ପାନୀୟ ଜଳ ଯୋଗାଇବାକୁ ଦାବି

ବୋଲଗଡ଼ (ଜୁଗାବ୍ଦ ନ୍ୟୁଜ୍) ସାରା ରାଜ୍ୟରେପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିଛି । ନିଆଁ ବର୍ଷିଲା ଭଳି ଗ୍ରୀଷ୍ମ ପ୍ରକୋପ ଅନୁଭୁତ ହେଉଛି । ସକାଳ ୯ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଲୋକମାନେ ପଦାକୁ ବାହାରିପାରୁନାହାନ୍ତି । ଝାଞ୍ଜି ଖରାଯୋଗୁ ରାସ୍ତା ଘାଟ ଶୁନ୍ଶାନ ହେଇଯାଉଛି । ଅସହ୍ୟ ଗୁଳୁଗୁଳି ସହ ଅଘୋଷିତ ବିଦ୍ୟୁତ୍କାଟ ଏବଂ ଲୋଭୋଲ୍ଟଟେଜ ଲୋକଙ୍କୁ କଲବଲ କରିପକାଉଛି । ବିଶେଷକରି ଶିଶୁ, ବୃଦ୍ଧ ଓ ରୋଗୀ ବହୁକଷ୍ଟ ପାଉଛନ୍ତି । ଦୋକାନ ବଜାର ବନ୍ଦ କରିଦେବା ଫଳରେ ବ୍ୟବସାୟ ମାନ୍ଦା ଦେଖାଦେଇଛି । ବସ୍ମାନଙ୍କରେ ହାତଗଣତି ଯାତ୍ରୀ ଦେଖିବାକୁ ମିଳୁଛି । ବେଗୁନିଆ ଥାନା ନିକଟ ବସଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମାଗାର ନଥିବା ଯୋଗୁ ଯାତ୍ରୀମାନେ ଖରାରେ ଠିଆ ହୋଇ ବସ୍କୁ ଅପେକ୍ଷା କରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖୋର୍ଦ୍ଧା ବଲାଙ୍ଗିର ରାସ୍ତାକାମ ଚାଲିଥିବାରୁ ରାସ୍ତା ଉପରେ ଥିବା ଗଛଗୁଡ଼ିକ କାଟି ଦିଆଯାଇଥିବାରୁ ଠିଆ ହେବାପାଇଁ ଛାଇ ଟିକିଏ ମିଳୁନି । ବ୍ଲକ୍ରେ ଥିବା କୂଅ ପୋଖରୀ ଏବଂ ନଳକୁପଗୁଡ଼ିକ ସରକାରୀ ନିୟମ ଅନୁସାରେ ଖୋଳା ନଯାଇ କମ୍ ଗଭୀରତାରେ ଖୋଳାଯିବା ଯୋଗୁ ସେଗୁଡ଼ିକ ସବୁ ଶୁଖି ଯିବାକୁ ବସିଲାଣି । ସୂର୍ଯ୍ୟତାପ ପ୍ରବଳ ବଢ଼ିବାକୁ ଲାଗିଥିବା ବେଳେ ବେଗୁନିଆ ବ୍ଲକ ଅଞ୍ଚଳରେ ଠିକ୍ରୁପେ ଭୂତଳ ପାନୀୟ ଜଳଯୋଗାଣ ହେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅଧିକାଂଶ ସ୍ଥାନରେ ଭୂତଳ ପାଇପ୍ ଫାଟି ପାଣି ବାହାରୁଥିଲେ ବି ତା’ର ମରାମତି କରାଯାଉନାହିଁ । ଏପିରିକି ବହୁ ପଞ୍ଚାୟତରେ ଶତାଧିକ ଷ୍ଟାଣ୍ଡ ପଏଣ୍ଟ୍ ଅଚଳ ହୋଇପଡ଼ିଛି । ସରକାର ବେଗୁନିଆ ବ୍ଲକ୍ରେ ଲୋକଙ୍କୁ ଭୁତଳ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ପାଣି ଟାଙ୍କି ନିର୍ମାଣ କରିଥିଲେ ବି ଏଗୁଡ଼ିକ କେବଳ ପ୍ରଦର୍ଶନ ପାଇଁ ତିଆରି କରାଯାଇଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି । କୌଣସି ଦିନ ଉକ୍ତ ପାଣି ଟାଙ୍କିରୁ ପାନୀୟ ଜଳ ଯୋଗାଣ କରାଯାଉନାହିଁ । ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଭୁବନେଶ୍ୱରରେ ରହୁଥିବା ବେଳେ ଏହି ବ୍ଲକ୍ର ସାଧାରଣ ଲୋକଙ୍କ ସମସ୍ୟା ବୁଝିବା ପାଇଁ ତାଙ୍କ ନିକଟରେ ସମୟ ନାହିଁ । ଫଳରେ ବେଗୁନିଆ ଅଞ୍ଚଳରେ ଭୂତଳ ପାନୀୟ ଜଳ ଯୋଗାଣ ପ୍ରହସନରେ ପରିଣତ ହୋଇଛି । ଏଣୁ ପ୍ରଶାସନ ତୁରନ୍ତ ବେଗୁନିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ଭୂତଳ ପାନୀୟ ଜଳ ଯୋଗାଣରେ ଥିବା ଅବ୍ୟବସ୍ଥାକୁ ସୁଧାରିବା ସହିତ ତୁରନ୍ତ ପାନୀୟ ଜଳ ଯୋଗାଣ କରିବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ