ଜାନିବିଲି ପ୍ରକଳ୍ପ ପାଣିରୁ ନିକଟବର୍ତି କୁକୁଡ଼ାକଣ୍ଡି ଠାରେ ୱାଟର ଟ୍ରିଟେଂମେଟ ପ୍ଳାଂଟ ପରେ ନିକଟବର୍ତି ଅଂଚଳକୁ ପ୍ରର୍ଯ୍ୟପ୍ତ ଜଳ ଯୋଗାଣ ସକାଶେ ସର୍ଭେ କାମ ସରିଛି । ଡ଼ିପିଆର ପ୍ରସ୍ତୁତ ପରେ ଟେଣ୍ଡର କରାଯାଇ କାର୍ଯ୍ୟାରମ୍ଭ କରାଯିବ ବୋଲି ଆରଡ଼ବ୍ଳ୍ୟୁଏସଏସ ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ