ପାରଳାଖେମୁଣ୍ଡିରେ ସରକାରଙ୍କ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ଅନୁଷ୍ଠିତ କ୍ରୀଡା ଉତ୍ସବରେ ବ୍ୟାପକ ଅନିୟମିତତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲାରେ ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡା ଉତ୍ସବ ଉଦ୍ଜାପିତ ହୋଇଯାଇଛି। ଗତ ଜାନୁଆରୀ ୩ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଚଳିତ ୮ତାରିଖରେ ଉଦଯାପିତ ହୋଇଯାଇଛି. ହେଲେ ଏହାର ଆୟୋଜନରେ ସମଗ୍ର ଗଜପତି ଜିଲ୍ଲାରେ ଏବଂ ପାରଳାଖେମୁଣ୍ଡି ମୁନିସିପାଲିଟି ଅଞ୍ଚଳରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ଠାରୁ ଆସିଥିବା ପାଣ୍ଠିର ଦୁରୁପଯୋଗ କରାଯାଇଥିବା ମଧ୍ୟ ଲୋକେ ଅଭିଯୋଗ କରିବା ସହିତ ଏହାର ଉପରେ ତଦନ୍ତ ପାଇଁ ସ୍ଥାନୀୟ ନେତାମାନେ ଦାବି କରିଛନ୍ତି। ସାରା ରାଜ୍ୟରେ ନୂଆ-ଓ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ। ଗଜପତି ଜିଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡା ଉତ୍ସବ ଗତ ଜାନୁଆରୀ ୩ତାରିଖରୁ ଆରମ୍ଭ ହୋଇଛି । ଜିଲାର ସମସ୍ତ ୭ଟି ବ୍ଲକ ଏବଂ ପାରଳାଖେମୁଣ୍ଡି ପୌର ପରିଷଦରେ ଏହାକୁ ଆୟୋଜିତ କରାଯାଉଥିବା ବେଳେ ଏଠାରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହୋଇଛି । ବିଶେଷ କରି ପାରଳାଖେମୁଣ୍ଡି ପୌର ପରିଷଦରେ ଚାଲିଥିବା କାର୍ଯ୍ୟକ୍ରମକୁ ନେଇ ସାଧାରଣ ଲୋକେ ଏବଂ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଖେଳାଳୀମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ପାରଳାଖେମୁଣ୍ଡି ସହରର ଏସକେସିଜି କଲେଜ ପଡିଆରେ କ୍ରିକେଟ ମ୍ୟାଚ ଆୟୋଜନ ହେଉଥିବା ବେଳେ ଗଜପତି ଷ୍ଟାଡ଼ିୟମରେ ଖୋଖୋ ଏବଂ କବାଡି ଖେଳ ଆୟୋଜିତ କରାଯାଇଥିଲା । ଏହି ସବୁ ଖେଳରେ ଭାଗ ନେଇଥିବା ଖେଳାଳୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତିଯେ କୌଣସି ପ୍ରକାର ସୁବ୍ୟବସ୍ଥା କରାଯାଇନଥିଲା. ଏଥିରେ ଖାଦ୍ୟପେୟର ବ୍ୟବସ୍ଥା ଅତ୍ୟନ୍ତ ନିମ୍ନମାନର ଥିଲା. ଏପରିକି ପିଇବା ପାଣି ମଧ୍ୟ ଠିକ ଭାବେ ମିଳୁନଥିବା ଖେଳାଳୀମାନେ ଅଭିଯୋଗ କରିଥିଲେ । ଫଳରେ ଖେଳାଳୀମାନେ ଭୋକ ଉପାସରେ ଖେଳୁଥିବା ବେଳେ ଏହାର ତଦାରଖ କରୁଥିବା ଅଧିକାରୀମାନେ ନାନା ପ୍ରକାରର ଖାଦ୍ୟ ଖାଉଥିଲେ । ସେହିପରି ଖେଳାଳୀମାନେ ନିଜ ବ୍ୟବସ୍ଥାରେ ପଡିଆକୁ ଆସୁଥିବା ବେଳେ ନିଜେ ନିଜର ଖେଳ ସାମଗ୍ରୀ କିଣି ବ୍ୟବହାର କରୁଥିବା କହିଛନ୍ତି । କେବଳ ସେତିକି ନୁହେଁ, ପଞ୍ଜିକୃତ ହୋଇଥିବା ଅନେକ ଟିମ ମ୍ୟାଚ ପାଇଁ ଆସୁନଥିବା ବେଳେ ଯେଉଁମାନେ ବି ଆସୁଛନ୍ତି ସେଥିରେ ମନଇଚ୍ଛା ପିଲା ଖେଳୁଛନ୍ତି ସେଥିପାଇଁ କୌଣସି ନିୟମ ରଖା ଯାଇନଥିଲା. ଏହାର ତଦାରଖ କରିବା ପାଇଁ ମଧ୍ୟ କୌଣସି ଅଧିକାରୀ ଉପସ୍ଥିତ ରହୁନଥିବା ଅଭିଯୋଗ ହୋଇଛି । ତେଣୁ ଅବ୍ୟବସ୍ଥାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।ପାରଳାଖେମୁଣ୍ଡି ପୌରପରିଷଦକୁ ଏହି କାର୍ଯ୍ୟକ୍ରମ ପାଇଁ ୧୩ଲକ୍ଷ ୮୫ହଜାର ଟଙ୍କା ଆସିଛି । ସେଥିମଧ୍ୟରୁ ପରିବହନ ବାବଦରେ ୧ଲକ୍ଷ ୪୦ହଜାର ଏବଂ ଖେଳର ଆୟୋଜନ ପାଇଁ ୩ଲକ୍ଷ ଟଙ୍କା ବ୍ୟବବରାଦ କରାଯାଇଛି । ସେହିପରି ଖାଦ୍ୟ ପାଇଁ ୧ଲକ୍ଷରୁ ଉର୍ଦ୍ଧ୍ବ ଏବଂ ପ୍ରଚାର ପ୍ରସାର ପାଇଁ ୫୦ହଜାର ଟଙ୍କା ରଖାଯାଇଛି । ଏହି ସବୁ କିଛି କରାଯାଇନଥିବା ଅଭିଯୋଗ ହେବା ପରେ ସ୍ବଚ୍ଛତାକୁ ନେଇ ଏଠାରେ ପ୍ରଶ୍ନବାଚି ଉଠିଛି । ଏହି ମହାବିଦ୍ୟାଳୟ ର ଖେଳ ପଡିଆ ମଧ୍ୟ ପିଲାମାନେ ଖେଳିବା ପାଇଁ ସମାନ ନଥିବା ନେଇ ଖେଳ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ କିନ୍ତୁ ଏସବୁ ଅଭିଯୋଗକୁ ଖଣ୍ଡନ କରିବା ସହ ସବୁ କିଛି ଠିକଠାକ ଚାଲିଥିବା ସଫେଇ ଦେଇଛନ୍ତି ।ବ୍ଲକ ସ୍ତରରେ ପିଲାମାନଙ୍କୁ ଖାଦ୍ୟ ଦିଆଯାଉଥିବା ବେଳେ ପୌରାଞ୍ଚଳରେ ଏହା କାହିଁକି ଦିଆଯାଉନି ଏବଂ ଏଥିପାଇଁ ଆସିଥିବା ଟଙ୍କା କେଉଁଭଳି ଖର୍ଚ୍ଚ ହୋଇଛି ଏସବୁର ତଦନ୍ତ ହେବା ଆବଶ୍ୟକ ରହିଛି ବୋଲି ସହରର ବିଭିନ୍ନ ରାଜନେତା, କର୍ମୀମାନେ ଓ ବୁଦ୍ଧିଜୀବୀ ମହଲରେ ବିଭିନ୍ନ ସ୍ଥାନରେ ଆଲୋଚନା ସମାଲୋଚନା ହୋଇଥିବା ଦେଖିବାକୁ ମିଳିଛି। ଏହା ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ଅଭିଯୋଗ ଆଣିଛନ୍ତି ସାଧାରଣ ଲୋକେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ