ପାପା ମୋ ପାଇଁ ବାଣ ଜମା କିଣିବ ନାହିଁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଉ ଦିନକ ପରେ ଆଲୋକର ପର୍ବ ଦୀପାବଳୀ । ଦୀପାବଳୀ ଆସିଲେ ଖେଳନା ବନ୍ଧୁକ, ଟିକିଲି ଓ ରସୁଣ ବାଣ ଆଣିବା ପାଇଁ ମାଆ ପାଖରେ ସେ ପ୍ରତିବର୍ଷ ଅଳି ଅଝଟ କରିଥାଏ । ମାଆ ତୁ ବାପାଙ୍କୁ କହିବୁ, ମୋ ପାଇଁ ବାଣ ଆଣିବେ । କିନ୍ତୁ ଚଳିତବର୍ଷ ଦୀପାବଳୀରେ ମୋ ପାଇଁ ଟିକିଲିବାଣ ହେଉ କି ରସୁଣବାଣ ହେଉ ଜମା କିଣିକି ଆଣିବ ନାହିଁ । କେବଳ ଆମେ ଦୀପଜାଳି ଦୀପାବଳୀକୁ ପାଳନ କରିବା । ଏକଥା କେବଳ ଚିତ୍ରରେ ନୁହେଁ, ବାସ୍ତବିକ ସାତବର୍ଷର ବାଳକ ଶାନ୍ତନୁ ତା’ର ବାପାକୁ ଅନୁରୋଧ କରିଛି । ଏ ସମ୍ପର୍କରେ ପିତା କାହିଁକି ପଚାରିବାରୁ ସେ ଆଖି ଛଳଛଳ କରି କହିଥିଲା, ବାପା ଟିଭିରେ ଦେଖିଥିଲି ଡ଼ାକ୍ତର ସାର୍ କହୁଥିଲେ ବାଣ ଫୁଟାଇଲେ କରୋନା ପୁଣି ଆସିବ । ମୋର ଗୋଟିଏ ବୋଲି ମାମୁଁ ଥିଲା ଯେ, ତାଙ୍କୁ କରୋନା ନେଇଗଲା । ମୁଁ ମାମୁଁ ବୋଲି ଆଉ ଡ଼ାକିପାରୁନି । ସେହିପରି ଯଦି କରୋନା ପୁଣି ଆସେ, ପୁଣି ଯଦି କାହାକୁ ନେଇଯାଏ….. । ଏହି ବାଳକ ଜଣକ ହେଉଛନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁଙ୍କ ପୁତ୍ର ଶାନ୍ତନୁ ଶାନ୍ତିସ୍ପରୂପର ମନର କଥା । ନିଜେ ରଙ୍ଗ, ତୂଳୀରେ ସବୁଜ ହୃଦୟ ତିଆରି କରି ତା’ମଧ୍ୟରେ ଇଂରାଜୀ ଭାଷାରେ ପାପା ଡ଼ୋଣ୍ଟ୍ ବାଏ କ୍ରାକରସ୍ ଫର୍ ମି ଲେଖି ସବୁଜ ଦୀପାବଳୀ ପାଳନ କରିବା ପାଇଁ ଏକ ନିଆରା ବାର୍ତ୍ତା ଦେଇଛନ୍ତି । ଶାନ୍ତନୁଙ୍କ ଏହି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ଏବେ ସୋସିଆଲ୍ ମିଡ଼ିଆରେ ଅନେକ ଏହାକୁ ପସନ୍ଦ କରିଥିବାର ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ