ପାରମ୍ପରିକ ଜଳପଥ ଅବରୋଧ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ପାରମ୍ପରିକ ଜଳପଥ ଅବରୋଧ ପ୍ରତିବାଦରେ ଚାଷୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମପଞ୍ଚାୟତର ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେହି ପଞ୍ଚାୟତର ଏକଶହ ଏକରରୁ ଉର୍ଦ୍ଧ୍ୱ ଚାଷଜମି ମଧ୍ୟକୁ ମାଣିକପୁର – ବଟିରା ରାସ୍ତାରେ ବସିଥିବା ୭ଟି ହ୍ୟୁମ ପାଇପ ଦେଇ ବର୍ଷାଜଳ ପ୍ଲାବିତ ହେଉଛି । ପୂର୍ବରୁ ଏହି ବର୍ଷାଜଳ ପାଟଜମି ଦେଇ ପାରମ୍ପରିକ ଜଳ ନିଷ୍କାସନ ପଥରେ ନିଷ୍କାସନ ହେଉଥିଲା । କିନ୍ତୁ ନଛିପଡାରୁ ପାଟନାଳି ବନ୍ଧକୁ ଏକ ମାଟିରାସ୍ତା ନିର୍ମାଣ ହେବାରୁ ସେହି ପାରମ୍ପରିକ ଜଳ ନିଷ୍କାସନ ପଥ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଯାହାଫଳରେ ସେହି ଚାଷଜମିରୁ ଜଳ ନିଷ୍କାସନ ହୋଇପାରୁ ନାହିଁ । ଚଳିତ ବର୍ଷ ଅର୍ଦ୍ଧାଧିକ ଜମିର ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଯାହାଦ୍ୱାରା ନମମାତ୍ର ଚାଷୀ ପରିବାର ଗୁଡିକ ସର୍ବସାନ୍ତ ହୋଇଯାଇଥିବା ଅଭିଯୋଗ ହୋଇଛି । ତେଣୁ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମିତ ହୋଇଥିବା ମାଟିରାସ୍ତା ଉପରେ ଏକ କଲର୍ଭଟ ନିର୍ମାଣ କରାଯାଇ ଜଳ ନିଷ୍କାସନ କରିବା ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ଫଳରେ ଉପରୁ ୭ଟି ହ୍ୟୁମ ପାଇପ ଦେଇ ଆସୁଥିବା ଜଳ ନିଷ୍କାସନ ହୋଇପାରିବ । କିନ୍ତୁ କେତେକ ଅସାମାଜିକ ସ୍ୱାର୍ଥନ୍ୱେଷୀ ଲୋକ ଏହି କଲର୍ଭଟ ନିର୍ମାଣରେ ବାଧା ଉପୁଜାଉଥିବା ଅଭିଯୋଗ ହୋଇଛି । ତେଣୁ ଏହି ଘଟଣାର ବିଧିବଦ୍ଧ ତଦନ୍ତ ପୂର୍ବକ ତୁରନ୍ତ କଲର୍ଭଟ ନିର୍ମାଣ କରାଯିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରମୋଦରଞ୍ଜନ ମହାନ୍ତି, ଯଦୁମଣି ପରିଡା, ନେହେରୁ ମହାନ୍ତି, ଗୋପବନ୍ଧୁ ବେହେରା, ରାଜେଶ ସାମଲ, ଯୋଗେନ୍ଦ୍ର ବେହେରା, ଅଭୟ ନାୟକ, ଅଶୋକ କୁମାର ମହାନ୍ତି, ତପନ ସ୍ୱାଇଁ, ରମାକାନ୍ତ ପରିଡା, ବାବାଜୀ ଚରଣ ନାୟକ, ଦିଲ୍ଲିପ ମହାନ୍ତି, ପ୍ରଭାକର ବେହେରା, ମହେଶ୍ୱର ରାଉତ ପ୍ରମୁଖ ଶତାଧିକ ଚାଷୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ