ପାନୀୟ ଜଳ ସମସ୍ୟାକୁ ନେଇ ଆନ୍ଦୋଳନ ଚେତାବନୀ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସହରର ବିଭିନ୍ନ ଅଞ୍ଚଳରେ ଦେଖା ଦେଇଥିବା ପାନୀୟଜଳ ସମସ୍ୟାକୁ ନେଇ ଯୁବନେତା ବିକ୍ରମ ପଣ୍ଡା ବୁଧବାର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଓ କେତେକ ସଚେତନଶୀଳ ବ୍ୟକ୍ତି ଆଜି ଜିଲାପାଳଙ୍କୁ ସାକ୍ଷାତ ସହ ପୌରାଞ୍ଚଳର ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ସହରବାସୀଙ୍କୁ ଯୋଗାଇ ଦିଆଯାଉଥିବା ଭୂତଳ ଜଳ ସମୁଦ୍ରକୁ ଶଙ୍ଖେ ହୋଇଥିବା ବେଳେ ଗ୍ରୀଷ୍ମ ଋତୁରେ ଏହା ମୁଖ୍ୟ ସମସ୍ୟା ହୋଇଛି । ସବୁଠାରୁ ବଡ଼କଥା ହେଲା ବିଭିନ୍ନ ସ୍ଥାନରେ ବ୍ୟବହାର ଅନୁପୋଯୋଗୀ ମଇଳା ପାଣି ଅନ୍ୟଏକ ସମସ୍ୟା ହୋଇଛି ବୋଲି ଶ୍ରୀ ପଣ୍ଡା ଆରୋପ କରିଛନ୍ତି ।ଏହି ସମସ୍ୟା ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅନ୍ତରିକତା ଦେଖାଯାଉ ନଥିବା ସେ କହିଛନ୍ତିି । ଅମୃତ ଯୋଜନାରେ ସାମିଲ ହେବା ପରେ ବି ବାଲେଶ୍ୱର ସହରର ପାନୀୟ ଜଳ ସମସ୍ୟା କ୍ରମଶଃ ଉତ୍କଟ ହେବାରେ ଲାଗିଛି । ମାଟି ତଳେ ନୂଆ ପାଇପ ବିଛାକୁ ପାଂଚ ବର୍ଷ ବିତିଥିଲେ ବି ଆଜି ଯାଏ ଘରକୁ ଘର ପାଣି ଯୋଗାଇବା ସମ୍ଭବ ହୋଇପାରିନାହିଁ । ନିକଟ ଅତୀତରେ ପୌର ପରିଷଦର ୩ ଜଣ କାଉନସିଲର ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ । ମାତ୍ର ଅଦ୍ୟାବଧି ସମସ୍ୟା ଦୂର ନେଇ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଶ୍ରେୀ ପଣ୍ଡା ଅଭିଯୋଗ କରିଛନ୍ତି । ଏଣୁ ଆସନ୍ତା ୧୫ ଦିନ ମଧ୍ୟରେ ସହରର ଜଳ ସମସ୍ୟା ସମାଧାନ ନ ହେଲେ ସହରବାସୀ ଅନ୍ଦୋଳନକୁ ଓହ୍ଲାଇବେ ବୋଲି ସେ ଚେତାବନୀ ଦେଇଛନ୍ତି । ଏନେଇ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଦାବିପତ୍ର ପ୍ରଦାନ ବେଳେ ଶ୍ରୀ ପଣ୍ଡାଙ୍କ ସମେତ ସୁଶାନ୍ତ ରଣା, ମୁସ୍ତାଫିଜ ଖାନ, ଅନୁପ ସ୍ୱାଇଁ, ଭଗବାନ ମୋହିନୀ, ସୁରେଶ ଚନ୍ଦ୍ର ଜେନା, ଚିତରଞ୍ଜନ ନାୟକ, ହ୍ରିତିକ୍ ନାୟକ, ଜୀବନକୃଷ୍ଣ ମିଶ୍ର, ଶେଖ ଅରଫାନୁଦ୍ଦିନ, ସୁମିତ ରଞ୍ଜନ କର, ସାହେବା ଅଖତର, ମହମ୍ମଦ ଜାହିବ, ପାରିତୋଷ ସାହା, ସୁବ୍ରତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


