ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପାଇପ୍ଲାଇନ୍ ସଂଯୋଗରେ ଅନିୟମିତତା ଅଭିଯୋଗ; ପାନୀୟଜଳ ଯୋଗାଣରୁ ବଂଚିତ ଅଂଚଳବାସୀ
ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ଜଲହରି ଗ୍ରାମପଂଚାୟତରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପାଇପ୍ଲାଇନ୍ ସଂଯୋଗରେ ଅନିୟମିତତା ହୋଇଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ସରକାରଙ୍କ ପକ୍ଷରୁ ପ୍ରତି ଗ୍ରାମପଂଚାୟତରେ ପାନୀୟ ଜଳ ସଂକଟ ଦୂର କରିବାପାଇଁ ଏହି ପ୍ରକଳ୍ପ କରାଯାଇଅଛି । ଗ୍ରାମପଂଚାୟତ ପକ୍ଷରୁ ବିଭିନ୍ନ ଗ୍ରାମକୁ ପାଇପ୍ଲାଇନ୍ ଜରିଆରେ ଘରକୁ ଘର ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ୍ଲାଇନ୍ ସଂଯୋଗୀକରଣ କରାଯାଉଅଛି । ଜଲହରି ଗ୍ରାମପଂଚାୟତରେ ପାଇପ୍ଲାଇନ୍ ସଂଯୋଗରେ ଅନିୟମିତତା କରାଯାଇଥିବାରୁ ବହୁ ଲୋକ ଏହି ଜଳ ଯୋଗାଣରୁ ବଂଚିତ ହୋଇଥିବା କପୁରହଟିଂ, ପାରମ ସାହିର ସ୍ଥାନୀୟ ଅଂଚଳ ବାସୀ ଅଭିଯୋଗ କରିଛନ୍ତି । ଅଂଚଳର ମହିଳା ବିମଳା ପାତ୍ର, ଅଂଜଳି ପାତ୍ର, ଫୁଲମଣୀ ପାତ୍ର, ରେବତୀ ଦାସ, ଡାଳିମ୍ବ ପାତ୍ର, ରାଧି ସିଙ୍କୁ ଏବଂ ମନୋଜ ପାତ୍ର, ଗଣେଶ ପାତ୍ର, ନିର୍ମଳ ପାତ୍ର, ବାଗୁନ ସିଙ୍କୁ, ରତ୍ନା ପାତ୍ର, ଗଜା ମୁଣ୍ଡା, ସିପୁନ ପାତ୍ର ପ୍ରମୁଖ ଅଭିଯୋଗ କରି କହିଛନ୍ତି ଯେ, ପନ୍ଚାୟତ ପକ୍ଷରୁ ପାଇପ୍ଲାଇନ୍ ସଂଯୋଗୀକରଣ ପାଇଁ ଏକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି । ଏହି ଠିକା ସଂସ୍ଥାର କର୍ମଚାରୀ ମାନେ ପ୍ରତି ଗ୍ରାମର ଘରକୁ ଘର ପାଇପ୍ଲାଇନ୍ ସଂଯୋଗ କରାଯିବାବେଳେ ଲୋକଙ୍କ ଠାରୁ ଟଙ୍କା ନେଇ ପାଇପ୍ଲାଇନ୍ ସଂଯୋଗ କରୁଛନ୍ତି ଏବଂ ଯେଉଁମାନେ ଉକ୍ତ ଟଙ୍କା ଦେଇପାରୁନାହାନ୍ତି ସେମାନଙ୍କ ଘରକୁ ପାଇପ୍ଲାଇନ୍ ସଂଯୋଗ କରାଯାଇନାହିଁ । ସରକାରଙ୍କ ପକ୍ଷରୁ ଏହି ପାଇପ୍ଲାଇନ୍ ସଂଯୋଗୀକରଣ ପାଇଁ ଦେୟମୁକ୍ତ ହୋଇଥିବା ବେଳେ ଠିକା ସଂସ୍ଥା ପକ୍ଷରୁ ମୋଟା ଅଙ୍କର ଅର୍ଥ ଦାବି କରାଯାଉଛି । ଏହା ସହିତ ପ୍ରତି ପରିବାରର ଏକାଧିକ ସଦସ୍ୟଙ୍କୁ ଏହି ପାଇପ୍ଲାଇନ୍ ସଂଯୋଗ କରାଯାଇଛି । ଏହି ପାଇପ୍ଲାଇନ୍ରେ ଅନାବଶ୍ୟକ ଜଳ ଭାସିଯାଉଥିବା ବେଳେ ବହୁ ଗ୍ରାମବାସୀ ଏହି ଜଳ ଯୋଗାଣରୁ ବଂଚିତ ହୋଇଛନ୍ତି । ପୂର୍ବରୁ ପଂଚାୟତ ପକ୍ଷରୁ ଆର.ଡବ୍ଲ୍ୟୁ.ଏସ୍.ଏସ୍ ମାଧ୍ୟମରେ ପ୍ଲାଷ୍ଟିକ ପାଇପ୍ ଜରିଆରେ ଜଳ ଯୋଗାଣ କରାଯାଉଥିଲା ମାତ୍ର ଏହାକୁ ବନ୍ଦ କରାଯାଇ ନୂତନ ପ୍ରକଳ୍ପ ଜରିଆରେ କମ୍ ସମୟ ପାଇଁ ଯେଉଁ ଜଳ ଯୋଗାଣ କରାଯାଉଛି ସେଥିରେ ସ୍ଥାନୀୟ ଲୋକଙ୍କୁ ଯଥେଷ୍ଟ ଜଳ ମିଳିପାରୁନାହିଁ । କାରଣ ନିର୍ଦ୍ଧିଷ୍ଟ ସଂଖ୍ୟାରୁ ଅଧିକ ସଂଖ୍ୟକ ଲୋକଙ୍କୁ ଗୋଟିଏ ସ୍ଥାନରେ ପାଇପ୍ଲାଇନ୍ ଦିଆଯାଇଥିବାରୁ ଜଳ ଯୋଗାଣର ଗତି ମନ୍ଥର ହୋଇଛି ।
ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଗ୍ରାମବାସୀ ଓ ଠିକା ସଂସ୍ଥାର କର୍ମଚାରୀଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥିବା ଗ୍ରାମବାସୀ କହିଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀମାନେ ଗ୍ରାମପଂଚାୟତର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି । ଏ ସମ୍ପର୍କରେ ଜଲହରି ଗ୍ରାମପଂଚାୟତର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗଙ୍ଗାଧର ପାତ୍ରଙ୍କୁ ପଚାରିବାରୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ସେ ଏହି ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ଏସ୍.ଡି.ଓ, ଜେ.ଇ ଏବଂ କନ୍ଟ୍ରାକ୍ଟରଙ୍କୁ ଡକାଇଥିଲେ । ଗ୍ରାମର କିଛି ଯୁବକଙ୍କୁ ସାଥିରେ ନେଇ ବିଭିନ୍ନ ଗ୍ରାମରେ ପାଇପ୍ଲାଇନ୍ ସଂଯୋଗରେ ହୋଇଥିବା ଅନିୟମିତତା ସମ୍ପର୍କରେ ବୁଲାଇ ଦେଖାଇଥିଲେ । ଯେଉଁ ସ୍ଥାନରେ ଲୋକଙ୍କୁ ପାଇପ୍ଲାଇନ୍ ସଂଯୋଗ କରାଯାଇନାହିଁ ସେଠାରେ ସଂଯୋଗୀକରଣ କରାଯିବ । ୨୦୧୧ ଜନଗଣନା ଅନୁଯାୟୀ ଯେତେ ଲୋକଙ୍କର ରେଜିଷ୍ଟେସନ ହୋଇଛି ସେମାନଙ୍କୁ ପ୍ରଥମେ ପାଇପ୍ଲାଇନ୍ ସଂଯୋଗୀକରଣ କରାଯିବାର ଥିଲା ମାତ୍ର କନ୍ଟ୍ରାକ୍ଟର ଲୋକ ମାନଙ୍କଠାରୁ ଟଙ୍କା ନେଇ ଭଡାରେ ରହୁଥିବା ବାହର ଅଂଚଳର ଲୋକଙ୍କୁ ପାଇପ୍ଲାଇନ୍ ସଂଯୋଗ କରିଦେଇଥିବା ପି.ଇ.ଓ ଗଙ୍ଗାଧର ପାତ୍ର କରିଥିଲେ । ଏବେ ଲୋକଙ୍କର ପାଇପ୍ଲାଇନ୍ ସଂଯୋଗ ସମସ୍ୟା ଖୁବ୍ ଶୀଘ୍ର ଦୂର କରାଯିବ ବୋଲି କହିଥିଲେ ।


