ପାବନ ଶ୍ରୀକ୍ଷେତ୍ରାଧିପତିଙ୍କ ରାଜରାଜେଶ୍ୱରୀ ବେଶ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ସ୍ଥିତ ପାବନ ଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉ ମାନଙ୍କ ବିଶେଷ ଦେବନୀତି ଶୁକ୍ରବାର ଭୋର ୨ ଟାରୁ ଆରମ୍ଭ ହୋଇଥିଲା । ପ୍ରଥମେ ପାଦପଦ୍ମ ଆଳତି ପରେ ଅବକାଶ ବେଶ, ବଲ୍ଲଭ ଭୋଗ ଓ ଆଳତି ପରେ ସକାଳ ୫ ଟାରେ ମହାପ୍ରଭୁ ମାନଙ୍କୁ ବହୁ ପ୍ରତୀକ୍ଷିତ ଆକର୍ଷଣୀୟ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରି ୧୦୮ ଆଳତି କରାଯାଇଥିଲା । ସାହାଣମେଳା ଦର୍ଶନ ଯୋଗୁଁ ମନ୍ଦିର ପରିସରରେ ଭକ୍ତ ମାନଙ୍କ ଅସମ୍ଭବ ଭିଡ ଲାଗିରହିଥିଲା । ଆଜି ମହାଧର୍ମ ମାସର କାର୍ତ୍ତିକ ବ୍ରତ ପାଳନର ଉଦ୍ଯାପନ ଦିବସ ହୋଇଥିବାରୁ ପ୍ରାତଃହରୁ ପାବନ ଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ମହିଳା ଭକ୍ତ ମାନଙ୍କ ଭିଡ଼ ଜମିଥିଲା । ମନ୍ଦିର ପରିସରରେ ଭଜନ କିର୍ତ୍ତନ, ପୁରାଣ ପାଠ, କାର୍ତ୍ତିକ ମହାତ୍ମା , ଆକାଶ ଦୀପର ମାସିକ ଅନ୍ତିମ ସାନ୍ଧ୍ୟ ଦର୍ଶନ ଓ ୧୦୮ ଆଳତି ଦର୍ଶନ ସହ ରାଜରାଜେଶ୍ୱରୀ ଚତୁଦ୍ଧ୍ୱାମୂର୍ତ୍ତି ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିର ପରିସର ଓ ବାହାରେ ଭିଡ଼ ଲାଗି ରହିଥିଲା । ଭଜନ ଭାରତୀର ମହିଳା ମାନେ ପ୍ରତ୍ୟହ ପ୍ରତୁଷ୍ୟ ଓ ସନ୍ଧ୍ୟାରେ ଭଜନ କିର୍ତ୍ତନ ଓ ପୁରାଣ ପଠନରେ ଭକ୍ତ ମାନଙ୍କୁ ଅଭିଭୂତ କରି ଆସୁଥିଲେ । ମନ୍ଦିର ପ୍ରଶାସନ ସେବକ ନିର୍ମଳ ମିଶ୍ରଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ପୂଜକ କୃର୍ଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସମେତ ସହାୟକ ସରୋଜ ନନ୍ଦ, ଶିଶିର ପଣ୍ଡା, ଉମା ଚରଣ ପଣ୍ଡା ପ୍ରମୂଖ ମାସତମାମ ଉତ୍ସବ ପରିଚାଳନା କରିଥିଲେ ।ଶ୍ରୀଜୀଉମାନଙ୍କ ଦର୍ଶନ ଲାଗି ଭୋର ୨ଟାରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିଥିବା ଦେଖିବାକୁ ମିଳିଥିଲା ।